Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ରାଜପଥ ନିର୍ମାଣ କାମ ସରିନି,ଚାଲିଛି ମରାମତି:ପଡି ରହିଛି ଅଧୁରା କାମ

ସମ୍ବଲପୁର ଠାରୁ ଯାଇଥିବା କଲିକତା ୫୩ ନମ୍ବର ରାଜପଥର ୪ ଥାକିଆ ରାସ୍ତା ନିର୍ମାଣ କାମ ସରିନି ,କିନ୍ତୁ ଚାଲିଛି ମରାମତି। ତାହାବି ନିମ୍ନ ମାନର। ଏନଏଚଏଆଇ କିମ୍ବା ପ୍ରଶାସନିକ ଅବହେଳା କାରଣରୁ ଏହି ରାସ୍ତା ସାଜିଛି ମରଣଯନ୍ତା । ଧିମା ଗତିରେ ଅଗ୍ରଗତି କାମ ଚାଲିଥିଲେ ସୁଦ୍ଧା ନିମ୍ନ ମାନର କାମ ଯୋଗୁଁ ରାସ୍ତା ମଝିରେ ଫାଟ ଓ ଗାତ ଦୁଃଖର କାରଣ ସାଜିଛି।ସିନ୍ଦୁରପଙ୍କ ଠାରୁ ପଡିଆବାହାଲ ମଧ୍ୟରେ ବର୍ତ୍ତମାନ ଚାଲିଛି ନୂଆଁ ରାସ୍ତା କାମର ମରାମତି । କିନ୍ତୁ ଧିମାଗତିରେ,ପୁଣି ମନମର୍ଜି କାମରେ ।ରାସ୍ତା ଖୋଲି ଦେଇଥିଲେ ସୁଦ୍ଦା ମାସ ମାସ ଧରି ଏହି ମରାମତି କାମ ପଡିରହିଛି । ରାସ୍ତା ଉପରେ ପଡିରହିଛି ବାଲିବସ୍ତା। ଏଭଳି ଅବସ୍ଥା ସିନ୍ଦୁରପଙ୍କରୁ କବରାପାଲି ଯାଏ ଲମ୍ବିଛି।ପୁଣି ବହୁ ଯାଗାରେ କକ୍ଲିଟ ରାସ୍ତା ଉପରୁ ସିମେଣ୍ଟ ଉଠି ଅନେକ ଗାତ ହେଲାଣି ।ମଝିରୁ ରାସ୍ତା ଫାଟିଲାଣି।ଏପରିକି କୁଲୁଣ୍ଡି ଛକ ଠାରୁ ଜମନକିରା ପର୍ଯ୍ୟନ୍ତ ରାସ୍ତାରେ ଗୋଟିଏକି ଦୁଇଟି ନୁହେଁ ସହସ୍ର ଗର୍ତ୍ତ ଖାଳ ହୋଇ ଏହା ମରଣଯନ୍ତା ସାଜିଛି ପଥିକଙ୍କ ପାଇଁ। ଏହି ରାସ୍ତାରେ ଦୈନନ୍ଦିନ ନେତା ଜନତାଙ୍କ ଠାରୁ ଆରମ୍ଭ କରି ବହୁ ଅଧିକାରୀ ଯାଉଥିଲେ ସୁଦ୍ଧା ସେମାନଙ୍କ ନୀରବତା,ପ୍ରତିବାଦ କିମ୍ବା ପ୍ରତିରୋଧ ନଥିବାରୁ ଜାତୀୟ ରାଜପଥ ଆଜି ଲୋକଙ୍କ ପାଇଁ କାଳ ସାଜିଛି । ବଡରମା ଘାଟି ଉପରେ ଘଟୁଛି ବାରମ୍ବାର ଦୁର୍ଘଟଣା। ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ହେଉଥିଲେ ସୁଦ୍ଧା ଏହି ରାସ୍ତାର ୪ ଥାକିଆ ପାଇଁ ଲମ୍ବୁଛି ସମୟ। ବର୍ଷ ବର୍ଷ ଧରି ଏହି ଜାତୀୟ ରାଜପଥ ଥିଲେବି ଆଜି ଦିନରେବି ସମସ୍ୟା ରହିଛି ସଂରକ୍ଷିତ ଜଙ୍ଗଲ ଅଧିନିୟମର ଅନୁମତି । ୪ ଥାକିଆ ରାସ୍ତା ନେଇ ଏଭଳି ସମସ୍ୟା ଜନସାଧାରଣଙ୍କ ପାଇଁ କେବଳ କାଳ ସାଜିନି ବରଂ ସରକାର ଉପରେବି ଲୋକହସାର କାରଣ ସାଜିଛି।ବାରମ୍ବାର ଘଟଣା ଦୂର୍ଘଟଣା ଘଟୁଥିଲେବି କାହାରି ନଜର ନପଡିବା କିମ୍ବା ରାସ୍ତା ମରାମତିକୁ ସ୍ୱଚ୍ଛ ଓ ନିର୍ମଳ କରି ସଂପୃକ୍ତ ଠିକା ସଂସ୍ଥାକୁ ତାଗିଦ୍ ନକରିବା ପଛରେ କାରଣ କ’ଣ ବୋଲି ଆଜି ସାଧାରଣରେ ପ୍ରଶ୍ନ ଉଠିଲାଣି। ରାସ୍ତା କାମ ଶେଷ ନକରି ଓ ରାଜପଥକୁ ମରଣଯନ୍ତା ଭିତରେ ରଖି ନିଲଡୁଙ୍ଗରୀ ଠାରେ ଏନଏଚଏଆଇ ଟୋଲପ୍ଲାଜା ବସାଇଦେଲା ସିନା ଟୋଲପ୍ଲାଜର ଆନୁସଙ୍ଗିକ ଦିଗ ପ୍ରତି କିନ୍ତୁ ଆଦୌ ଧ୍ୟାନ ଦିଆଯାଇନି।ପ୍ରାଥମିକ ଚିକିତ୍ସା ଘର ବିଶ୍ରାମଗାରେ ପରିଣତ ହୋଇଥିବା ବେଳେ ପାର୍କ ଏଯାଏ ହୋଇନି। ପଇଦାମାଲ ପୁଡାପଡାର ସିଧା ରାସ୍ତାକୁ ହଟାଇ ଦିଆଯାଇଥିଲେ ସୁଦ୍ଧା ନିତିଦିନିଆ ରାସ୍ତା ଏଯାଏ ହୋଇପାରିଲାନି । ସେପଟେ ଗ୍ରାମବାସୀ ଏଥିରେ ଅସନ୍ତୋଷ ପ୍ରକାଶ କରି ବାରମ୍ବାର ଅଭିଯୋଗ କଲା ସତ୍ତ୍ୱେ ମଧ୍ୟ ପୋଲିସର ହସ୍ତକ୍ଷେପ ମଧ୍ୟ ଏଥିରେ କୌଣସି କାମ କଲାନି।ଯେଉଁ ଅବସ୍ଥାକୁ ସେହି ଅବସ୍ଥାରେ ପଡିଛି ଅଧପନ୍ତରିଆ କଚା ରାସ୍ତା। ସେପଟେ ପଡିଆବାହାଲର ସର୍ଭିସ ରୋଡ ମଧ୍ୟ ଅଧପନ୍ତରିଆ ହୋଇ ପଡିଥିବା ବେଳେ ନାଳ କାମ ଅଧାରେ ପଡିରହିଛି। ଫଳରେ ଦୂଷିତ ଜଳ ନିଷ୍କାଶିତ ହୋଇନପାରି ମଶା ମାଛିଙ୍କ ଦୌରାତ୍ମ୍ଯ ସହିତ ପୁତ୍ତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଏବେବି ବଜାର ମଧ୍ୟରେ ଜମି ଅଧିଗ୍ରହଣ ନେଇ ସମସ୍ୟା ଲାଗିରହିଛି।ପ୍ରଶାସନିକ ଅବହେଳାହିଁ ଏହାର କାରଣ ସାଜିଥିଲେବି କାହାରିବି କୃପା ଦୃଷ୍ଟି ନପଡିବା ଦୁଃଖର କାରଣ ସାଜିଛି।ଏପରିକି ପଡିଆବାହାଲ ଜାତୀୟ ରାଜପଥର ମେଘପାଳ ଟାମ୍ପରଗଡ କଲେଜ ରାସ୍ତାର ସ୍ଥାୟୀ କାମ ହୋଇପାରିନି।ପଡିଆବାହାଲରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ ଆରମ୍ବରୁ ଅଧାରୁ ଅଧିକ ଜଳୁନଥିବା ବେଳେ ଏଥିପ୍ରତି ମଧ୍ୟ ବିଭାଗୀୟ ନଜର ନପଡିବା ଅତି ପରିତାପର ବିଷୟ ହୋଇଛି।କଲେଜ ଛକ ଠାରୁ ପଡିଆବାହାଲ ହସପିଟାଲ ଆଡକୁ କୌଣସି ଷ୍ଟ୍ରିଟ୍ ଲାଇଟ୍ ଜଳୁନି।ଏହି ରାସ୍ତା ଅତି ଜନଗହଳି ଓ ସଭିଙ୍କ ଭରସା ସାଜିଥୋବା ସତ୍ତ୍ୱେ ବାରମ୍ବାର ହାରି ଗୁହାରି କଲେବି ଏନଏଚଏଆଇ ନୀରବଦ୍ରଷ୍ଟା ଭାବେ ବସି ରହିଛି।ଖଲିଆପାଲି, ବିନାୟକଡେରା,ବାରିବନ୍ଧ, କବରାପାଲି, କେନଘାଟି,ପୁଟିବନ୍ଦ, ସିନ୍ଦୁରପଙ୍କ ପ୍ରଭୃତି ସ୍ଥାନରେ ଏଯାଏ ରେଷ୍ଟ ସେଡ ହୋଇପାରିନି। ଏଭଳି ସମସ୍ୟା ଲାଗିରହିଥିବାରୁ ଅଞ୍ଚଳରେ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି।ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଏଭଳି ସମସ୍ୟାକୁ ନେଇ ଆନ୍ଦୋଳନର ମୁଣ୍ଡ ଟେକିପାରେ। ଏଣୁ ଏନଏଚଏଆଇ ଏଦିଗରେ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ଉଠିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ