ଟଙ୍କା ଠକେଇ ଏବଂ ଅର୍ଥ ହେରଫେର ମାମଲାରେ ଏସବିଆଇର ଡେପୁଟି ମ୍ୟାନେଜର ଗିରଫ
 
        କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରେ ଋଣ ନାଁରେ ଠକେଇ ଘଟଣାରେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କର୍ମଚାରୀ ଜଣକ ହେଲେ ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ତତ୍କାଳୀନ ଡେପୁଟି ମ୍ୟାନେଜର ତଥା ଫିଲ୍ଡ ଅଫିସର ଆଶୁତୋଷ ଆଚାର୍ଯ୍ୟ। ଇଓଡବ୍ଲ୍ୟୁ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୧/୨୨ ମସିହାରେ ଆଶୁତୋଷ ନିଜ ପଦବୀର ଦୂରପଯୋଗ କରି ବିଭିନ୍ନ ବ୍ୟକ୍ତିଙ୍କ ନାମରେ ପ୍ରାୟ ୮ କୋଟି ଟଙ୍କାର ଋଣ ବେଆଇନ ଭାବେ ମଞ୍ଜୁର କରିଥିଲେ। ଏହାପରେ ଏ ସମସ୍ତ ଋଣ ଅର୍ଥକୁ ସେ ନିଜ ସମ୍ପର୍କୀୟ ମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡ଼ପ କରିଥିଲେ। ସୂଚନାଯୋଗ୍ୟ, ଅଭିଯୁକ୍ତ ଆଶୁତୋଷ ୫୯ଜଣଙ୍କ ନାମରେ ସରକାରୀ ଚାକିରିଆ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ୍ସପ୍ରେସ କ୍ରେଡିଟ ଲୋନ ମଞ୍ଜୁର କରିଥିଲେ। ଯାହାର ପରିମାଣ ରହିଥିଲା ୬ କୋଟି ୭୭ଲକ୍ଷ ୩୦ହଜାର ଟଙ୍କା। ସେହିଭଳି ସେ ୨୬ଜଣଙ୍କ ନାମରେ ୯୯ଲକ୍ଷ ୮୨ହଜାର ୭୯୫ ଟଙ୍କାର ପେନସନ ଋଣ ମଞ୍ଜୁର କରିଥିଲେ। ଏହିଭଳି ଭାବେ ସମୁଦାୟ ୮କୋଟି ୧ଲକ୍ଷ ୮୭ହଜାର ଟଙ୍କା ଋଣ ମଞ୍ଜୁର କରାଯାଇଥିଲା। ଯାହାକି ପରବର୍ତ୍ତୀ ସମୟରେ ଆଶୁତୋଷ ନିଜ ଘରଲୋକଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ। ପରେ ଋଣ ମଞ୍ଜୁର କରାଯାଇଥିବା ବ୍ୟକ୍ତିମାନେ ସରକାରୀ ଚାକିରିଆ କିମ୍ବା ପେନସନଭୋଗୀ ନ ଥିବା ଜଣାପଡ଼ିଥିଲା। ଏନେଇ ଅଭିଯୋଗ ହେବାରୁ ଆଶୁତୋଷଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ପରେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖାରେ ଏନେଇ ୧୪/୨୩ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ତଦନ୍ତରୁ ଘଟଣାର ସତ୍ୟତା ଜଣାପଡ଼ିବା ପରେ ଆଶୁତୋଷଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

 
                        
 
                                 
                                 
                                 
                                 
                                