ସମ୍ବଲପୁର:ଶ୍ରୀରାମ ବାନରସେନା ମାଧ୍ୟମରେ ଅଧର୍ମ ବିରୁଦ୍ଧରେ ଧର୍ମର ବିଜୟ ପାଇଁ ରାମସେତୁ ନିର୍ମାଣ କରାଇଥିଲେ । ସେହିପରି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଦାରିଦ୍ର୍ୟକୁ ହ୍ରାସ କରି ଲୋକ ମାନଙ୍କୁ ଆତ୍ମନିର୍ଭର କରିବା ସହ ସେମାନଙ୍କୁ ସ୍ୱାଭିମାନୀ କରିବା ପାଇଁ ବଜ୍ର ପ୍ରତିଜ୍ଞା କରିଛନ୍ତି ବୋଲି ଶନିବାର ସମ୍ବଲପୁର ଜିଲ୍ଲା ରେମେଡ଼ ଛକ ଠାରେ ହିତାଧିକାରୀଙ୍କୁ କମ ସୁଧରେ ଋଣ ଦେବା ପାଇଁ ଆୟୋଜିତ ଋଣ ମେଳା ‘କ୍ରେଡିଟ୍ ଆଉଟରିଚ୍ କାର୍ଯ୍ୟକ୍ରମ’ରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମୋଦି ସରକାରରେ ରିଟେଲ ଲୋନ, ଜନଧନ, ମୁଦ୍ରା, ଷ୍ଟାଣ୍ଡ୍ ଅପ୍, ପିଏମ୍ ସ୍ୱନିଧି ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କମ ସୁଧରେ ଋଣ ପ୍ରଦାନ କରିବା ଭଳି ଏନଆରଏଲଏମ ଭଳି ବିଭିନ୍ନ ଯୋଜନାରେ ନାଗରିକଙ୍କୁ ଋଣ ପ୍ରଦାନ କରାଯାଇ ସଶକ୍ତ ଓ ସ୍ୱାବଲମ୍ବୀ କରାଯାଉଛି । କିଷାନ କ୍ରେଡିଟ୍ କାର୍ଡରେ କୃଷି ଋଣ ସମେତ ମତ୍ସ୍ୟଚାଷ ଓ କୁକୁଡା ପାଳନ ପାଇଁ ଋଣ ଉପଲବ୍ଧ କରାଯିବାର ଯୋଜନା ଫଳରେ ଚାଷୀମାନେ ଉପକୃତ ହେଉଛନ୍ତି । ଆଜି ଋଣ ସମ୍ପ୍ରସାରଣ ମେଳା ମାଧ୍ୟରେ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ପ୍ରାୟ ୭୦ ହଜାର ୬୮୯ ଜଣ ହିତାଧିକାରୀଙ୍କୁ ୨୨୮୯ କୋଟି ଟଙ୍କାର ବିଭିନ୍ନ ଋଣ ଓ ସହାୟତା ପ୍ରଦାନ କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଏବଂ ବ୍ୟାଙ୍କ୍ ସମୂହକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।
ମୋଦି ସରକାରରେ ଗରିବ, ପଛୁଆ ଓ ବଞ୍ଚିତ ଲୋକମାନଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯଇଛି । ଭାରତକୁ ଆତ୍ମନିର୍ଭର ଭାରତ ପାଇଁ ହେଲେ ବଟମ ଅଫ୍ ପିରାମିଡ ତଥା ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କ ଦାୟିତ୍ୱ ନେବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଜ୍ଞା କରିଛନ୍ତି । ଓଡ଼ିଶାରେ ପୂର୍ବରୁ ୧୦୦ ଟଙ୍କା ଜମା କଲେ ୩୦ ରୁ ୩୫ ପ୍ରତିଶତ ଋଣ ଦିଆଯାଉଥିଲା । ମୋଦି ସରକାରରେ ୧୦୦ ଟଙ୍କା ଜମା ମୂଲ୍ୟରେ ହାରାହାରି ୬୧ ପ୍ରତିଶତ ଋଣ ଦିଆଯାଉଛି । ମୋଦି ସରକାରଙ୍କ ସଫଳ ନୀତି ଓ କଲ୍ୟାଣକାରୀ ଯୋଜନା କାରଣରୁ ଦେଶର ୨୪.୮ କୋଟି ଏବଂ ଓଡ଼ିଶାର ପ୍ରାୟ ୧ କୋଟି ଲୋକ ଦ୍ରାରିଦ୍ରରୁ ମୁକ୍ତ ହୋଇ ବିକାଶ ସହ ଯୋଡ଼ି ହୋଇଛନ୍ତି ।
ପୂର୍ବରୁ ଓଡ଼ିଶାରେ ଋଣ ସହାୟତା ୬୭ ହଜାର କୋଟି ଟଙ୍କା ଥିବା ବେଳେ ମୋଦି ସରକାରରେ ଏହା ତିନି ଗୁଣା ବୃଦ୍ଧି ପାଇ ୨ ଲକ୍ଷ ୧୪ କୋଟି ଟଙ୍କାରେ ପହଞ୍ଚିଛି । ଓଡ଼ିଶାରେ ୨୦୧୪ ପର୍ଯ୍ୟନ୍ତ ଓଡ଼ିଶାରେ ୪୩୩୮ଟି ବ୍ୟଙ୍କ୍ ଥିଲା । ଏବେ ଓଡ଼ିଶାରେ ବିଗତ ୧୦ ବର୍ଷ ଭିତରେ ୧୫୦୦ରୁ ଅଧିକ ବ୍ୟାଙ୍କ୍ ସୃଷ୍ଟି ହୋଇଛି । ଓଡ଼ିଶାରେ ୬ ହଜାର ୬୦ ବ୍ୟଙ୍କ ଖାଖା ହୋଇଛି । ୭,୩୮୦ ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କ ଶାଖା ଅଛି । ୪୮,୯୨୩ ବ୍ୟାଙ୍କ ମିତ୍ର ଗାଁରେ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନରେ ଗରିବ, ମହିଳା, ଚାଷୀ ଓ ଯୁବକଙ୍କ ସମେତ କୌଳିକ ବୃତ୍ତିଧାରୀମାନଙ୍କୁ ସ୍ୱଳ୍ପ ସୁଧରେ ଋଣ ସହାୟତା ଦିଆଯାଉଥିବା ଦ୍ୱାରା ସେମାନେ ଆତ୍ମନିର୍ଭର ହେଉଛନ୍ତି । ସମ୍ପନ୍ନତା ଆସିଲେ ସ୍ୱାଭିମାନ ଆସେ । ସ୍ୱାଭିମାନ ଆସିଲେ ସ୍ୱରାଜ୍ୟ ଆସେ । ସ୍ୱରାଜ୍ୟକୁ ହିଁ ରାମ ରାଜ୍ୟ କୁହାଯାଏ । ସମାଜରେ ସନ୍ତୁଳିତ ବିକାଶ ଆଣିବା ପାଇଁ ମୋଦି ସରକାର ବଦ୍ଧପରକର ।
ଆଇଆଇମ୍ ସମ୍ବଲପୁରରେ ଭାରତର ସର୍ବପ୍ରଥମ ‘କ୍ରାଫ୍ଟ ଇନକ୍ୟୁବେସନ ସେଣ୍ଟର’ର ଲୋକାର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ବୟନଶିଳ୍ପରେ କାମ କରୁଥିବା ମାତୃଶକ୍ତି ମାନଙ୍କୁ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବା ସହ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ଆଜିର ଏହି ବ୍ୟବସ୍ଥା ସମ୍ବଲପୁର ସମେତ ଆଖପାଖ ଅଞ୍ଚଳର ମହିଳା ବୁଣାକାରଙ୍କୁ ଦକ୍ଷ କରିବା ଦିଗରେ ଏକ ପ୍ରମୁଖ ମାଧ୍ୟମ ହେବ । ବୁଣାକାର ଆଗକୁ ଗଲେ ହିଁ ଅଞ୍ଚଳ ବିକଶିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।
ଏହି ଋଣ ମେଳାରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଯୋଗଦେଇଥିଲେ ।
ଋଣ ମେଳା:ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ୭୦ ହଜାର ୬୮୯ ଜଣ ହିତାଧିକାରୀଙ୍କୁ ୨୨୮୯ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ – ଧର୍ମେନ୍ଦ୍ର ପ୍ରଧାନ
