ବାଘ ଗଣନା; ଦେଶରେ ବଢୁଛି, ରାଜ୍ୟରେ କମୁଛି
 
        ମୟୁରଭଞ୍ଜ: ଦେଶରେ ବାଘ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ କିନ୍ତୁ ସ୍ଥିତି ଉଦ୍ବେଗଜନକ। ସେପଟେ ଦେଶରେ ୪ ବର୍ଷ ମଧ୍ୟରେ ବ୍ୟାଘ୍ର ସଂଖ୍ୟା ୨୦୦ ବଢିଥିବା ବେଳେ ସାତକୋଶିଆ ଏବେ ବାଘବିହୀନ ହୋଇପଡ଼ିଛି। ଶିମିଳିପାଳ ଅଭୟାରଣ୍ୟରେ ବି ସ୍ଥିତି ଜଟିଳ ରହିଛି। ରିପୋର୍ଟ ଅନୁଯାୟୀ ଖଣିଜ ଉତ୍ତୋଳନ, ବେଆଇନ ଶିକାର ଓ ଜଙ୍ଗଲ ନିଆଁ ଯୋଗୁ ବ୍ୟାଘ୍ରଙ୍କ ସଂଖ୍ୟା ହ୍ରାସ ପାଉଥିବା ଅନୁମାନ କରାଯାଉଛି।
୨୦୨୨ ଗଣନାରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ ଅଭୟାରଣ୍ୟ ପରିଚାଳନାରେ ଶିମିଳିପାଳକୁ ଉତ୍କୃଷ୍ଟ ସ୍ଥାନ ମିଳିଛି। ଶିମିଳିପାଳ ଦେଶର ୧୨ଟି ଉତ୍କୃଷ୍ଟ ଅଭୟାରଣ୍ୟ ମଧ୍ୟରେ ସ୍ଥାନିତ ହୋଇଛି। ଏହି ଅଭୟାରଣ୍ୟ ୨୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ। ୨୦୧୮ ଗଣନାରେ ଓଡ଼ିଶାରେ ସମୁଦାୟ ୨୮ଟି ବାଘ ଥିଲେ। ସେଥିରୁ ଶିମିଳିପାଳରେ ଥିଲେ ୧୮ଟି। ଯଦି ଜବରଦଖଲ, ଗୃହ ପାଳିତ ପଶୁ ଜଙ୍ଗଲ ମଧ୍ୟ ଚରିବା, ଅଭୟାରଣ୍ୟରେ ଲୋକଙ୍କ ଅବାଧ ଯାତାୟାତ, ଗଛ କଟା ଯୋଗୁ ବାଘ ସଂଖ୍ୟା ହ୍ରାସ ପାଉଛି। ଏହାର ନିରାକରଣ କରାନଗଲେ ଶିମିଳିପାଳରେ ବାଘ ସମ୍ପୂର୍ଣ୍ଣ ରୂପେ ଲୋପ ପାଇଯିବ ରିପୋର୍ଟରେ ଦର୍ଶାଯାଇଛି। ଶିମିଳିପାଳରେ ନିର୍ଦ୍ଦିଷ୍ଟ ଭାବେ ବାଘ ସଂଖ୍ୟା କେତେ ରହିଛି ତାହା ତ ସ୍ପଷ୍ଟ କରାଯାଇନାହିଁ, ହେଲେ ବାଘ ସଂଖ୍ୟା ହ୍ରାସ ପାଉଛି ବୋଲି ରିପୋର୍ଟରୁ ଜଣାପଡ଼ିଛି।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ସାତକେଶିଆ ସମେତ ଦେଶର ୪ଟି ପ୍ରକଳ୍ପ ବ୍ୟାଘ୍ର ଶୂନ୍ୟ। ଓଡ଼ିଶା ସମେତ ଝାଡଖଣ୍ଡ, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏହି ୪ଟି ପ୍ରକଳ୍ପରେ ଯୁଦ୍ଧକାଳୀନ ଭିତ୍ତିରେ ଏହାର ନିରାକରଣ କରାନଗଲେ ଏହି ରାଜ୍ୟଗୁଡିକ ବ୍ୟାଘ୍ରଶୂନ୍ୟ ହୋଇଯିବ। ୨୦୧୪ ଗଣନା ଅନୁସାରେ ରାଜ୍ୟରେ ବାଘ ସଂଖ୍ୟା ୨୮ ଥିଲା। ସେହିପରି ୨୦୧୮ ଗଣନା ଅନୁଯାୟୀ ବାଘ ସଂଖ୍ୟା ବଢିବା ବଦଳରେ ସମାନ ରହିଥିଲା। ଅର୍ଥାତ୍ ୪ ବର୍ଷ ମଧ୍ୟରେ ଗୋଟିଏ ବି ବାଘ ବଢିନଥିଲେ।

 
                        
 
                                 
                                 
                                 
                                 
                                