ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଯାତ୍ରା ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି । ଲାକ୍ଷାଦ୍ୱୀପର ସୁନ୍ଦରତା ଦେଖି ଲୋକେ ଏବେ ସେଠାକୁ ବୁଲି ଯିବାକୁ ଯୋଜନା କଲେଣି । ଏହା ମଧ୍ୟରେ ମାଳଦ୍ୱୀପର ଜଣେ ମନ୍ତ୍ରୀଙ୍କ ଏକ୍ସରେ ପୋଷ୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ବିବାଦ ଦେଖା ଦେଇଛି । ମନ୍ତ୍ରୀ ଅବଦୁଲ୍ଲା ମହଜୁମ ମାଜିଦ ଭାରତ ମାଳଦ୍ୱୀପକୁ ଟାର୍ଗେଟ୍ କରୁଥିବା ଅଭିଯୋଗ କରିଛନ୍ତି । ଭାରତର ସମୁଦ୍ର ତଟ ପର୍ଯ୍ୟଟନରେ ମାଳଦ୍ୱୀପ ଟକ୍କର ଦେଉଛି, ଯାହାକୁ ଭାରତ ସହି ପାରୁନି । ମନ୍ତ୍ରୀଙ୍କ ଏଭଳି ପୋଷ୍ଟ ଦେଖି ଭାରତୀୟ ୟୁଜର୍ସ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ଆଉ ଏବେ #boycottmaldives ଟ୍ରେଣ୍ଡ ହେବାରେ ଲାଗିଛି । ଲୋକେ ମନ୍ତ୍ରୀଙ୍କୁ ଏହା ଉପରେ ଅପଡେଟ୍ ରହିବାକୁ ମଧ୍ୟ ପରାମର୍ଶ ଦେଉଛନ୍ତି । ଲୋକଙ୍କ କହିବା କଥା ଭାରତ ନିକଟରେ ମାଳଦ୍ୱୀପଠୁ ଅଧିକ ସୁନ୍ଦର ସମୁଦ୍ର କୂଳ ଲାକ୍ଷାଦ୍ୱୀପ ରହିଛି । ତେଣୁ ଏବେ ଭାରତୀୟଙ୍କୁ ବିଦେଶ ଯିବାର ଆବଶ୍ୟକତା ନାହିଁ ।
ପିଏମ ମୋଦୀ ନିକଟରେ ଲାକ୍ଷାଦ୍ୱୀପ ଯାତ୍ରାରେ ସମୁଦ୍ରର ଗଭୀର ଜଳକୁ ପ୍ରବେଶ କରି ସ୍କାର୍କଲିଙ୍ଗର ମଜା ଉଠାଇଥିଲେ । ସେ ଏହି ସମୟର ଅତି ମନୋରମ ଏବଂ ରୋମାଂଚିତ କରିବା ଭଳି ଦୃଶ୍ୟ ଏକ୍ସରେ ପୋଷ୍ଟ କରିଥିଲେ । ଆରବ ସାଗରରେ ସ୍ଥିତ ଦ୍ୱୀପରେ କଟାଇଥିବା ନିଜର ଅନୁଭବ ବାଂଟିଥିଲେ। ସେ ଲେଖିଥିଲେ, ଯେଉଁଲୋକେ ରୋମାଂକାରୀ ଅନୁଭବ ନେବାକୁ ଚାହାନ୍ତି ସେମାନଙ୍କ ଯାତ୍ରା ତାଲିକାରେ ଲାକ୍ଷାଦ୍ୱୀପ ରହିବା ଉଚିତ୍ ।
ସୂଚନାଯୋଗ୍ୟ, ପିଏମ ମୋଦୀଙ୍କ ଲାକ୍ଷାଦ୍ୱୀପ ଯାତ୍ରାକୁ ନେଇ ମାଳଦ୍ୱୀପର ମନ୍ତ୍ରୀଙ୍କ ପୋଷ୍ଟ ଠିକ୍ ସେହି ସମୟରେ ଆସିଛି ଯେତେବେଳେ ଆମର ଏହି ପଡୋଶୀ ଦେଶ ସହ ସଂପର୍କରେ ତିକ୍ତତା ଆସିଛି । ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତକୁ ନିଜର ସେନା ହଟାଇବାକୁ ମଧ୍ୟ ଦାବି କରିଛନ୍ତି । ମୁଇଜୁ ଏହା ମଧ୍ୟ କହିଥିଲେ, ଯଦି ଭାରତ ଆମ ଦେଶରୁ ନିଜର ସେନା ହଟାଇବା ନାହିଁ ତେବେ ଏହା ଆମର ସ୍ୱାଧୀନତା ପ୍ରତି ଅପମାନ ହେବ । ଏହା ମାଳଦ୍ୱୀପରେ ଗଣତନ୍ତ୍ରର ଭବିଷ୍ୟତ ପ୍ରତି ଅପମାନ ହେବ ।