ଅର୍ପଣ ରଥରେ କେତେ ଖର୍ଚ୍ଚ ହୋଇଛି ତାର ହିସାବ ଦିଅନ୍ତୁ ସରକାର: କଂଗ୍ରେସ


ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହୋଇ ସାରିଛି । ତେବେ ଅର୍ପଣ ରଥକୁ ନେଇ ବିବାଦ ଥମିବାର ନାଁ ଧରୁନି । ଅର୍ପଣ ରଥ ଜରିଆରେ ଘର ଘର ବୁଲି ଗୁଆ ଚାଉଳ ସଂଗ୍ରହ କରାଯାଇ ଜଗନ୍ନାଥଙ୍କୁ ଭିକାରି ସଜା ଯାଇଥିବା ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ କରି ଆସିଛନ୍ତି। ଅର୍ପଣ ରଥରେ ଯେଉଁଭଳି ଭାବେ ଜଗନ୍ନାଥଙ୍କୁ ବୁଲାଗଲା ସେ ନେଇ ବିଭିନ୍ନ ସ୍ଥାନରେ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏବେ କଂଗ୍ରେସ ପ୍ରଶ୍ନ ଉଠାଇଛି ଯେ, ଅର୍ପଣ ରଥ ବୁଲାରେ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାର ହିସାବ ଦିଅନ୍ତୁ । ସରକାରୀ ଅର୍ଥରେ ଅର୍ପଣ ରଥ ଜରିଆରେ ବିଜେଡି ନିଜର ନିର୍ବାଚନ ପ୍ରଚାର କରିଥିବା କଂଗ୍ରେସ ଅଭିଯୋଗ କରିଛି ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ କହିଛନ୍ତି, ଜଗନ୍ନାଥଙ୍କ ନାମରେ ହଜାର ହଜାର କ୍ୱିଂଟାଲ ଚାଉଳ, ପ୍ରଚୁର ପରିମାଣରେ ଗୁଆ ଓ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହୋଇଛି । ସେସବୁ ଚାଉଳ, ଗୁଆ, ଟଙ୍କା ଇତ୍ୟାଦି ମନ୍ଦିରକୁ ଆସିନାହିଁ କିମ୍ବା ତାର ହିସାବ ମଧ୍ୟ ନାହିଁ । ଅର୍ପଣ ରଥରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ସରକାର ତାର ହିସାବ ଦିଅନ୍ତୁ । ରତ୍ନ ଭଣ୍ଡାର ଚାବି ହଜିଯିବା ପ୍ରସଙ୍ଗରେ ସରକାରଙ୍କ ପାଖରେ କୌଣସି ଉତର ନାହିଁ । ଜଗନ୍ନାଥଙ୍କ ଅମୃତ ମଣୋହି ଜମିକୁ ରାଜ୍ୟ ସରକାର ଘରୋଇ ଶିଳ୍ପ ସଂସ୍ଥା ବେଦାନ୍ତକୁ ଟେକି ଦେଲେ । ସରକାରଙ୍କ ଜଗନ୍ନାଥଙ୍କ ପ୍ରତି ଭକ୍ତି କେତେ ଅସଲ ଚେହେରା ପଦାରେ ପଡି ସାରିଛି ।

ସୂଚନାଯୋଗ୍ୟ, ଅର୍ପଣ ରଥ ବୁଲିବା ପାଇଁ ରାଜ୍ୟ ସରକାର ରାଜସ୍ୱରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ମହାନଗର ଅଧିନରେ ଥିବା ପ୍ରତି ୱାର୍ଡକୁ ୫ ଲକ୍ଷ, ପଂଚାୟତ ପିଛା ୨ ଲକ୍ଷ, ଏନଏସି ୱାର୍ଡକୁ ଏକ ଲକ୍ଷ ଏବଂ ମ୍ୟୁନିସିପାଲଟି ୱାର୍ଡକୁ ୨ ଲକ୍ଷ ଟଙ୍କା ଦିଆଯାଇଥିଲା । ଆଉ ଆଦାୟ ହୋଇଥିବା ଚାଉଳ ଗାଁଗୁଡିକର ମନ୍ଦିର ମାନଙ୍କରେ ଗଦା ହୋଇଥିବା ଦେଖିବାକୁ ମିଳିଛି ।