ଭାରତର ୧୬ ସବୁଠୁ ପ୍ରଦୂଷିତ ସହରରେ ଓଡିଶାର ୬ ସହର


ଭୁବନେଶ୍ୱର: ଓଡିଶାରେ ବାୟୁ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ସ୍ଥିତି ଏମିତି ଯେ, ରାଜ୍ୟର ଅନେକ ସହରର ବାୟୁ ପ୍ରଦୂଷଣ ଦିଲ୍ଲୀ ପରି ରହିଛି । ବାୟୁ ଗୁଣବତ୍ତା ସୂଚକାଙ୍କ ଅନୁଯାୟୀ ଓଡିଶାର ଛଅଟି ସହର ବର୍ତ୍ତମାନ ଭାରତର ୧୬ ଟି ପ୍ରଦୂଷିତ ସହର ମଧ୍ୟରେ ଅଛି।

ସହର ଗୁଡିକ ହେଉଛି ଭୁବନେଶ୍ୱର, କଟକ, ଅନୁଗୁଳ, ବାଲେଶ୍ୱର, କେନ୍ଦୁଝର ଏବଂ ତାଳଚେର । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ସ୍ଥିର ହୋଇଥିବା ଜାତୀୟ ପରିବେଶ ବାୟୁ ଗୁଣବତ୍ତାକୁ ଏହି ଛଅ ସହର ବଜାୟ ରଖିବାରେ ବିଫଳ ହୋଇଛି। ଏହି ସମସ୍ତ ଛଅଟି ସହରରେ ଜାନୁଆରୀ ୮ ରେ ଏକ୍ୟୁଆଇ ୩୦୦ ରୁ ଅଧିକ ରହିଥିଲେ । ଯାହା ବାୟୁ ଗୁଣବତ୍ତାର ଅତ୍ୟନ୍ତ ଖରାପ ବର୍ଗରେ ଆସିଥାଏ ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ୩୦୧ ରୁ ୪୦୦ ମଧ୍ୟରେ ଏକ୍ୟୁଆଇ ଅତ୍ୟନ୍ତ ନିମ୍ନମାନ ବୋଲି ଧରାଯାଏ । ଏହା ଦୀର୍ଘ ସମୟର ଶ୍ୱାସକ୍ରିୟା ରୋଗ ସୃଷ୍ଟି କରେ ।

ବାଲେଶ୍ୱରର ଏକ୍ୟୁଆଇ ଜାତୀୟ ରାଜଧାନୀ ଦିଲ୍ଲୀଠୁ ବିପଜ୍ଜନକ ଅଛି। ସେହିପରି ସୋମବାର ଅନୁଗୁଳରେ ଏକ୍ୟୁଆଇ ୩୫୨ ଥିଲା । କଟକ ଓଡିଶାର ଦ୍ୱିତୀୟ ପ୍ରଦୂଷିତ ସହର ଥିବା ବେଳେ ଭୁବନେଶ୍ୱର ଏବଂ ବାଲେଶ୍ୱରରେ ଏକ୍ୟୁଆଇ ୩୩୪ ରେକର୍ଡ କରିଥିବା ବେଳେ କେନ୍ଦୁଝର ଏବଂ ତାଳଚେରରେ ଯଥାକ୍ରମେ ୩୨୬ ଏବଂ ୩୦୪ ଏକ୍ୟୁଆଇ ରେକର୍ଡ କରାଯାଇଥିଲା । ସେହିଭଳି ରାଇରଙ୍ଗପୁର ଏବଂ ବଡବିଲରେ ଯଥାକ୍ରମେ ୩୦୦ ଏବଂ ୨୯୨ ର ଏକ୍ୟୁଆଇ ରେକର୍ଡ କରାଯାଇଛି ।

ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ, ଭୁବନେଶ୍ୱରରେ ବାୟୁ କଣିକା ବିପଦଜ୍ଜନକ ସ୍ତରରେ ରହିଛି । ଏକ୍ୟୁଆଇ ଯେତେ ଅଧିକ ରହିବ ବାୟୁ ପ୍ରଦୂଷଣ ସେତେ ଅଧିକ ରହିବ ।