Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୨୩-୨୪ର ଘରୋଇ ସିଜିନ ପାଇଁ BCCIର କ୍ରୀଡାସୂଚୀ ଘୋଷଣା, ଖେଳାଯିବ ମୋଟ୍ ୧୮୪୬ ମ୍ୟାଚ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରକ ବୋର୍ଡ(ବିସିସିଆଇ) ମଙ୍ଗଳବାର ଭାରତର ଘରୋଇ ସିଜିନ ୨୦୨୩-୨୪ର କ୍ରୀଡାସୂଚୀ ଘୋଷଣା କରିଛି। ଏହି ସିଜିନରେ ୨୦୨୩ ଜୁନର ଶେଷ ସପ୍ତାହରୁ ୨୦୨୪ ମାର୍ଚ୍ଚ ପର‌୍ୟ୍ୟନ୍ତ ମୋଟ୍ ୧୮୪୬ ମ୍ୟାଚ୍ ଖେଳାଯିବ। ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଯେଉଁ ଦିନ ଖେଳାଯିବ ସେହି ଦିନ ଭାରତର ଘରୋଇ ସିଜିନ ଆରମ୍ଭ ହେବ। ନଅ ମାସର ଲମ୍ବା ସିଜିନରେ ଅନେକ ପ୍ରକାରର ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏଥିରେ ଦଲୀପ ଟ୍ରଫି, ଦେଓଧର ଟ୍ରଫି, ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଏବଂ ରଣଜୀ ଟ୍ରଫି ଆଦି ସାମିଲ୍।

ବିସିସିଆଇ ଅନୁଯାୟୀ, ଦଲୀପ ଟ୍ରଫି ଆସନ୍ତା ଜୁନ ୨୮ରୁ ଆରମ୍ଭ ହୋଇ ଜୁଲାଇ ୧୬ ପର୍ଯ୍ୟନ୍ତ ଖେଳାଯିବ। ଏହା ପରେ ପ୍ରୋ ଦେଓଧର ଟ୍ରଫିର ଆୟୋଜନ କରାଯିବ। ଏହା ଜୁଲାଇ ୨୪ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଖେଳାଯିବ। ୨୦୨୩ ଅକ୍ଟୋବର ୬ରୁ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଶୁଭାରମ୍ଭ ହେବ। ଫାଇନାଲ୍ ମ୍ୟାଚ୍ ନଭେମ୍ବର ୬ରେ ଖେଳାଯିବ। ଦିନିକିଆ ଫର୍ମାଟରେ ଖେଳାଯାଉଥିବା ବିଜୟ ହଜାରେ ଟ୍ରଫି ଚଳିତ ବର୍ଷ ନଭେମ୍ବର ୨୩ରୁ ଆରମ୍ଭ ହୋଇ ଡିସେମ୍ବର ୧୫ ଯାଏ ଚାଲିବ।

ସେହିପରି କ୍ରିକେଟ୍ ଦୁନିଆର ପ୍ରମୁଖ ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ଅନ୍ୟତମ ରଣଜୀ ଟ୍ରଫି ୨୦୨୩-୨୪ର ସିଜିନ ୨୦୨୪ ଜାନୁଆରୀ ୫ରୁ ଆରମ୍ଭ ହେବ ଏବଂ ଏହାର ଫାଇନାଲ୍ ମୁକାବିଲା ମାର୍ଚ୍ଚ ୧୪ରେ ଖେଳାଯିବ। ୩୮ଟି ଦଳକୁ ପାଞ୍ଚଟି ଗ୍ରୁପରେ ବିଭକ୍ତ କରାଯିବ। ମହିଳା ଘରୋଇ କ୍ରିକେଟ୍ ସିଜିନ ୨୦୨୩ ଅକ୍ଟୋବର ୧୯ରୁ ଆରମ୍ଭ ହେବ। ମହିଳା ବର୍ଗରେ ସିନିୟର ମହିଳା ଟି-୨୦ ଟ୍ରଫି, ସିନିୟର ମହିଳା ଇଣ୍ଟର ଜୋନାଲ ଟ୍ରଫି, ସିନିୟର ମହିଳା ଦିନିକିଆ ଟ୍ରଫି ଆଦି ବିସିସିଆଇର କ୍ରୀଡାସୂଚୀ ହିସାବରେ ଖେଲାଯିବ।