ଝାରସୁଗୁଡ଼ା ଉପ-ନିର୍ବାଚନ; ବ୍ଲକ ଓ ମ୍ୟୁନିସିପାଲିଟିରେ ବରିଷ୍ଠ ନେତାଙ୍କୁ ଗୁରୁ ଦାୟିତ୍ବ ଦେଲା ବିଜେଡି


ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତତ୍ପରତା ଦେଖାଇଛି ବିଜେଡି। ଉପନିର୍ବାଚନ ଲାଗି ବ୍ଲକ ଓ ପୌର ପରିଷଦ ପର୍ଯ୍ୟବେକ୍ଷକ ଭାବେ ବିଜେଡି ୫ ମନ୍ତ୍ରୀଙ୍କ ସହ ୭ ବରିଷ୍ଠ ନେତାଙ୍କୁ ଦେଇଛି ଦାୟିତ୍ୱ । ପୂର୍ବରୁ ପ୍ରଥମ ଦଳ ଭାବେ ଝାରସୁଗୁଡା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିସାରିଛି ବିଜେଡି। ନବ ଦାସଙ୍କ ଝିଅ ଦୀପାଳିଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହାସହିତ ଦଳ ଉପନିର୍ବାଚନର ସଠିକ ତଦାରଖ ପାଇଁ ୩ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି। ଏହାପରେ ଆଜି ଦଳ ଝାରସୁଗୁଡ଼ା ବିଧାନସଭା ଆସନର ୪ ବ୍ଲକ ଓ ଗୋଟିଏ ପୌର ପରିଷଦରେ ପର୍ଯ୍ୟବେକ୍ଷକ ଭାବେ ୧୨ ଜଣଙ୍କୁ ନିଯୁକ୍ତି ଦେଇଛି ।

କିରମିରା ବ୍ଲକ ପର୍ଯ୍ୟବେକ୍ଷକ ଭାବେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ମନ୍ତ୍ରୀ ଟୁକୁନି ସାହୁ ନିଯୁକ୍ତ ହୋଇଥିବା ବେଳେ କୋଲାବିରା ବ୍ଲକ ପର୍ଯ୍ୟବେକ୍ଷକ ଭାବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସରୋଜ ମେହେରଙ୍କୁ ଦାୟିତ୍ୱ ଦିଆଯାଇଛି । ପଦ୍ମନାଭ ବେହେରା ଓ ଅରୁଣ ସାହୁଙ୍କୁ ଝାରସୁଗୁଡ଼ା ବ୍ଲକ ପର୍ଯ୍ୟବେକ୍ଷକ, ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଲଇକେରା ବ୍ଲକ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ଝାରସୁଗୁ଼ଡ଼ା ପୌର ପରିଷଦ ଦାୟିତ୍ୱରେ ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂ ଦେଓ, ସ୍ନେହାଙ୍ଗିନୀ ଛୁରିଆ ଓ ମନ୍ତ୍ରୀ ରୀତା ସାହୁ ରହିଛନ୍ତି ।

ଆସନ୍ତା ମେ ୧୦ରେ ହେବ ଝାରସୁଗୁଡା ଉପନିର୍ବାଚନ। ମେ ୧୩ରେ ହେବ ଭୋଟ ଗଣତି।