ବିରାଜିଲେ ଶ୍ରୀରାମ, ମୋଦୀଙ୍କ ହାତରେ ପ୍ରାଣ ପ୍ରତିଷ୍ଠା ସଂପନ୍ନ, ଆକାଶରୁ ହେଲା ପୁଷ୍ପ ବର୍ଷା


ଅଯୋଧ୍ୟା: ସେହି ଐତିହାସିକ ମୁହୂର୍ତ ଉପନ୍ନୀତ ହୋଇଛି । ଶହ ଶହ ବର୍ଷର ସଂଘର୍ଷ ପରେ ଶେଷରେ ବିରାଜିଲେ ପ୍ରଭୁ ଶ୍ରୀରାମ । ଏହା ସହିତ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ ହୋଇଛି । କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କରିଛନ୍ତି । ଏହି ସମୟରେ ମୁଖ୍ୟ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ନିର୍ବାହ କରିଛନ୍ତି । ଏହି ସମୟରେ ଗର୍ଭଗୃହରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଉପସ୍ଥିତ ଥିଲେ । ଏହା ସହିତ ଉତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ୍ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ । ପ୍ରାଣ ପ୍ରତିଷ୍ଠା ବେଳେ ହେଲିକପ୍ଟରରୁ ଆକାଶ ମାର୍ଗରୁ ପୁଷ୍ପ ବର୍ଷା ହୋଇଛି । ପ୍ରାଣ ପ୍ରତିଷ୍ଠାର ଶୁଭ ମୁହୂର୍ତ ୮୪ ସେକେଣ୍ଡ ରହିଥିଲା ।

ଏହା ସହିତ ପ୍ରାଣ ପ୍ରତିଷ୍ଠା ପରେ ଗର୍ଭଗୃହରୁ ରାମଲାଲାଙ୍କ ପ୍ରଥମ ଛବି ସାମ୍ନାକୁ ଆସିଛି । ରାମଲାଲା ସ୍ୱର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ହୋଇଛି । ପ୍ରଭୁ ରାମ ହାତରେ ଧନୁ ଓ ତୀର ଧାରଣ କରିଛନ୍ତି । ଏହା ପୂର୍ବରୁ ପିଏମ ନରେନ୍ଦ୍ର ମୋଦୀ ରାମଲାଲାଙ୍କ ପୂଜାର୍ଚ୍ଚନା କରି ମୂର୍ତିର ଅନାବରଣ କରିଛନ୍ତି ।

ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପୋଷ୍ଟ କରି କହିଥିଲେ, ପ୍ରାଣ ପ୍ରତିଷ୍ଠା ଉତ୍ସବ ସଂପନ୍ନ ହୋଇଛି । ୭୦୦୦ରୁ ଅଧିକ ଉପସ୍ଥିତ ଥିଲେ । ପ୍ରାଣ ପ୍ରତିଷ୍ଠା ସଂପନ୍ନ ପରେ ଏହି ଐତିହାସିକ ମୁହୂର୍ତର ସାକ୍ଷୀ ହୋଇଥିବା ଅତିଥିମାନେ ରାମଲାଲାଙ୍କ ଦର୍ଶନ କରିବେ । ସମାରୋହ କାର୍ଯ୍ୟକ୍ରମକକୁ ପିଏମ ମୋଦୀଙ୍କ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।