Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍ଥିତି ପରିସ୍ଥିତି ଅତାବିରା ଏନଏସି ନିର୍ବାଚନଲୋକଙ୍କ ଭରସା ହରାଉଛି ଭାଜପା

ସ୍ଥିତି ପରିସ୍ଥିତି ଅତାବିରା ଏନଏସି ନିର୍ବାଚନ
ଲୋକଙ୍କ ଭରସା ହରାଉଛି ଭାଜପା
ଅତାବିରା -ଅତାବିରା ରେ ବହୁ ପ୍ରତୀକ୍ଷିତ ଏନଏସି ନିର୍ବାଚନ ଶେଷ ହୋଇ ଫଳାଫଳ ବି ସାମ୍ନାକୁ ଆସିଛି l ପ୍ରଥମ ଥର ପାଇଁ ଏନଏସିର ନଗରପାଳ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ରେ ବିଜେଡ଼ି ବିପୁଳ ବ୍ୟବଧାନ ରେ ବିଜୟୀ ହୋଇଛି l 12ଟି କାଉନସିଲର ରୁ 11ଟି ପଦବୀ ଅକ୍ତିଆର କରି ବିଜେଡ଼ି ତାର ଗଡ଼ ରକ୍ଷା କରିବା ସହ ନିଜର ଦବଦବା ଜାହିର କରିବାରେ ସକ୍ଷମ ହୋଇଛି l କଂଗ୍ରେସ ବି ନିଜର ସଂମ୍ମାନ ରକ୍ଷା କରି 1ନମ୍ବର ୱାର୍ଡ କାଉନସିଲର ପଦବୀକୁ ହାତେଇ ନେଇଛି l ହେଲେ ଭାଜପା ନିଜର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖି ତୃତୀୟ ସ୍ଥାନକୁ ଚାଲିଯାଇଛି l 12ଟି ୱାର୍ଡ କୁ ନେଇ 2013 ରେ ଗଠିତ ଅତାବିରା ଏନଏସି ପ୍ରଥମ ନିର୍ବାଚନ ରେ ବିଜେଡ଼ି ଓ କଂଗ୍ରେସ 6 ଟି ଲେଖାଏଁ କାଉନସିଲର ବିଜୟୀ ହୋଇଥିଲେ l କଂଗ୍ରେସ ଅଧ୍ୟକ୍ଷ ପଦବୀ ବସାଇଥିଲା l 2018 ଦ୍ୱିତୀୟ ନିର୍ବାଚନ ରେ ବିଜେଡ଼ି 12 ରୁ 12 ୱାର୍ଡ ପୋଛି ନେଇ ରାଜ କରିଥିଲା l ଭାଜପା ଖାତା ଖୋଲି ପାରି ନ ଥିଲା l ଭାଜପା ଦିନକୁ ଦିନ ନିମ୍ନ ଗାମୀ ହେଉଥିବା ଏନଏସି ଫଳାଫଳ କହୁଛି l 2018 ନିର୍ବାଚନ ରେ ବିଜେଡ଼ି କାଉନସିଲର ମାନେ 5751 ଭୋଟ ପାଇଥିବା ବେଳେ 2023 ରେ 575 ଟି ଭୋଟ ବଢ଼ି 6326 ଖଣ୍ଡ ରେ ରହିଛି l ହେଲେ ନଗରପାଳ ପଦବୀରେ ବିଜେଡ଼ି ର ସମସ୍ତ ପ୍ରାର୍ଥୀଙ୍କ ଭୋଟରୁ 239 ଖଣ୍ଡ ଅଧିକ ଅର୍ଥାତ 6565 ଟି ଭୋଟ ପାଇଁ ବନମାଳି ବରିହା ବିଜୟୀ ହୋଇଛନ୍ତି l କଂଗ୍ରେସ 2018 ରେ 1201 ଖଣ୍ଡ ଭୋଟ ପାଇଥିବା ବେଳେ ଏଥର 599 ଅଧିକ ଭୋଟ ଯୋଡି 1800 କୁ ଉନ୍ନୀତ ହୋଇ ଦ୍ୱିତୀୟ ଦଳ ଭାବେ ରହିଛି l କଂଗ୍ରେସ ର ନଗରପାଳ ପ୍ରାର୍ଥୀନୀ ସବିତା ଭୁଏ 1737 ଭୋଟ ପାଇ ଦଳକୁ ୨ୟ ସ୍ଥାନରେ ରଖିଛନ୍ତି l ତେବେ ଭାଜପା 2018 ରେ 2479 ଭୋଟ ପାଇଥିବା ବେଳେ ଚଳିତ ଥର 682 ଖଣ୍ଡ ଭୋଟ ଘଟାଇ ନିମ୍ନଗାମୀ ହୋଇ ଦ୍ୱିତୀୟ ରୁ ତୃତୀୟ ସ୍ଥାନକୁ ଖସିଛି l
ଅତାବିରାରେ ବିଜେପି ଏକଦମ ହଜି ଯାଇଥିବାପରି ମନେହେଉଛି । କେବଳ ସାଂଗଠନିକ ସଭା ବ୍ୟତିତ ଜନସାଧାରଣଙ୍କ ସମସ୍ୟା ପ୍ରତି ଦଳ ଧ୍ୟାନ ଦେଉନାହିଁ । ଏନଏସିର ଗତ ୨ଟି ଯାକ ନିର୍ବାଚନରେ ବିଜେପି ଖାତା ଖୋଲିପାରି ନ ଥିବା ବେଳେ ଚଳିତ ଥର ତୃତୀୟ ସ୍ଥାନକୁ ଦଳ ଖସିଛି । ଅତୀତରେ ବିଜେପି ବିଧାୟକ ଜିତାଇଥିବା ଅତାବିରା ବ୍ଲକରେ ଏବେ କର୍ମୀର ଘୋର ଅଭାବ ଦେଖିବାକୁ ମିଳୁଛି । ଅବଶ୍ୟ ନେତା ମାଲ ମାଲ ଅଛନ୍ତି l ନିର୍ବାଚନ ମଣ୍ତଳି ପୁନଃଗଠନ ପରେ ସମ୍ବଲପୁରରୁ ଅଲଗା ହୋଇ ଅତାବିରା ନିର୍ବାଚନ ମଣ୍ତଳୀ ଗଠନ ହୋଇଥିଲା । ଏଠାରୁ ପ୍ରତିନିଧିତ୍ବ କରୁଥିବା ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏ ଅଞ୍ଚଳ ପ୍ରତି ଆଉ ଧ୍ୟାନ ଦେଲେନାହିଁ । ଏନଏସି ନିର୍ବାଚନ ପ୍ରଚାର କୁ ବି ଆସିଲେ ନାହିଁ l ସାଂସଦ ସୁରେଶ ପୂଝରୀ ବି ଶେଷ ୨ ଦିନ ଖାମଖିଆଲି ପ୍ରଚାର କଲେ l ଫଳରେ ସଂଗଠନର କର୍ମୀ ଓ ଦଳର ସମର୍ଥକ ମଧ୍ୟ ଧିରେଧିରେ ଦୁର୍ବଳ ହୋଇ ଦୁରେଇବାରେ ଲାଗିଲେ, ଯାହାକି ସଦ୍ୟ ପ୍ରକାଶିତ ଅତାବିରା ଏନଏସି ନିର୍ବାଚନ ଫଳାଫଳ ବଖାଣୁଛି l ଅତାବିରାରେ ୩ଥର ଦଳୀୟ ବିଧାୟକ ପ୍ରାର୍ଥି ହୋଇଥିବା ମିଳନ ସେଠ ମଧ୍ୟ ସଂଗଠନକୁ ମଜବୁତ କରିପାରିଲେ ନାହିଁ । ଏବେ ଅତାବିରାରେ ବିଜେପିର ମାଳମାଳ ନେତା ଦେଖିବାକୁ ମିଳୁଛି ଫଳରେ କର୍ମୀମାନେ ମଧ୍ୟ ଫାଳଫାଳ ହୋଇ ଯାଇଥିବା ଆଲୋଚନା ହେଉଛି । କେତେକ ସ୍ଥାନୀୟ ନେତା ନିଜର ସ୍ବାର୍ଥପାଇଁ ବୀଭିଷଣ ସାଜିଛନ୍ତି ବୋଲି କର୍ମୀ ମହଳରେ ଆଲୋଚନା ଆରମ୍ଭ ହୋଇଗଲାଣି । ଗତ ସାଧାରଣ ନିର୍ବାଚନରେ ଟିକେଟ ପାଇଁ ପ୍ରବଳ ଦାବୀଦାର ଥିବା ଉର୍କୁଲୁ ତାଣ୍ତି ଶେଷ ମୁହୁର୍ତ୍ତରେ ଟିକେଟରୁ ବଞ୍ଚିତ ହୋଇଥିଲେ । ଫଳରେ ବିଜେପିର ଟିକେଟ ଘୋଷଣା ଦିନ ବିଜେଡି ଅତାବିରାରେ ବାଣ ଫୁଟାଇଥିଲା । ବିଜେପି ଦଳରେ ନେତାର ଅଭାବ ନଥିବାବେଳେ କର୍ମୀର ଘୋର ଅଭାବ ଦେଖାଦେଇଛି । ଗତ ସବୁ ଏନ୍ଏସି ନିର୍ବାଚନରେ ବିଜେପି ଅତାବିରାରେ ଗୋଟିଏ ବି ୱାର୍ଡରେ ବିଜୟୀ ନ ହେବା ଦଳ ପାଇଁ ଚିନ୍ତାର କାରଣ l ଆଗାମୀ ସାଧାରଣ ନିର୍ବାଚନରେ ଦଳର ମନୋବଳକୁ ଏହା ଦୁର୍ବଳ କରିବ ବୋଲି ଚର୍ଚ୍ଚା ହେଉଛି ।

କଂଗ୍ରେସ ଗୋଟିଏ କାଉନସିଲର ଦୀପକ ରାୟ ଙ୍କୁ ଜିତାଇ ସଂମ୍ମାନ ତ ନିଶ୍ଚୟ ରଖିଛି ହେଲେ ସ୍ଥିତି ସେତେଟା ଭଲ ନାହିଁ l ଦୀପକ 343 ଭୋଟ ପାଇ ଜିତିଥିବା 1ନମ୍ବର ୱାର୍ଡ ରେ କଂଗ୍ରେସ ଦଳ ନଗରପାଳ ପ୍ରାର୍ଥୀନୀ 233 ଭୋଟ ପାଇଛନ୍ତି l ତେଣୁ ଦଳ ମୋଟାମୋଟି ପ୍ରଦର୍ଶନରେ ଉନ୍ନତି କରିଥିଲେ ବି ଆଶା ଜନକ ହୋଇପାରି ନାହିଁ l ଏଠାରେ ଗୋଟିଏ ୱାର୍ଡରେ କଡ଼ା ଟକ୍କର୍‌ରେ ଜିତିଛି। ଅନ୍ୟ ୬ଟି ୱାର୍ଡରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି। ବିଜେପି ଭଳି କଂଗ୍ରେସ୍ ବି ୬ଟି ୱାର୍ଡରେ ଭୋଟ୍ ସଂଖ୍ୟା ଶତକ ଟପାଇବାରେ ବିଫଳ ହୋଇଛି। ଦଳ ଏଠାରେ ପୂର୍ବତନ ବିଧାୟକ ତଥା ବର୍ତମାନର ଜିଲା ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିଥିଲା । ଏକଦା କଂଗ୍ରେସ୍‌ର ଗଡ଼ ଥିବା ଅତାବିରାରେ ଦଳର ସ୍ଥିତି ସେତେଟା ଭଲ ନାହିଁ l
ତେବେ ବିଜେଡ଼ି ପୁଣି ଥରେ ନିଜର ଗଡ଼ ରକ୍ଷା କରିଛି l ନଗରପାଳ ସହ 11ଟି କାଉନସିଲର ପଦବୀ ହାତେଇବାରେ ସଫଳ ହୋଇଛି l ଯାହାକି 2024 ସାଧାରଣ ନିର୍ବାଚନ ରେ ଦମ୍ଭ ଦେଇଛି l ଏନ୍ଏସି ନୁହଁ, ବରଂ ସାଧାରଣ ନିର୍ବାଚନ ଭଳି ବିଜେଡି କ୍ଷେତ୍ରକୁ ଓହ୍ଲାଇଥିଲା। ଯାହାର ଫଳ ବିଜେଡି ପାଇଛି। ପ୍ରଥମ ଥର ପାଇଁ ଏନ୍‌ଏସି ଅଧ୍ୟକ୍ଷ ପାଇଁ ସିଧା ଭୋଟ୍ ପଡ଼ିଥିଲା। ୧୦,୦୪୯ଟି ଭୋଟ୍‌ରୁ ବିଜେଡି ଏକାକୀ ୬୫୬୫ ଭୋଟ୍ ହାତେଇ ପ୍ରତିଦ୍ବନ୍ଦୀଙ୍କୁ ବହୁ ପଛକୁ ଠେଲି ଦେଇଥିଲା। ସ୍ଥାନୀୟ
ବିଧାୟିକା ସ୍ନେସାଂଗିନୀ ଛୁରିଆଙ୍କ ନେତୃତ୍ବରେ ରଣନୀତି ଓ ପ୍ରଚାରକୁ ଦଳ ଶ୍ରେୟ ଦେଇ ରାଜ୍ୟ ସ୍ତରୀୟ ନେତା, ମନ୍ତ୍ରୀ ଲାଗି ପଡ଼ିଥିଲେ l ପ୍ରତି ୱାର୍ଡ ରେ ନେତା ମନ୍ତ୍ରୀ ଙ୍କ ଡେରା ପକାଇ ଭୋଟରଙ୍କ ନିକଟତର ହୋଇ ଫଳାଫଳ ନିଜ ଆଡ଼କୁ ଆଣିଥିଲେ ।
ଏମାନଙ୍କ ମୁହଁରୁ…………………
“ବିକାଶଧାରାକୁ ଆହୁରି ତ୍ବରାନ୍ବିତ କରାଯିବ”
ଏନ୍‌ଏସି ନିର୍ବାଚନରେ ଅଧ୍ୟକ୍ଷ ଓ କାଉନସିଲରଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିଥିବାରୁ ଅତାବିରାବାସୀଙ୍କୁ କୃତଜ୍ଞତା ଜଣାଉଛି। ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ ଜନହିତକାରୀ ଯୋଜନାଗୁଡ଼ିକ ସୂଚାରୁ ରୂପେ ହୋଇଛି। ରାସ୍ତାଘାଟ, ପାନୀୟ ଜଳ, ଶ୍ମଶାନ, ଆଦର୍ଶ ସ୍କୁଲ, ଇନ୍‌ଡୋର ଷ୍ଟାଡିୟମ, ଏସ୍ଏଚ୍‌ଜିଙ୍କ ମିସନ ଶକ୍ତି ଗୃହ, ଜାଗା ମିସନ ଆଦି କରାଯାଇଛି। ଆଗାମୀ ଦିନରେ ବିକାଶଧାରାକୁ ଆହୁରି ତ୍ବରାନ୍ବିତ କରାଯିବ l
ସ୍ନେହାଙ୍ଗିନୀ ଛୁରିଆ, ଅତାବିରା ବିଧାୟିକା

“କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ବଢୁଛି ”
ଶାସକ ଦଳ, କଳ, ବଳ, ମନ୍ତ୍ରୀ ନେତାଙ୍କ ସହ କଂଗ୍ରେସ ଲଢେଇ କରିଥିଲା l ଜନମତକୁ ସଂମ୍ମାନ ସହ ସ୍ୱାଗତ କରୁଛୁଁ l ଆମର ଯୁବ ପ୍ରାର୍ଥୀ ଦୀପକ ରାୟଙ୍କୁ ବିଜୟ କରାଇଥିବା ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେଇ ଅଧ୍ୟକ୍ଷ ପଦବୀ ରେ କଂଗ୍ରେସକୁ ଦ୍ବିତୀୟ ଦଳ ଭାବେ ବାଛିଥିବାରୁ ସମସ୍ତ ଏନଏସି ବାସୀଙ୍କୁ କୃତଜ୍ଞତା ଜଣାଉଛୁ। ଦଳ ଦୁର୍ନୀତି, ଅନ୍ୟାୟ, ପିସି କାରବାର, ସଟ୍ଟା ଜୁଆ ବିରୋଧରେ ଆଗାମୀ ଦିନରେ ଲଢ଼େଇ କରିବ। ନିଶ୍ଚିତ ଭାବେ ଭବିଷ୍ୟତରେ କଂଗ୍ରେସ ପ୍ରତି ଲୋକ ଆସ୍ଥା ଭାଜନ ହେଉଛନ୍ତି l 2024ରେ ନିଶ୍ଚୟ ପରିବର୍ତ୍ତନ ହେବ l
ନିହାର ରଞ୍ଜନ ମହାନନ୍ଦ, ପୂର୍ବତନ ବିଧାୟକ ତଥା ଜିଲା କଂଗ୍ରେସ ସଭାପତି ବରଗଡ଼

“ଏନଏସି ନିର୍ବାଚନ ରେ ଲୋକେ ଆମକୁ ଭରସା କରୁନାହାଁନ୍ତି ”
ଅତାବିରା ଏନଏସି ନିର୍ବାଚନର ଫଳାଫଳ ଆମ ପାଇଁ ନିଶ୍ଚିତ ଭାବେ ନୈରାଶ୍ୟଜନକ ଅଟେ l ଶାସକ ଦଳ ପଦ୍ମପୁର ଉପ ନିର୍ବାଚନ ଭଳି ପ୍ରତି ୱାର୍ଡରେ 5/7 ଶହ ଟି ଭୋଟ ପାଇଁ ରାଜ୍ୟ ସ୍ତରୀୟ ନେତା ମନ୍ତ୍ରୀ ମାନେ ସେଠି ଡେରା ପକାଇଲେ ଓ ଜିତିଲେ l ସାଧାରଣ ନିର୍ବାଚନ ରେ ସେଠି ଆମେ ଅଧିକ ଭୋଟ ପାଇଥିଲୁଁ ମାତ୍ର ଏନଏସି ନିର୍ବାଚନ ରେ ଲୋକେ ଭରଷା କରିପାରୁ ନାହାଁନ୍ତି ଭାଜପା ଜିତିବ ବୋଲି, ଆଗରୁ ଦଳ ସୁଦୃଢ ନ ଥିଲା l ନିଶ୍ଚିତ ଭାବେ ଆଶନୁରୂପ ହୋଇ ନାହିଁ l ଆମକୁ ତର୍ଜମା କରିବାକୁ ପଡ଼ିବ l ଅତାବିରା ରେ ଦଳୀୟ ସ୍ଥିତିକୁ ଆହୁରି ସୁଦୃଢ କରିବାକୁ ପଦକ୍ଷେପ ନିଆଯିବ l
ସୁରେଶ୍ୱର ଶତପଥି, ଭାରତୀୟ ଜନତା ପାର୍ଟି (ଭାଜପା ନେତା )