ଇଂଲଣ୍ଡ ବିପକ୍ଷ ପୁରା ସିରିଜରୁ ଓହରିଲେ ବିରାଟ କୋହଲି, ଦଳରେ ହେବ ବଡ ପରିବର୍ତନ


ଭୁବନେଶ୍ୱର: ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ୫ ମ୍ୟାଚର ଟେଷ୍ଟ ସିରିଜରୁ ନିଜର ନାଁ ପ୍ରତ୍ୟାହାର କରି ନେଇଛନ୍ତି । କୋହଲି ବ୍ୟକ୍ତିଗତ କାରଣରୁ ପ୍ରଥମ ଦୁଇଟି ମ୍ୟାଚ୍ ଖେଳି ପାରିବେ ନାହିଁ ବୋଲି ବୋର୍ଡକୁ ଜଣାଇଥିଲେ । କିନ୍ତୁ ଏବେ ପୁରା ସିରିଜରୁ ଓହରି ଯାଇଛନ୍ତି । ଆଶା କରାଯାଉଥିଲା ଏହି ତାରକା ବ୍ୟାଟର ତୃତୀୟ ଟେଷ୍ଟ ମ୍ୟାଚରେ ଦଳକୁ ଫେରିବେ । ହେଲେ ସେହି ସମାନ କାରଣରୁ କୋହଲି ଏପରି ନିଷ୍ପତି ନେଇଛନ୍ତି । ପ୍ରଥମ ଥର ବିରାଟ କୋହଲି ଘରୋଇ ସିରିଜ ଖେଳୁ ନାହାନ୍ତି । ଏ ନେଇ କୋହଲି ବିସିସିଆଇ ଓ ଚୟନ କମିଟିକୁ ଅବଗତ କରାଇ ଦେଇଛନ୍ତି ।

ଦ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, କୋହଲ ଶୁକ୍ରବାର ବିସିସିଆଇକୁ ନିଜର ନିଷ୍ପତି ବିଷୟରେ ଅବଗତ କରାଇ ଦେଇଛନ୍ତି । ଏହି ସମୟରେ ଚୟନକର୍ତା ଅବଶିଷ୍ଟ ତିନି ଟେଷ୍ଟ ପାଇଁ ଦଳ ଚୟନ ନିମନ୍ତେ ଅନଲାଇନ ବୈଠକ କରିଥିଲେ । ଏହା ବ୍ୟତୀତ ଭାରତୀୟ ଦଳରେ ଆଉ ଗୋଟିଏ ପରିବର୍ତନ ହୋଇପାରେ । ଅଭେଶ ଖାନଙ୍କ ସ୍ଥାନରେ ଆକାଶ ଦୀପଙ୍କୁ ଦଳରେ ସୁଯୋଗ ମିଳିପାରେ ।

କିଛି ଦିନ ପୂର୍ବେ ଆକାଶ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଯେଉଁଭଳି ବୋଲିଂ କରିଥିଲେ, ତାହା ଚୟନ କମିଟି ଓ ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ରୋହିତ ଏହି ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି । ଏମିତିରେ ଅଭେଶଙ୍କୁ ବାଦ୍ ଦିଆଯାଇପାରେ ଏବଂ ସେ ପୁଣି ଥରେ ନିଜର ରଣଜୀ ଦଳକୁ ଫେରି ପାରନ୍ତି ।

ଏହା ବାଦ୍ ଆହତ କାରଣରୁ ଦ୍ୱିତୀୟ ଟେଷ୍ଟ ଖେଳି ନ ଥିବା ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ତୃତୀୟ ଟେଷ୍ଟ ପାଇଁ ଦଳରେ ଉପଲବ୍ଧ ରହିବେ । ଏହି ଦୁଇ ଖେଳାଳିଙ୍କ ପ୍ରତ୍ୟାବର୍ତନରେ ଦଳର ସନ୍ତୁଳନ ଆହୁରି ମଜବୁତ ହେବ । ଅନ୍ୟପଟେ ଆହତ କାରଣରୁ ଶ୍ରେୟସ ଆୟର ସିରିଜରୁ ବାଦ୍ ପଡି ପାରନ୍ତି ।