ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲାର ଜୀବନରେଖା କୁହାଯାଉଥିବା ମହାନଦୀ ଉପରେ ବୀରମହାରାଜପୁର ବ୍ଲକ ର ଜଟେସିଙ୍ଘା ପଞ୍ଚାୟତ ଅନ୍ତର୍ଗତ ଗୋଧନେଶ୍ବର ଠାରେ ହେବାକୁଥିବା ଅନ୍ତନଦୀ ଜଳାଶୟ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଆଭାସୀ ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାନୀୟ ଜଟେସିଙ୍ଘା ହାଇସ୍କୁଲ ପ୍ରାଙ୍ଗଣରେ ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା , ଜିଲ୍ଲାପାଳ ବିମଳେନ୍ଦୁ ରାୟ , ଅତିରିକ୍ତ ଜିଲ୍ଲାପାଳ ସୁର୍ଯ୍ୟ ନାରାୟଣ ଦାଶ , କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ବିନୀ ମେହେର ପ୍ରମୁଖ ଯୋଗ ଦେଇଥିଲେ I ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଏହି ପ୍ରକଳ୍ପ ରାଜ୍ୟ ସରକାର ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ଏହି ପ୍ରକଳ୍ପ ଦ୍ବାରା ବିଶେଷ ଭାବରେ ଉଭୟ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର କୃଷକ , ମତ୍ସ୍ୟଜିବି , ପଶୁପାଳକ ଉପକୃତ ହେବା ସହିତ ବନ୍ୟା କୁ ମଧ୍ୟ ନିୟନ୍ତ୍ରିତ କରାଯାଇ ପାରିବ ବୋଲି କହିଥିଲେ।
ଶନିବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପୌରହିତ୍ଯରେ , ଫାଇଭ୍ ଟି ଅଧ୍ୟକ୍ଷ ଭି .କେ ପାଣ୍ଡିଆନଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନୁ ଗର୍ଗ ପ୍ରକଳ୍ପ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅନ୍ତନଦୀ ଜଳାଶୟ ଯୋଜନା ନଦୀ ଭିତରେ ଜଳ ସଂରକ୍ଷଣ ପାଇଁ ରାଜ୍ୟ ସରକାର ୧୦୨୪କୋଟି ୮୧ ଲକ୍ଷ ଟଙ୍କା ମଞ୍ଜୁରୀ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଲେ l ସରକାର ସବୁବେଳେ ଚାଷୀ , ମହିଳା ଓ ସମସ୍ତ ଜନ ସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ଦୀର୍ଘମିଆଦୀ ଯୋଜନା କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର କୃଷି ପରାମର୍ଶ ଦାତା କମିଟିର ଅଧ୍ୟକ୍ଷ ବିବଶ୍ବତି ପଣ୍ଡା ମୁଖ୍ୟମନ୍ତ୍ରୀ ଓ ଫାଇଭ୍ ଟି ଅଧ୍ୟକ୍ଷଙ୍କୁ ଅଞ୍ଚଳବାସୀ ଙ୍କ ତରଫରୁ କୃତଜ୍ଞତା ଜଣାଇ ଥିଲେ I ଏହି ପ୍ରକଳ୍ପ ମାଧ୍ୟମରେ ଚାଷୀ , ମାଛଚାଷୀ ମାନଙ୍କ ସହିତ ଇକୋ ଟୁରିଜିମ୍ ବିକଶିତ ହେବ ଏବଂ ଅଞ୍ଚଳରେ ଦାଦନ ସଂଖ୍ୟା ରହିବ ନାହିଁ ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ ଏହି ପ୍ରକଳ୍ପ ବିନା ବିସ୍ଥାପନ ଏବଂ ବିନା ଜମି ଅଧିଗ୍ରହଣ ରେ କାର୍ଯ୍ୟକାରୀ ହେବ । ଏହାଦ୍ବାରା ଉଭୟ ଜିଲ୍ଲାର ପାନୀୟ ଜଳ ସମସ୍ଯା ସମାଧାନ ସହିତ ଉଠାଜଳସେଚନ ମାଧ୍ୟମରେ ହଜାର ହଜାର ଚାଷୀ ଉପକୃତ ହେବେ ଏବଂ ବଢି ଓ ମରୁଡ଼ିର ସମାସ୍ୟା ରହିବ ନାହିଁ l ଗୋଧନେଶ୍ବର ପ୍ରକଳ୍ପ ରେ ୭୬ ଟି ଫାଟକ ନିର୍ମାଣ କରିବାର ବ୍ୟବସ୍ଥା ରହିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର 30 ଖଣ୍ଡ ଗାଁର କୃଷକ ଉପକୃତ ହେବେ l ଜଳାଶୟ ର ହାରାହାରି ଜଳପତ୍ତନ 4 ମିଟର ରହୁ ଥିବାରୁ ଦୁଇଟି ମେଗା ଉଠାଜଳସେଚନ ପ୍ରକଳ୍ପ ସହିତ ଶତାଧିକ ପ୍ରକଳ୍ପ ପାଇଁ ଜଳ ର ଅସୁବିଧା ରହିବ ନାହିଁ ବୋଲି ଜଳ ସେଚନ ବିଭାଗ ତରଫରୁ ସୁଚନା ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂ , ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ଛତ୍ରିଆ , ତହସିଲଦାର ଅମୃତ ଲାଲ୍ ବେହେରା , ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା , ବୀରମହାରାଜପୁର ବିଜେଡ଼ି ବ୍ଳକ ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ , ଜିଲ୍ଲାପରିଷଦ ସଭ୍ୟା ଚନ୍ଦ୍ର କାନ୍ତି ଦନ୍ତା , ସରପଞ୍ଚ ସଂଘ ସଭାପତି ଶ୍ରୀୟା କର୍ମୀ , ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି , ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ ଏବଂ ବିଭିନ୍ନ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ମାନ୍ୟଗନ୍ୟ ବ୍ୟକ୍ତି ସମେତ ବହୁ ସଂଖ୍ଯାରେ ଜନସାଧାରଣ ସାମିଲ ଥିଲେ । ଏହି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ପରେ ସମଗ୍ର ବୀରମହାରାଜପୁର ଅଞ୍ଚଳବାସୀ ଙ୍କ ମନରେ ଆନନ୍ଦ ଖେଳିଯାଇଛି l
ଗୋଧନେଶ୍ୱର ସ୍ଥିତ ମହାନଦୀରେ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
