ଗୁଞ୍ଜି ଉଠିବ ରାମ ନାମ, ମକ୍କା ଓ ଭାଟିକାନର ରେକର୍ଡ ଭାଙ୍ଗିବ; ପ୍ରତିବର୍ଷ ପହଂଚିବେ ୧୦ କୋଟି ଭକ୍ତ


ଅଯୋଧ୍ୟା: ଅଯୋଧ୍ୟାରେ ରାମଲାଲା ବିରାଜମାନ ହେବା ସହିତ ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଭାରତ ଓ ପୁରା ଦୁନିଆରେ ରହୁଥିବା ରାମଭକ୍ତଙ୍କ ପାଇଁ ଏହା ଅତ୍ୟନ୍ତ ଭାବୁକ କ୍ଷଣ ଥିଲା । ଏବେ ଅଯୋଧ୍ୟାରେ ଭକ୍ତଙ୍କ ପ୍ରବଳ ଆଗମନ ହେବାକୁ ଯାଉଛି । ଅନୁମାନ କରାଯାଉଛି ବର୍ଷକୁ ରାମ ମନ୍ଦିରକୁ ପ୍ରାୟ ୧୦ କୋଟି ଶ୍ରଦ୍ଧାଳୁଙ୍କ ଆଗମନ ହୋଇପାରେ, ଯାହା ଦୁନିଆରେ କୌଣସି ବି ଧାର୍ମିକ ସ୍ଥଳଠୁ ବହୁତ ଅଧିକ । ମକ୍କାକୁ ପ୍ରତି ବର୍ଷ ୨ କୋଟି ଲୋକ ଆସୁଥିବା ବେଳେ ଭାଟିକାନକୁ ୯୦ ଲକ୍ଷ ଲୋକଙ୍କ ଆଗମନ ଘଟିଥାଏ । ଏହି ପରିସଂଖ୍ୟାନକୁ ଦେଖିଲେ ରାମ ମନ୍ଦିର ବହୁ ଗୁଣରେ ଆଗରେ ରହିଛି ।

ତଥ୍ୟ ମୁତାବକ ଆନ୍ଧ୍ର ପ୍ରଦେଶର ତିରୁପତି ବାଲାଜି ମନ୍ଦିରରେ ପ୍ରତି ବର୍ଷ ୨.୫ କୋଟି ଶ୍ରଦ୍ଧାଳୁ ଆସିଥାନ୍ତି । ଭଗବାନ ଭେଙ୍କଟେଶ୍ୱରଙ୍କ ଏହି ପବିତ୍ର ମନ୍ଦିରର ସାରା ଦୁନିଆରେ ସ୍ୱତନ୍ତ୍ରତା ରହିଛି । ବହୁ ସଂଖ୍ୟାରେ ଲୋକେ ଏଠାରେ ଦାନ ଦେଇଥାନ୍ତି । ସେହିପରି ବୈଷ୍ଣଦେବୀକୁ ପ୍ରତି ବର୍ଷ ୯୦ ଲକ୍ଷ ଶ୍ରଦ୍ଧାଳୁ ଯାତ୍ରା କରିଥାନ୍ତି । ଇସଲାମର ସବୁଠୁ ପବିତ୍ର ସ୍ଥଳ କୁହାଯାଉଥିବା ମକ୍କାକୁ ଯାଉଥିବା ଲୋକଙ୍କ ସଂଖ୍ୟା ବର୍ଷକୁ ୨ କୋଟି ରହିଛି । ଉଲ୍ଲେଖନୀୟ ରାମ ମନ୍ଦିର ନିର୍ମାଣ ସମୟରେ ହିଁ ୨୦୨୨ରେ ଅଯୋଧ୍ୟାକୁ ୨.୨୧ କୋଟି ଲୋକଙ୍କ ଆଗମନ ଘଟିଥିଲା । ଏଥିରୁ ଜାଣି ପାରୁଥିବେ ଆଗାମୀ ସମୟରେ କେତେ ଶ୍ରଦ୍ଧାଳୁଙ୍କ ଅଯୋଧ୍ୟାରେ ପ୍ରତିବର୍ଷ ଭିଡ ଜମିବାକୁ ଯାଉଛି ।

ପ୍ରତ୍ୟେକ ବର୍ଷ ରାମ ମନ୍ଦିରରେ ପ୍ରାୟ ୧୦ କୋଟି ଶ୍ରଦ୍ଧାଳୁ ପହଂଚିବାର ଅନୁମାନ କରାଯାଉଛି, ଯାହା ପୂରା ଇଣ୍ଡଷ୍ଟ୍ରୀ ପାଇଁ ବଡ ଉତ୍ସାହର କଥା । ଅଯୋଧ୍ୟାରେ ହୋଟେଲ ଇଣ୍ଡଷ୍ଟ୍ରୀ, ଇନଫ୍ରାଷ୍ଟ୍ରକଚର ଓ ଏଫଏମସିଜି ବ୍ୟବସାୟରେ ମଧ୍ୟ ଅହେତୁକ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି । ସେମିତିରେ ବି ଅଯୋଧ୍ୟାରେ ବ୍ୟାପକ ମାତ୍ରାରେ ଭିତିଭୂମି କାମ ଜାରି ରହିଛି । ସଡକ, ହୋଟେଲ, ଷ୍ଟେସନ, ବସ୍ ଷ୍ଟାଣ୍ଡ ଓ ଏୟାରପୋର୍ଟ ସମେତ ଅନେକ ବ୍ୟବସ୍ଥା କରାଯାଇଛି । ଏସବୁକୁ ଦେଖିଲେ ଅଯୋଧ୍ୟା ଆସ୍ଥା ସହିତ ବିଜନେସର ହବ ମଧ୍ୟ ହେବାକୁ ଯାଉଛି ।