ହାଇଟେକ୍ ଟ୍ରାଜେଡି: ନିଜକୁ ଦିଲୀପ କହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ, ମାଆର ଅଭିଯୋଗ- ପୁଅକୁ ମୋର ମାରି ଦେଲେ


ଭୁୁବନେଶ୍ୱର: ଭୁୁବନେଶ୍ୱର ହାଇଟେକ୍ ମେଡିକାଲ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ନିଜକୁ ଦିଲୀପ କହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତ୍ୟୁ ନେଇ ହାଇଟେକ୍ ସିଇଓ ସ୍ମିତା ପାଢୀଙ୍କ ସୂଚନା । ଅନ୍ୟପଟେ ପୁଅକୁ ହାଇଟେକ୍ ହସ୍ପିଟାଲ୍ ମାରି ଦେଇଥିବା କହିଛନ୍ତି ଦିଲୀପଙ୍କ ମାଆ ।

ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ହାଇଟେକ୍ ସିଇଓ କହିଛନ୍ତି ଯେ, ନିଜକୁ ଦିଲୀପ ବୋଲି କହୁଥିବା ବ୍ୟକ୍ତିଙ୍କ ଭୋର ସକାଳୁ ମୃତ୍ୟୁ ଘଟିଛି । ରାତିରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭେଂଟିଲେଟରରେ ଭର୍ତି କରାଯାଇଥିଲା । ଆମେ ମୃତଦେହକୁ ପୋଲିସକୁ ହସ୍ତାନ୍ତର କରିବୁ । ମୃତଦେହ କାହାକୁ ଦିଆଯିବ ପୋଲିସ ଏହା ଉପରେ ନିଷ୍ପତି ନେବ । ମୃତକ ନିଜକୁ ଦିଲୀପ କହୁଥିବା ଲେଖି ପୋଲିସକୁ ଜଣାଇବୁ । ପୋଲିସ ଡିଏନଏ ଟେଷ୍ଟ ପାଇଁ କହିଲେ ତାହା କରିବୁ ।

ପୁଅକୁ ମାରି ଦେଇଥିବା କହିଛନ୍ତି ଦିଲୀପଙ୍କ ମାଆ । ସେ କହିଛନ୍ତି ପୁଅକୁ ଜାଣିଶୁଣି ମାରି ଦିଆଯାଇଛି । ପୁଅ ଜୀବିତ ଥିବା ଶୁଣି ମେଡିକାଲ୍ ଧାଇଁ ଆସିଥିଲି। ଗୋଟାଏ ରାତି ଯାଏ ପୁଅ ଭଲ ଥିଲା ଆଉ ମୋ ସହ କଥା ହୋଇଥିଲା । ରାତି ୨ଟାରେ ହଠାତ କୁହାଗଲା ତୁମ ପୁଅ ଅବସ୍ଥା ସଙ୍କଟାପନ୍ନ ରହିଛି । ରାତି ୩ଟାରେ ଆସି କହିଲେ ତୁମ ପୁଅ ଆଉ ଦୁନିଆରେ ନାହିଁ ।

ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ହାଇଟେକ୍ ହସ୍ପିଟାଲରେ ଏସି କମ୍ପରେସର ଫାଟି ଯିବାରୁ କାହାର ଏବଂ କେତେ ଜଣଙ୍କ ମୃତ୍ୟୁ ଘଟିଛି ତାହା ଏ ଯାଏଁ ସନ୍ଦେହ ଘେରରେ ରହିଛି । ବିଶେଷ କରି ଦିଲୀପ ସାମନ୍ତରାୟ ଓ ଜ୍ୟୋତିରଞ୍ଜନ ସାହୁଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲ୍ କର୍ତୃପକ୍ଷ ଏବେ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି । ଦିଲୀପଙ୍କ ମୃତ୍ୟୁ ଘଟିଥିବା ଖବର ଶୁଣି ତାଙ୍କ ଗର୍ଭବତୀ ପତ୍ନୀ ଆତ୍ମହତ୍ୟା କରିଛନ୍ତି । ପରେ ଜଣା ପଡିଲା ଦିଲୀପ ବଂଚିଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି । କିନ୍ତୁ ଆଜି ଭୋର ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି ।

ପ୍ରଥମେ କୁହାଗଲା ଦିଲୀପଙ୍କ ମୃତ୍ୟୁ ଘଟିଛି ଏବଂ ଜ୍ୟୋତିରଞ୍ଜନ ଜୀବିତ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଜାରି ରହିଛି । କିନ୍ତୁ ପରବର୍ତୀ ସମୟରେ ଘଟଣାରେ ଟୁଇଷ୍ଟ ଆସିଥିଲା । ଚିକିତ୍ସାଧୀନ ଥିବା ବ୍ୟକ୍ତି ନିଜକୁ ଦିଲୀପ ବୋଲି କହିଥିଲେ ଏବଂ ଦିଲୀପ ଜୀବିତ ଥିବା ଓ ବାସ୍ତବରେ ଜ୍ୟୋତିରଞ୍ଜନଙ୍କ ମୃତ୍ୟୁ ଘଟିଥିବା ମେଡିକାଲ୍ ପକ୍ଷରୁ କୁହାଗଲା । ସେପଟେ ପୁଅ ବଂଚିଥିବା ଭାବି ଆଶ୍ୱସ୍ତ ଥିବା ଜ୍ୟୋତିରଞ୍ଜନଙ୍କ ପରିବାର ଏହାକୁ ଗ୍ରହଣ କରି ପାରୁ ନାହାନ୍ତି । ସେପଟେ ପ୍ରଥମେ ଦିଲୀପଙ୍କ ମୃତ୍ୟୁ ଘଟିଥିବା ଖବର ଦିଆଯିବା ପରେ ତାଙ୍କ ପତ୍ନୀ ଆତ୍ମହତ୍ୟା କରିବା ଘଟଣା ବେଶ ମର୍ମାହତ କରିଛି ।