ହାଇକମାଣ୍ଡଙ୍କ ଦ୍ୱାରା ଅବହେଳିତ ଅସହାୟ ରାଜ୍ୟ ବିଜେପି ଓ କଂଗ୍ରେସ ଏବେ ଦିଲ୍ଲୀ ଭରସାରେ


ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସୁଛି । ରାଜନୀତି ଉଷ୍ଣ ହେବା ସ୍ୱାଭାବିକ । ସାଧାରଣତଃ ନିର୍ବାଚନ ପାଖେଇଲେ ବିରୋଧୀ ଅଧିକ ଆକ୍ରମଣାତ୍ମକ ହୋଇ ଉଠନ୍ତି ଏବଂ ନିଜର ପ୍ରସ୍ତୁତି ଜୋରଦାର କରନ୍ତି । କିନ୍ତୁ ଓଡିଶା ରାଜନୀତିରେ ଚିତ୍ର ଟିକେ ଅଲଗା । ଏଠାରେ ଶାସକ ବିଜୁ ଜନତା ଦଳ କେଇ ଦିନଠୁ ନିର୍ବାଚନୀ ପ୍ରସ୍ତୁତ ଆରମ୍ଭ କରି ସାରିଲାଣି । ସରକାରୀ ଯୋଜନାର ଶିଳାନ୍ୟାସ ଓ ଅଭିଯୋଗ ଶୁଣାଣି ନାଁରେ ବିଜେଡି ଘନ ଘନ ରାଲି କରି ସାରିଲାଣି । ଅଥଚ ମୁଖ୍ୟ ବିରୋଧୀ ବିଜେପି ଓ କଂଗ୍ରେସ କିଂ କର୍ତବ୍ୟ ମୂଢ ହୋଇ ଦେଖି ଚାଲିଛନ୍ତି । ଏବେ ଏହି ଦୁଇ ଦଳର ରାଜ୍ୟ ମଙ୍ଗୁଆଳ ନେତାମାନେ ଦିଲ୍ଲୀ ଯାଇଛନ୍ତି । ସେଠାରେ ହାଇକମାଣ୍ଡଙ୍କୁ ଭେଟିବେ ଏବଂ ରଣନୀତି ପ୍ରସ୍ତୁତ କରିବେ । ଏହା କରିବା ବାଦ୍ ସେମାନଙ୍କ ହାତରେ ଅବା କଣ ଅଛି । ସାଂପ୍ରତିକ ରାଜ୍ୟ ରାଜନୀତିକୁ ଦେଖିଲେ ଓଡିଶାର ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଅସହାୟ ଅବସ୍ଥାରେ ଅଛନ୍ତି ।

ଗତକାଲି ବିଳମ୍ବିତ ସନ୍ଧ୍ୟାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ୨୨ ବିଧାୟକ ଓ ସାଂସଦଙ୍କ ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇଛନ୍ତି । ଏହି ଗସ୍ତରେ ବିଧାୟକ ଓ ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବେ । ଓଡିଶାରେ ଦଳର ସଂଗଠନ ଓ ଆଗାମୀ ନିର୍ବାଚନ ପାଇଁ ୨୦ ଓ ୨୧ ତାରିଖ ଦୁଇ ଦିନ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିବେ । ଏହା ସହିତ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ରାଜ୍ୟ ରାଜନୀତି ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଏହା ସହିତ ରାଜ୍ୟ ସରକାର କିଭଳି ଭାବେ କେନ୍ଦ୍ରୀୟ ଯୋଜନାକୁ ହଡପ କରୁଛନ୍ତି ତାର ଅଭିଯୋଗ ମଧ୍ୟ କରିବେ । କେନ୍ଦ୍ର ଯୋଜନାରେ ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ବି ଲଗାଯାଉ ନାହିଁ । ବିଜେଡି ସରକାରଙ୍କ ଏହି ତୁଚ୍ଛ କାମ ବିରୋଧରେ ରାଜ୍ୟ ବିଜେପିର ନେତାମାନେ ହାଇକମାଣ୍ଡଙ୍କ ନିକଟରେ ଅଭିଯୋଗ କରିବେ ।

ଏହା ଗଲା ବିଜେପିର କଥା । ଠିକ୍ ସେହିପରି କଂଗ୍ରେସର ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇଛନ୍ତି । ସେଠାରେ ନେତାମାନେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ରାଜ୍ୟରେ କଂଗ୍ରେସର ସାଂଗଠନିକ ସ୍ଥିତି ଏବଂ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ନେଇ ଆଲୋଚନା ହେବ । ଏହିପରି ଭାବେ ରାଜ୍ୟର ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏବେ ନୂଆଦିଲ୍ଲୀରେ ଡେରା ପକାଇଛନ୍ତି । ରାଜ୍ୟରେ ଅନେକ ଜରୁରୀ ପ୍ରସଙ୍ଗ ଥିଲେ ମଧ୍ୟ ଦୁଇ ବିରୋଧୀ ତାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାରେ ବିଫଳ ରହିଛନ୍ତି । ଆଉ ଏବେ ଏମାନେ ନୂଆଦିଲ୍ଲୀ ଭରସାରେ ଅଛନ୍ତି । ଦଳୀୟ ହାଇକମାଣ୍ଡ ଓଡିଶା ଆସନ୍ତୁ ରାଲି କରନ୍ତୁ ଏବଂ ରାଜ୍ୟ ସରକାରଙ୍କୁ ଶାଣିତ ସ୍ୱରରେ ଟାର୍ଗେଟ କରନ୍ତୁ ବୋଲି ରାଜ୍ୟ ବିଜେପି ଓ କଂଗ୍ରେସ ଚାହୁଁଛନ୍ତି । ବିଶେଷ କରି ରାଜ୍ୟରେ କଂଗ୍ରେସର ଅବସ୍ଥା ନ କହିବା ଭଲ ।

ଅପରପକ୍ଷେ ବିଜେପିର ରାଷ୍ଟ୍ରୀୟ ସ୍ତରର ନେତା ଓଡିଶା ଆସୁଥିଲେ ହେଁ ନବୀନ ସରକାରଙ୍କୁ ଯେମିତି ଶାଣିତ ସ୍ୱରରେ ସମାଲୋଚନା କରିବା କଥା ସେମିତି କରୁ ନାହାନ୍ତି । ବିଜେଡି ସହ ହାଇକମାଣ୍ଡ ନିବିଡ ସଂପର୍କ ହିଁ ଏହାର କାରଣ । ଫଳରେ ଦିଲ୍ଲୀରୁ ଯେତେ ବଡ ବଡ ନେତା ଆସିଲେ ବି ସଭିଏ ମାପିଚୁପି ଭାଷଣ ଦେଇ ଚାଲି ଯାଉଛନ୍ତି । ଯାହା ରାଜ୍ୟ ବିଜେପି ନେତା ଓ କର୍ମୀମାନଙ୍କୁ ଉତ୍ସାହିତ କରି ପାରୁନାହିଁ । କିଛି ମାସ ତଳେ ଅମିତ୍ ଶାହ ଓଡିଶା ଗସ୍ତରେ ଆସିଥିଲେ । ଆଉ ରହଣୀକାଳରେ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ସହ ରୁଦ୍ଧ ଦ୍ୱାର ବୈଠକ କରିଥିଲେ । ଏଥିରେ ରାଜ୍ୟର କୌଣସି ବିଜେପି ନେତାଙ୍କୁ ଉପସ୍ଥିତ ରହିବାକୁ ଦିଆଯାଇ ନ ଥିଲା । ଏଥିରୁ ଆପଣ ଅନୁମେୟ କରି ପାରୁଥିବେ ରାଜ୍ୟ ବିଜେପି କରିବ ତ କଣ କରିବ । ଆଉ ସେପଟେ କଂଗ୍ରେସ ଦଳୀୟ ହାଇକମାଣ୍ଡଙ୍କୁ ଯେତେ ନିମନ୍ତ୍ରଣ କଲେ ହେଁ ସେମାନଙ୍କର ଓଡିଶାରେ ପାଦ ପଡୁନାହିଁ । ଏମିତି ସ୍ଥିତିରେ ରାଜ୍ୟ ବିଜେପି ଓ କଂଗ୍ରେସର ସ୍ଥିତି କେମିତି ବା ମଜବୁତ ହେବ ।

କିନ୍ତୁ ଏଥର ଆଶା ରଖିଛନ୍ତି ଯେ, କେନ୍ଦ୍ରୀୟ ନେତୃବୃନ୍ଦ ଦୀର୍ଘ ୨୫ ବର୍ଷ ଧରି ଓଡିଶାରେ ଶାସନ କରୁଥିବା ବିଜେଡି ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇବ । ଅନ୍ୟପଟେ କଂଗ୍ରେସ କଥା ଯଦି କହିବା, ତେବେ ଜାତୀୟସ୍ତରର ନେତା କିମ୍ବା ହାଇକମାଣ୍ଡ ଓଡିଶାକୁ ଗୁରୁତ୍ୱ ଦେଉନଥିବା ମନେ ହେଉଛି । ଦୀର୍ଘ ବର୍ଷ ହୋଇଗଲାଣି ଓଡିଶାକୁ ନା ସୋନିଆ ଗାନ୍ଧୀ ଆସୁଛନ୍ତି ନା ରାହୁଲ ଗାନ୍ଧୀ ଗସ୍ତ କରୁଛନ୍ତି । କେବଳ ପ୍ରଭାରୀ ନିଯୁକ୍ତ କରି ଦେଇ କଂଗ୍ରେସ ଦଳ ବସି ପଡୁଛି । କହିବାକୁ ଗଲେ ଉଭୟ ରାଜ୍ୟ ବିଜେପି ଓ କଂଗ୍ରେସ ନୂଆଦିଲ୍ଲୀ ହାଇକମାଣ୍ଡଙ୍କ ଦ୍ୱାରା ଅବହେଳିତ ଅବସ୍ଥାରେ ରହିଛନ୍ତି । ଯଦ୍ୱାରା ରାଜ୍ୟରେ ଦୁଇ ଦଳର ସ୍ୱର ଯେତିକି ଶାଣିତ ହେବା କଥା ତାହା ହୋଇ ପାରୁନି । ତେଣୁ ବିଜେପି ପରି ରାଜ୍ୟ କଂଗ୍ରେସ ନେତାମାନେ ଦିଲ୍ଲୀ ଯାଇ ସେଠାରେ ହାଇକମାଣ୍ଡଙ୍କ ସହ ଆଲୋଚନା କରି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାକୁ ଶ୍ରେୟ ମଣିଛନ୍ତି । ତେବେ ଦେଖିବା ବାକି ରହିଲା ଦୁଇ ଦଳର ଜାତୀୟ ନେତୃବୃନ୍ଦ ବିଜେଡି ବିରୋଧରେ କଣ ଆଭିମୁଖ୍ୟ ଆପଣଉଛନ୍ତି । କିନ୍ତୁ ଏଥିରୁ ସ୍ପଷ୍ଟ ଯେ, ରାଜ୍ୟରେ ନିଜକୁ ଅବହେଳିତ କରି ରଖିଥିବା ବିଜେପି ଓ କଂଗ୍ରେସ ବର୍ତମାନ ଦିଲ୍ଲୀ ଭରସାରେ ।