ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପରେ ଏବେ ଅର୍ପଣ ରଥ ଜରିଆରେ ସଂଗୃହୀତ ଗୁଆ ଚାଉଳକୁ ନେଇ ରାଜନୀତି ଜୋର ଧରିଛି । ଏହିକ୍ରମରେ ଗୁଆ ଚାଉଳକୁ ନେଇ କଡା ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ମିଡିଆ ସେଲର ମୁଖିଆ ବିଜୟ ପଟ୍ଟନାୟକ । ବିଜୟ କହିଛନ୍ତି, ଗୋଟିଏ ଭୁଲକୁ ଘୋଡାଇବାକୁ ବାରମ୍ବାର ଭୁଲ୍ କରୁଛନ୍ତି ସରକାର । ଗୋଟିଏ ଭୁଲକୁ ଅସ୍ୱୀକାର କଲେ ଆଉ ଏକ ଭୁଲ୍ ହେବ ।
ସେ ଏହା ମଧ୍ୟ କହିଛନ୍ତି, ଜଗନ୍ନାଥଙ୍କ ନାଁରେ ଚାଉଳ ମାଗିବା କେତେ ଗ୍ରହଣୀୟ ଥିଲା ତାହା ସରକାରଙ୍କୁ ଭାବିବାର ଥିଲା । ଯଦି ବି ଚାଉଳ ଆଣିଲେ ତାକୁ ସେହି ଦିନ ବ୍ୟବହାର କରିବାର ଥିଲା । କିନ୍ତୁ ଏପରି ହେଲା ନାହିଁ । କିଛି ଜାଗାରେ ଚାଉଳକୁ ବିଜେପି କର୍ମୀ ଭୋଜି କରି ଖାଇ ସାରିଲେଣି । ଏହା ଏକ ଦଳୀୟ ଯୋଜନା, ତେଣୁ ଦଳ କାର୍ଯ୍ୟକ୍ରମରେ ବ୍ୟବହାର କଲେ । ଏହା ଦ୍ୱାରା ଜଗନ୍ନାଥଙ୍କୁ ଅଧିକରୁ ଅଧିକ ଅବମାନନା କରାଯାଉଛି । ଏହା ଜଗନ୍ନାଥ ଭକ୍ତଙ୍କୁ ବହୁତ ମର୍ମାହତ କରୁଛି ବୋଲି ବିଜୟ ପଟ୍ଟନାୟକ କହିଛନ୍ତି ।
ଏହା ପୂର୍ବରୁ ଅର୍ପଣ ରଥକୁ ନେଇ ବିଜୟ ରାଜ୍ୟ ସରକାରଙ୍କୁ କଡା ଶବ୍ଦରେ ସମାଲୋଚନା କରିଥିଲେ । ଅର୍ପଣ ରଥକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ମହାପ୍ରଭୁଙ୍କ ସୋଲ ମୂର୍ତି କରି ଟ୍ରକ ପଛରେ ବୁଲେଇ ଚାଉଳ ମଗାଯାଉଛି । ଅସ୍ମିତାକୁ ଯଦି ବୁଝିଥାନ୍ତେ ତା ହେଲେ ମହାପ୍ରଭୁଙ୍କୁ ଭିକାରୀ ସଜେଇ ନ ଥାନ୍ତେ । ଲୋକେ ଭକ୍ତିରେ ଦେଉଥିବା ଚାଉଳକୁ ବିଜେଡି କର୍ମୀ ଭୋଜି କରୁଛନ୍ତି । ଏ କି ପ୍ରକାର ପ୍ରହସନ ଚାଲିଛି । ମହାପ୍ରଭୁଙ୍କୁ ନେଇ ଏ କି ଖେଳ ଚାଲିଛି ବୋଲି ବିଜୟ କହିଥିଲେ ।