Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିର ପ୍ରାର୍ଥୀ ତାଲିକାରେ ନାହିଁ ଓଡିଶାର ନାଁ, ପୁଣି ବଢିଲା ବିଜେପି-ବିଜେଡି ମେଂଟ ଚର୍ଚ୍ଚା; ମୋଦୀଙ୍କ ଗସ୍ତ ଉପରେ ସଭିଙ୍କ ନଜର

ଭୁୁବନେଶ୍ୱର: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜେପି ଶନିବାର ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୧୬ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଂଚଳକୁ ନେଇ ଘୋଷିତ ପ୍ରଥମ ପ୍ରାର୍ଥୀ ତାଲିକାରେ ପ୍ରଧାନମନ୍ତ୍ରୀଙ୍କ ସମେତ ୩୪ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ନାଁ ରହିଛି । ଉତର ପ୍ରଦେଶରୁ ସର୍ବାଧିକ ୫୧ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି । ତେବେ ତାଲିକାରେ ଓଡିଶାର କୌଣସି ଆସନ କି ପ୍ରାର୍ଥୀଙ୍କ ନାଁ ନାହିଁ । ଯାହା ଓଡିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ଚର୍ଚ୍ଚାକୁ ଆହୁରି ବଳ ଯୋଗାଇଛି । ଦୁଇ ଦଳ ମଧ୍ୟରେ ମେଂଟ ହେବାକୁ ଯାଉଥିବାରୁ ବିଜେପିର ଶୀର୍ଷ ନେତୃତ୍ୱ ପ୍ରାର୍ଥୀ ତାଲିକାରେ ଓଡିଶାକୁ ସାମିଲ୍ କରି ନଥିବା କୁହାଯାଉଛି ।

ରାଜ୍ୟଠୁ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଛପିଥିବା ଖବର ଅନୁଯାୟୀ, ପ୍ରଥମ ପ୍ରାର୍ଥୀ ତାଲିକାରେ ଅନ୍ତତଃ ଓଡିଶାର ୫ ଆସନରେ ପ୍ରାର୍ଥୀ ଘୋଷଣା ହେବାର ଅଛି । ଏଥିରେ ସୁନ୍ଦରଗଡରୁ ଜୁଏଲ ଓରାମ, ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ ଓ ମୟୂରଭଂଜରୁ ବିଶ୍ୱେଶ୍ୱର ଟୁଡୁଙ୍କ ନାଁ ଘୋଷଣା ହେବ । କିନ୍ତୁ ସେମିତି କିଛି ଘଟିଲା ନାହିଁ । ରାଜ୍ୟରୁ ଗୋଟିଏ ହେଲେ ଆସନ ୧୯୫ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକାରେ ଆସିଲା ନାହିଁ। ଫଳରେ ପୁଣି ଥରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ହେବା ଚର୍ଚ୍ଚା ବଢି ଯାଇଛି । କିଛି ଦିନ ହେବ ସାମାଜିକ ଗଣମାଧ୍ୟମଠୁ ନେଇ ବିଭିନ୍ନ ଗଣମାଧ୍ୟମରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା । ଏପରିକି ସିଟ୍ ସେୟାରିଂର ଫର୍ମୁଲା ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଥିଲା । ତେବେ ଶୁକ୍ରବାର ରାଜ୍ୟ ବିଜେପି ସଭାପତି ମେଂଟ ଚର୍ଚ୍ଚା ଗୁଜବ କହିବା ଏବଂ ରାଜ୍ୟ ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର ବିଜେପି ଓ ବିଜେଡି ମଧ୍ୟରେ ମେଂଟ ହେବ ନାହିଁ ବୋଲି କହିବା ପରେ ଏହି ଚର୍ଚ୍ଚା ଉପରେ ବିରାମ ଲାଗିଥିଲା ।

ଏହା ପରେ ଆଶା କରାଯାଉଥିଲା ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡିଶାର କିଛି ଆସନ ରହିବ । ହେଲେ ଗୋଟିଏ ବି ଆସନ ନ ଆସିବାରୁ ପୁଣି ଥରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ମେଂଟ ହେଉଥିବାରୁ ଏବଂ କାହାକୁ କେଉଁ ଆସନରୁ ପ୍ରାର୍ଥୀ କରାଯିବ ସେହି ବାଟ ଫିଟି ନଥିବାରୁ ଓଡିଶାରୁ ପ୍ରାର୍ଥୀ ଘୋଷଣା କରାଯାଇ ନ ଥିବା ରାଜନୈତିକ ସମୀକ୍ଷକ କହୁଛନ୍ତି । ମେଂଟ କେଉଁ ଦଳ ପାଇଁ ଅଧିକ ଜରୁରୀ ତାହା କହିବା ମୁସ୍କିଲ । କିନ୍ତୁ ସାଂପ୍ରତିକ ରାଜନୈତିକ ପାଣିପାଗ ବିଜେଡି ପାଇଁ ସେତେଟା ଅନୁକୂଳ ରହିନାହିଁ । କାରଣ ଜଣେ ପରେ ଜଣେ ବିଧାୟକ ବିଜେଡି ଛାଡି ବିଜେପିରେ ମିଶି ଚାଲିଛନ୍ତି । ଏସବୁ ଭିତରେ ସଭିଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଚ୍ଚ ୫ ଓଡିଶା ଗସ୍ତ ଉପରେ ରହିଛି । ଆଉ ସେହି ଦିନ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ବଡ ଧୁମଧାମର ସହ ପାଳନ କରୁଛି ବିଜେଡି । ଆଉ ଠିକ୍ ସେହି ଦିନ ମୋଦୀ ଓଡିଶା ଆସିବାକୁ ସଂଯୋଗ ବୋଲି କୁହାଯାଇ ପାରିବ ନାହିଁ ।

ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବାକୁ ଘୋଷଣା କରି ପାରନ୍ତି କିମ୍ବା ମେଂଟ ଉପରେ କିଛି ବଡ ନିଷ୍ପତି ନେଇ ପାରନ୍ତି। ମୋଦୀଙ୍କ ଗସ୍ତ ବର୍ତମାନ ଓଡିଶା ରାଜନୀତି କେଉଁ ଦିଗକୁ ମୋଡ ନେବ ତା ଉପରେ ସଭିଙ୍କ ନଜର ରହିଛି । ମେଂଟ ଚର୍ଚ୍ଚା ପରଠୁ ରାଜ୍ୟ ରାଜନୀତିରେ ନିରବତା ଛାଇ ଯାଇଛି । କାରଣ ମେଂଟ ହେଲେ କିଏ କେଉଁଠୁ ପ୍ରାର୍ଥୀ ହେବ ତାହା କାହାକୁ ବି ଜଣା ନାହିଁ । ବିଶେଷ କରି ଦଳ ଡିଆଁ କରିଥିବା ନେତାଙ୍କ ଚିନ୍ତା ଅଧିକ ବଢି ଯାଇଛି । କିଏ ବିଜେଡିକୁ ଗାଳି କରି ବିଜେପିରେ ମିଶିଥିବା ବେଳେ କିଏ ପଦ୍ମ ଛାଡି ଶଙ୍ଖ ଫୁଙ୍କିଛନ୍ତି । ଆଉ କିଏ କଂଗ୍ରେସ ଛାଡି ବିଜେପି ଓ ବିଜେଡିରେ ସାମିଲ୍ ହୋଇଛନ୍ତି । ଯଦି ମେଂଟ ହୁଏ ତେବେ ସେମାନଙ୍କର ରାଜନୈତିକ ଭବିଷ୍ୟତ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସି ପ୍ରଥମେ ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ । ଏହା ପରେ ଯାଜପୁରର ଚଣ୍ଡିଖୋଲରେ ଆୟୋଜିତ ସରକରୀ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହା ପରେ ଏକ ଜନସଭାକୁ ସମ୍ବୋଧିତ କରିବେ । ଏହି ଜନସଭା ଉପରେ ହିଁ ସଭିଙ୍କ ନଜର ରହିଛି । ମୋଦୀଙ୍କ ପ୍ରତିଟି ଶବ୍ଦ ଉପରେ ନିର୍ଭର କରିବ ଓଡିଶା ରାଜନୀତିର ଆଗାମୀ ଭବିଷ୍ୟତ । ବିଜେଡିକୁ ଟାର୍ଗେଟ୍ କରି ଓଡିଶାରେ ନିର୍ବାଚନୀ ବିଗୁଲ ଫୁଙ୍କିବେ ନା ମେଂଟ ନେଇ ବଡ ଘୋଷଣା କରିବେ । ନା ବିଜୁ ବାବୁଙ୍କୁ ଭାରତରତ୍ନ ଦେବାକୁ ଘୋଷଣା କରିବେ । ମାର୍ଚ୍ଚ ୫ ତାରିଖ ଏହି ସବୁ ପ୍ରଶ୍ନର ଉତର ମିଳିବ ବୋଲି ଆଶା କରାଯାଉଛି ।