ପୁରୀ: ପରିକ୍ରମା ପ୍ରକଳ୍ପର ଉଦଘାଟନ ପାଇଁ ପୁରୀରେ ସୁରକ୍ଷା ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଡିଜିପି ଅରୁଣ ଷଡଙ୍ଗୀ । ହେଲିପ୍ୟାଡ, ଶ୍ରୀସେତୁ, ସମଙ୍ଗ ପାର୍କିଂ, ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଂଟର ସହ ଅନ୍ୟାନ୍ୟ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଏହି ସମୟରେ ତାଙ୍କ ସହ ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, କେନ୍ଦ୍ରାଂଚଳ ଆଇଜି ଆଶିଷ ସିଂଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଉଲ୍ଲେଖନୀୟ ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବ ।
ପୁରୀରେ ସୁରକ୍ଷା ସ୍ଥିତି ଅନୁଧ୍ୟାନ ପରେ ଡିଜିପି କହିଛନ୍ତି, ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେନ୍ଦ୍ରାଂଚଳ ଆଇଜି ଓ ଏସପି ଏହାର ତଦାରଖ କରିବେ । ପୁରୀକୁ ସଂପୂର୍ଣ୍ଣ ଭାବେ ସିକ୍ୟୁରିଟି ବ୍ଲାଙ୍କେଟ ଭିତରେ ରଖାଯିବ । ୧୭ ତାରିଖ ଲୋକାର୍ପଣରେ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ । ଟ୍ରାଫିକ, ଭିଆଇପି ଓ ସମସ୍ତ ଭକ୍ତଙ୍କ ପାଇଁ ବ୍ୟବସ୍ଥା କରାଯିବ । ୧୦୦ ସୁପରଭାଇଜର, ୨୫୦ ଏସଆଇ ଓ ଏସଆଇ ଦାୟିତ୍ୱରେ ରହିବେ । ବୋମା ନିଷ୍କ୍ରିୟକାରୀ ଟିମ୍, କେନାଇନ ସ୍କ୍ୱାଡ ମୁତୟନ ରହିବେ । ସୁରୁଖୁରୁରେ ଯେମିତି ସମସ୍ତ କାର୍ଯ୍ୟ ସଂପାଦନ ହେବ ସେ ନେଇ ବ୍ୟବସ୍ଥା ହୋଇଥିବା ଡିଜିପି ଅରୁଣ ଷଡଙ୍ଗୀ କହିଛନ୍ତି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପାଇଁ ଆଜିଠାରୁ ବାହାର ରାଜ୍ୟରୁ ଅତିଥିଙ୍କ ଆଗମନ ହେଉଛି । ସେମାନଙ୍କ ରହଣି ଓ ଆତିଥ୍ୟ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜିଠାରୁ ତିନି ଦିନ ବ୍ୟାପୀ ଯଜ୍ଞ ଆରମ୍ଭ ହେଉଛି । ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଯାତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।