ହାଇଟେକ୍ ହସ୍ପିଟାଲ୍ ଟ୍ରାଜେଡି: ମେଡିକାଲ୍‌ କର୍ତୃପକ୍ଷ, ସରକାରୀ କଳ ନିଜକୁ ଦେଉଛନ୍ତି କ୍ଲିନ୍ ଚିଟ୍‌, ତେବେ ଦୋଷୀ କିଏ ?


ଭୁବନେଶ୍ୱର: ରାଜ୍ୟରେ ଯେତେ ପ୍ରାଇଭେଟ୍ ହସ୍ପିଟାଲ୍ ରହିଛି ସେମାନଙ୍କର ଦାୟିତ୍ୱ ହୀନତା କେତେ ତଳ ସ୍ତରକୁ ଯାଇପାରେ ତାହାର ଜ୍ୱଳନ୍ତ ଉଦାହରଣ ରାଜ୍ୟର ପ୍ରତିଷ୍ଠିତ ମେଡିକାଲ କଲେଜ ହାଇଟେକ୍ ମେଡିକାଲରେ ଡିସେମ୍ବର ୨୯ ତାରିଖରେ ଘଟିଥିବା ବିସ୍ଫୋରଣ ଘଟଣାରେ ଦେଖିବାକୁ ମିଳିଛି । ମେଡିକାଲ କର୍ତୃପକ୍ଷଙ୍କ ଦାୟିତ୍ୱ ହୀନତା ଯେ କେମିତି ବହୁମୂଲ୍ୟ ଜୀବନ ନେଇଗଲା ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁଠୁ ଅଧିକ ବିଡମ୍ବନାର ବିଷୟ ଏହି ଘଟଣାରେ ରାଜ୍ୟ ସରକାରଙ୍କ ବିଭାଗ ଓ ଏଜେନ୍ସିମାନେ ମେଡିକାଲ୍ କର୍ତୃପକ୍ଷଙ୍କୁ ଘଂଟ ଘୁଡାଇବାରେ ତିଳେ ହେଲେ କୁଣ୍ଠାବୋଧ କଲେନି । ଶବ ଚିହ୍ନଟରେ ଘୋର ଅବ୍ୟବସ୍ଥା କାରଣରୁ ଜଣେ ଗଭର୍ବତୀ ମହିଳା ଆତ୍ମହତ୍ୟା କରିବା ଭଳି ଦାରୁଣ ଘଟଣା ଘଟିଗଲା । ଏତେ ବଡ ଘଟଣାରେ ରାଜ୍ୟ ସରକାରଙ୍କ କାର୍ଯ୍ୟନିଷ୍ଠା ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ସ୍ୱାସ୍ଥ୍ୟ ବିଭାଗ ଓ ଶ୍ରମ ବିଭାଗ କୁଆଡେ ଗଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଗତ ୨୯ ତାରିଖରେ ହାଇଟେକ୍ ହସ୍ପିଟାଲରେ ଏସି କମ୍ପରେସର ଫାଟି ଯିବାରୁ କାହାର ଏବଂ କେତେ ଜଣଙ୍କ ମୃତ୍ୟୁ ଘଟିଛି ତାହା ଏ ଯାଏଁ ସନ୍ଦେହ ଘେରରେ ରହିଛି । ବିଶେଷ କରି ଦିଲୀପ ସାମନ୍ତରାୟ ଓ ଜ୍ୟୋତିରଞ୍ଜନ ସାହୁଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲ୍ କର୍ତୃପକ୍ଷ ଏବେ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି । ଦିଲୀପଙ୍କ ମୃତ୍ୟୁ ଘଟିଥିବା ଖବର ଶୁଣି ତାଙ୍କ ଗର୍ଭବତୀ ପତ୍ନୀ ଆତ୍ମହତ୍ୟା କରିଛନ୍ତି । ପରେ ଜଣା ପଡିଲା ଦିଲୀପ ବଂଚିଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି । କିନ୍ତୁ ଆଜି ଭୋର ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି ।

ପ୍ରଥମେ କୁହାଗଲା ଦିଲୀପଙ୍କ ମୃତ୍ୟୁ ଘଟିଛି ଏବଂ ଜ୍ୟୋତିରଞ୍ଜନ ଜୀବିତ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଜାରି ରହିଛି । କିନ୍ତୁ ପରବର୍ତୀ ସମୟରେ ଘଟଣାରେ ଟୁଇଷ୍ଟ ଆସିଥିଲା । ଚିକିତ୍ସାଧୀନ ଥିବା ବ୍ୟକ୍ତି ନିଜକୁ ଦିଲୀପ ବୋଲି କହିଥିଲେ ଏବଂ ଦିଲୀପ ଜୀବିତ ଥିବା ଓ ବାସ୍ତବରେ ଜ୍ୟୋତିରଞ୍ଜନଙ୍କ ମୃତ୍ୟୁ ଘଟିଥିବା ମେଡିକାଲ୍ ପକ୍ଷରୁ କୁହାଗଲା । ସେପଟେ ପୁଅ ବଂଚିଥିବା ଭାବି ଆଶ୍ୱସ୍ତ ଥିବା ଜ୍ୟୋତିରଞ୍ଜନଙ୍କ ପରିବାର ଏହାକୁ ଗ୍ରହଣ କରି ପାରୁ ନାହାନ୍ତି । ସେପଟେ ପ୍ରଥମେ ଦିଲୀପଙ୍କ ମୃତ୍ୟୁ ଘଟିଥିବା ଖବର ଦିଆଯିବା ପରେ ତାଙ୍କ ପତ୍ନୀ ଆତ୍ମହତ୍ୟା କରିବା ଘଟଣା ବେଶ ମର୍ମାହତ କରିଛି ।

ହସ୍ପିଟାଲ୍ କର୍ତୃପକ୍ଷ ସିଧାସଳଖ ଏଥିରେ ଆମର କୌଣସି ଭୁଲ୍ ନାହିଁ ବୋଲି କହୁଛନ୍ତି । କର୍ତୃପକ୍ଷଙ୍କ କହିବା କଥା ଆମେ ମୃତଦେହ ପୋଲିସକୁ ହସ୍ତାନ୍ତର କରିଛୁ । ତେଣୁ ଆପଣମାନେ ଆମ ଉପରେ ଦୋଷ ଲଦି ପାରିବେ ନାହିଁ । ସେପଟେ ପୋଲିସ ଆଇନ ଏବଂ ପ୍ରକ୍ରିୟା ଅନୁସାରେ ନିଜ କାମ କରିଥିବା କହିଛି । ହସ୍ପିଟାଲ୍ କର୍ତୃପକ୍ଷ ଦିଲୀପ ସାମନ୍ତରାୟ ନାଁ କହି ଆମକୁ ମୃତଦେହ ହସ୍ତାନ୍ତର କରିଥିବା ପୋଲିସ ଯୁ୍‌କ୍ତି ବାଢୁଛି । ମେଡିକାଲ୍‌, ପୋଲିସ ଓ ସରକାରୀ ଏଜେନ୍ସି ସମସ୍ତେ ନିଜ ଉପରୁ ଦୋଷ ଉଠାଇ ନିଜକୁ କ୍ଲିନ ଚିଟ୍ ଦେବାକୁ ଲାଗି ପଡିଛନ୍ତି । ଆଉ ସବୁ ଦୋଷ ଯେମିତି ପରିବାର ଲୋକଙ୍କ ଉପରେ ଲଦି ଦେବାକୁ ରୀତିମତ ଚେଷ୍ଟା ଚାଲିଛି । ପରିବାର ଲୋକଙ୍କ କଥା ଶୁଣିବାକୁ କେହି ପ୍ରସ୍ତୁତ ନାହାନ୍ତି ।

ହସ୍ପିଟାଲରେ ଏସି କମ୍ପରେସର ପରି ସମ୍ବେଦନଶୀଳ କାମ ହେବାରେ ଫାୟର ଡିପାର୍ଟମେଂଟର ଗାଇଡଲାଇନ ପାଳନ କରାଯାଇଛି କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ ସୃଷ୍ଟି କରିଛି । ବିଶେଷ କେରି ସନ୍ଧ୍ୟା ସମୟରେ ଏଭଳି କାମ କରିବାକୁ ଅନୁମତି ଥିଲା କି ନାହିଁ । ଯଦି ଏହାର ମରାମତି ଅତି ଜରୁରୀ ଥିଲା ସେ ସଂପର୍କିତ ଗାଇଡଲାଇନ ପାଳନ କରାଯାଇଛି କି ନାହିଁ ତା ଉପରେ କେହି ନଜର ପକାଉ ନାହାନ୍ତି । ଦୁଭାର୍ଗ୍ୟର ବିଷୟ ପୋଲିସ ଓ ସଂସ୍ଥା ମିଶି କି ଏମିିତି ମାହୋଲ ସୃଷ୍ଟି କରୁଛନ୍ତି ଯେଉଁଥିରେ ଆପଣ ବୁଝିବା କଷ୍ଟ ଯେ, ବାସ୍ତବରେ ମେଡିକାଲ୍ ଭିତରେ କଣ ଚାଲିଛି । ହାଇଟେକ୍ କୁ ସୁରକ୍ଷା ଦେବାରେ ପୋଲିସ ଓ ଅନ୍ୟ ଏଜେନ୍ସି ଲାଗି ପଡିଛନ୍ତି ବୋଲି ଜନମାନସରେ ଖୁବ୍ ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଏହି ପୁରା ଘଟଣାରେ ପରିବାର ଲୋକଙ୍କୁ ଚୁପ୍ ରହିବା ପାଇଁ ମେଡିକାଲ୍ କର୍ତୃପକ୍ଷଙ୍କ ପକ୍ଷରୁ ମୋଟା ଅଙ୍କର ଅର୍ଥ ମଧ୍ୟ ଯଚା ଯାଇଛି । ପରିବାର ଲୋକଙ୍କୁ ନା ନା ପ୍ରକାରର ପ୍ରଲୋଭନ ମଧ୍ୟ ଦିଆଯାଉଛି । ଏମିିତି ମାହୋଲ ତିଆରି କରାଗଲା ଯେ, ଜଣେ ସାଧାରଣ ଲୋକଟିଏ ବୁଝି ପାିରବ ନାହିଁ ଯେ ବାସ୍ତବରେ ଦିଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଛି ନା ଜ୍ୟୋତିରଞ୍ଜନଙ୍କ ମୃତ୍ୟୁ ଘଟିଛି । ଏମିତି ଏକ ସମ୍ବେଦନଶୀଳ ଘଟଣାରେ କେହି ଉତରଦାୟୀ ହେବାକୁ ମଧ୍ୟ ପ୍ରସ୍ତୁତ ନୁହନ୍ତି । ଏତେ ସବୁ ଭିତରେ ପରିବାର ଲୋକଙ୍କୁ ଏହା ବାଧୁଛି ଯେ, ମେଡିକାଲ୍ କର୍ତୃପକ୍ଷ ଶବ ଚିହ୍ନଟ କରିବାର ମୌଳିକ କାମଟିଏ ମଧ୍ୟ କରି ପାରିଲାନି ।