ଗଗନଯାନ ପାଇଁ ୪ ମହାକାଶଚାରୀଙ୍କ ନାଁ ଘୋଷଣା, ମିଶନର ସମୀକ୍ଷା କଲେ ପିଏମ ମୋଦୀ


ନୂଆଦିଲ୍ଲୀ: ଗଗନଯାନ ମିଶନକୁ ନେଇ ମଙ୍ଗଳବାର ଆସିଛି ବଡ ଖୁସିର ଖବର । ଗଗନଯାନ ପାଇଁ ଚାରି ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ପୂର୍ବରୁ ସେ ଗଗନଯାନ ମିଶନର ପ୍ରଗତିର ସମୀକ୍ଷା କରିଛନ୍ତି ଏବଂ ଏହି ମିଶନ ପାଇଁ ନାମିତ ୪ ମହାକାଶଯାତ୍ରୀଙ୍କୁ ଭେଟି ଶୁଭକାମନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ଚାରି ଜଣ ମହାକାଶଯାତ୍ରୀଙ୍କ ନାଁ ଘୋଷଣା କରିଛନ୍ତି, ସେଥିରେ ବାୟୁସେନାର ଗ୍ରୁପ କ୍ୟାପଟେନ ପ୍ରଶାନ୍ତ ବାଲକୃଷ୍ଣ ନାୟର, ଗ୍ରୁପ କ୍ୟାପଟେନ ଅଜିତ କୃଷ୍ଣନ, ଗ୍ରୁପ କ୍ୟାପଟେନ ଅଙ୍ଗଦ ପ୍ରତାପ ଓ ୱିଙ୍ଗ କମାଣ୍ଡର ଶୁଭାଂଶୁ ଶୁକ୍ଳା ରହିଛନ୍ତି । ବାୟୁୁସେନାର ଏହି ଚାରି ବାହାଦୂର ସବୁ ପ୍ରକାରର ଲଢୁଆ ବିମାନ ଉଡାଇ ସାରିଛନ୍ତି ଏବଂ ଏହି କ୍ଷେତ୍ରରେ ଢେର ଅଭିଜ୍ଞତା ରହିଛି ।

କେମିତି ହେଲା ଚୟନ

ଗଗନଯାନ ପାଇଁ ମହାକାଶଯାତ୍ରୀଙ୍କ ଚୟନ ଇନଷ୍ଟିଚ୍ୟୁଟ ଅଫ୍ ଏୟରସ୍ପେପ ମେଡିସିନ(ଆଇଏଏମ) ପରୀକ୍ଷା ନେଇଥିଲା । ଏଥିରେ ସମଗ୍ର ଦେଶରୁ ଶତାଧିକ ପାଇଲଟ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ । ଏଥିରୁ ଟପ୍ ୧୨ ଚୟନ କରାଯାଇଥିଲା । ଅନେକ ରାଉଣ୍ଡ ପରେ ଚୟନ ପ୍ରକ୍ରିୟା ଚୂଡାନ୍ତ ହୋଇଥିଲା ଏବଂ ଶେଷରେ ବାୟୁସେନାର ଏହି ଚାରି ପାଇଲଟଙ୍କୁ ମିଶନ ପାଇଁ ଚୟନ କରାଗଲା ।

୨୦୨୧ରେ ପୂରା ହୋଇଥିଲା ପ୍ରଶିକ୍ଷଣ

ଇସ୍ରୋ ଏହି ଚାରି ପାଇଲଟଙ୍କୁ ପ୍ରଶିକ୍ଷଣ ପାଇଁ ରୁଷ ପଠାଇଥିଲା । ମାତ୍ର କରୋନା ଯୋଗୁଁ ଟ୍ରେନିଂରେ ବିଳମ୍ବ ହୋଇଥିଲା । ଆଉ ପ୍ରଶିକ୍ଷଣ ୨୦୨୧ରେ ହିଁ ପୂରା ହୋଇଥିଲା । ରୁଷରେ ଏହି ପାଇଲଟଙ୍କୁ ଅନେକ ପ୍ରକାରର ମହାକାଶ ସଂପର୍କିତ ଟ୍ରେନିଂ ଦିଆଯାଇଥିଲା । ଟ୍ରେନିଂ ସମୟରେ ପାଇଲଟ୍ ଲଗାତାର ଉଡାଣ ଭରିଥିଲେ ଏବଂ ନିଜର ଫିଟନେସ୍ ଉପରେ ଧ୍ୟାନ ଦେଇଥିଲେ ।

ଇସ୍ରୋ ୨୦୨୦ରେ ଗଗନଯାନ ମିଶନର ଘୋଷଣା କରିଥିଲା । ଗଗନଯାନ ମହାକାଶରେ ଭାରତର ପ୍ରଥମ ମାନବ ମିଶନ ହେବ । ଇସ୍ରୋ ୨୦୨୦ରେ ଏହାର ଆନୁଷ୍ଠାନିକ ଘୋଷଣା କରିଥିଲେ ହେଁ ୨୦୦୭ରେ ଏହା ଉପରେ କାମ ଆରମ୍ଭ ହୋଇଥିଲା । କିନ୍ତୁ ବଜେଟ୍ ଅଭାବ କାରଣରୁ ମିଶନ ଆଗକୁ ବଢି ପାରିନ ଥିଲା । ଏବେ ମିଶନ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି ।