ରାଉରକେଲା: ଓଡିଶାରେ ଦ୍ୱିତୀୟ ଦିନରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ପାନପୋଷ ଛକରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ରାଜ୍ୟର ମୁଖ୍ୟ ବିରୋଧୀ ବିଜେପି ଓ ଶାସକ ବିଜେଡିକୁ ଶାଣିତ ସ୍ୱରରେ ଟାର୍ଗେଟ୍ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ । ଓଡିଶାରେ ବିଜେପି ଓ ବିଜେଡିର ପାର୍ଟନରସିପ ସରକାର ଚାଲିଛି । ଓଡିଶାରେ ବେରୋଜଗାରୀ ଅଧିକ ରହିଛି ଏବଂ ଦଳିତ ପଛୁଆ ବର୍ଗଙ୍କ ପ୍ରତି ଅନ୍ୟାୟ ହେଉଥିବା ରାହୁଲ କହିଛନ୍ତି ।
ରାହୁଲ କହିଛନ୍ତି, ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କ ପ୍ରତି ଅତ୍ୟାଚାର ହେଉଛି । ଓଡିଶାରେ ବହୁ ଶିଳ୍ପ ଅନୁଷ୍ଠାନ ବନ୍ଦ ପଡିଛି । ରାଜ୍ୟରେ ବେରୋଜଗାରୀ ବଢିଛି । ଗତ ୪୦ ବର୍ଷରେ ଦେଶରେ ସବୁଠୁ ଅଧିକ ବେରୋଜଗାର ଓଡିଶାରେ ରହିଛି । କାମ ନ ମିଳିବାରୁ ଓଡିଶାରୁ ୩୦ ଲକ୍ଷ ଲୋକ ବହାର ରାଜ୍ୟକୁ କାମ ପାଇଁ ଯାଇଛନ୍ତି । ମାତ୍ର ଓଡିଶାକୁ ଲୁଟିବାକୁ ପାଇଁ ବାହାରୁ ୩୦ ଜଣ କୋଟିପତି ଆସିଛନ୍ତି । ଆଉ ଏଠି ବିଜେପି ଓ ବିଜେଡି ସରକାର ପାର୍ଟନରସିପରେ ଚାଲିଛି । ସଂସଦରେ ଏହାର ଝଲକ ଦେଖିବାକୁ ମିଳୁଛି । ମୋଦୀଙ୍କ ଇସାରାରେ ବିଜେଡି ନେତା ଆମକୁ ହଇରାଣ କରିବାକୁ ପଛାନ୍ତି ନାହିଁ।
ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ଗତକାଲି ଝାଡଖଣ୍ଡରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଶେଷ କରି ଓଡିଶାର ବୀରମିତ୍ରପୁତରେ ପ୍ରବେଶ କରିଥିଲେ । ଗତକାଲି ସେ ରାଜ୍ୟ ସରକାରଙ୍କ ବିରୋଧରେ ପଦୁଟିଏ ବି କହିନଥିଲେ । ଆଜି ବୀରମିତ୍ରପୁରରୁ ବାହାରି ସିଧାସଳଖ ଉଦିତନଗର ଛକ ଯାଇଥିଲେ । ସେଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏହା ପରେ ପାନପୋଷ ଛକରେ ଆୟୋଜିତ ଜନସଭାକୁ ରାହୁଲ ସମ୍ବୋଧିତ କରିଥିଲେ । ପାନପୋଷ ପରେ ରାହୁଲ ରାଜଗାଙ୍ଗପୁରର ରାଣୀବନ୍ଧ ନିକଟ ବିର୍ସାମୁଣ୍ଡା ପଡିଆରେ ମଧ୍ୟାହ୍ନଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ।