ଭୁବନେଶ୍ୱର: ଗୋଟିଏ ଦିନରେ ବିଜେଡି ପାଇଁ ଆସିଛି ମିଶ୍ରିତ ଖବର । ନିର୍ବାଚନ ପୂର୍ବରୁ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଦଳ ଛାଡି ବିଜେଡିକୁ ବଡ ଝଟକା ଦେଇଥିଲେ । ତେବେ ଏହାର କିଛି ସମୟ ପରେ ଶାସକ ଦଳ ପାଇଁ ଆସିଛି ଖୁସିର ଖବର । ବିଜେଡିରେ ଯୋଗ ଦେଲେ ସନ୍ତୃପ୍ତ ମିଶ୍ର । ନବୀନ ନିବାସ ଯାଇ ବିଜେଡିରେ ମିଶିଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ନିର୍ଦ୍ଦେଶକ ସଂତୃପ୍ତ ମିଶ୍ର । ସେ ଦଳରେ ସେହି ସମୟରେ ସାମିଲ୍ ହୋଇଛନ୍ତି ଯେତେବେଳେ ରାଜ୍ୟସଭା ନିର୍ବାଚନରେ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯଶୈଳୀ ଓ ବିକାଶମୂଳକ କାମରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ୍ ହୋଇଛନ୍ତି ସଂତୃପ୍ତ । ଦଳରେ ସାମିଲ୍ ହେବା ପରେ ସେ କହିଛନ୍ତି, ଓଡିଶାରେ ସେବା କରିବାକୁ ମୋତେ ବିଜେଡି ତରଫରୁ ସୁଯୋଗ ମିଳିଛି । ଭାରତୀୟ ରାଜନୀତିରେ ବିଜେଡି ହେଉଛି ପ୍ରଗତିଶୀଳ ରାଜନୈତିକ ଦଳ । ତେଣୁ ଏହି ଦଳରେ ସାମିଲ୍ ହୋଇ ନିଜକୁ ଖୁସି ଲାଗୁଛି । ଜନ୍ମସ୍ଥାନକୁ ଫେରି ଓଡିଶା ପାଇଁ କାମ କରିବାର ମୋତେ ସୁଯୋଗ ମିଳିଛି ।
ସେ କହିଛନ୍ତି ଦଳ ଯାହା କାମ ତେବ ତାହା ସେ ସୁଚାରୁରୂପେ ତୁଲାଇବେ । ୨୮ ବର୍ଷ ଉଦ୍ୟୋଗରେ କାମ କରିଛି । ରାଜ୍ୟକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଚେଷ୍ଟା କରିବି ବୋଲି ସଂତୃପ୍ତ କହିଛନ୍ତି । ତାଙ୍କର ଅଚାନକ ଦଳରେ ସାମିଲ୍ ହେବା ପରେ ତାଙ୍କୁ ଦଳ ରାଜ୍ୟସଭା ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ସଂପ୍ରତି ରାଜ୍ୟସଭା ନିର୍ବାଚନକୁ ନେଇ ବିଜେଡି ଦଳ ମଧ୍ୟରେ ରାଜନୈତିକ ଉଷ୍ଣତା ବଢିଛି । ୩ଟି ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଅଙ୍କକଷା ଚାଲିଛି । ଆଉ ଏହି ସମୟରେ ସଂତୃପ୍ତଙ୍କ ବିଜେଡିରେ ମିଶିବା ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।