Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଅଭିବୃଦ୍ଧି ଓ ସମୃଦ୍ଧିର ଅଧ୍ୟାୟ ସୃଷ୍ଟି କରୁଛି ସମ୍ବଲପୁର

ସମ୍ବଲପୁର:କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ଏବଂ ଔଦ୍ୟୋଗିକତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉତ୍ସର୍ଗୀକୃତ ପ୍ରୟାସ କାରଣରୁ ପଶ୍ଚିମ ଓଡ଼ିଶାରେ ସମ୍ବଲପୁର ଅଭୂତପୂର୍ବ ବିକାଶ ଧାରା ଲକ୍ଷ୍ୟ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଫେବୃଆରୀରେ ୬୮ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟବରାଦରେ ପ୍ରକଳ୍ପଗୁଡିକ ଲୋକାର୍ପଣ କରିଛନ୍ତି।ଯାହା ଏହି ଅଞ୍ଚଳର ପ୍ରଗତି ଦିଗରେ ଏକ ଉଲ୍ଲେଖନୀୟ ସୋପାନ ହୋଇଛି।କେନ୍ଦ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଶ୍ରୀ ପ୍ରଦାନ ତାଙ୍କର ନିଜ ରାଜ୍ୟ ଓଡ଼ିଶାର ବିକାଶ ଦିଗରେ ପ୍ରତିବଦ୍ଧତା ପ୍ରଦର୍ଶନ କରିଆସିଛନ୍ତି । ପ୍ରାଥମିକ ସ୍ତରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ସମୟରେ ସେ ରାଜ୍ୟରେ ସକ୍ରିୟ ଭାବରେ ଅଗଣିତ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲେ ।
କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ଏବଂ ଓଦ୍ୟୋଗିକତା ମନ୍ତ୍ରୀ ଭାବରେ ତାଙ୍କର ସାମ୍ପ୍ରତିକ ଭୂମିକାରେ ଶ୍ରୀ ପ୍ରଧାନ କୁଶଳତା ବିକାଶ ଏବଂ ଔଦ୍ୟୋଗିକତା କ୍ଷେତ୍ରରେ ବହୁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳସ୍ୱରୂପ ସମ୍ବଲପୁରରେ ସମ୍ପ୍ରତି ଇଣ୍ଡିଆନ୍ ଇନଷ୍ଟିଚୁ୍ୟଟ ଅଫ ମ୍ୟାନେଜମେଣ୍ଟ (ଆଇଆଇଏମ୍) ସମେତ ଏକାଧିକ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ସ୍ଥାପିତ ହୋଇଛି ଏବଂ ଏହା ଏହି ସମସ୍ତ ପ୍ରୟାସର ସକରାତ୍ମକ ପ୍ରଭାବକୁ ପ୍ରତିଫଳିତ କରୁଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସମୁଦାୟ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି । ଏଗୁଡିକ ମଧ୍ୟରେ ସଡ଼କ, ରେଳପଥ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ବହୁ ଉଲ୍ଲେଖନୀୟ ପ୍ରୟାସ ରହିଛି ଏବଂ ତାହା ସହିତ ପ୍ରାକୃତିକ ଗ୍ୟାସ୍, କୋଇଲା ଏବଂ ଶକ୍ତି ଉତ୍ପାଦନ ଉପରେ ଦୃଷ୍ଟିନିବଦ୍ଧ କରୁଥିବା ଶକ୍ତି କ୍ଷେତ୍ରର ଅନେକ ପ୍ରକଳ୍ପ ଅନ୍ତର୍ଭୁକ୍ତ ଅଛି । ଫେବୃଆରୀ ୩ ତାରିଖରେ ତାଙ୍କର ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ସମ୍ବଲପୁର ରେଳ ଷ୍ଟେସନ ପୁନଃବିକାଶ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ଏବଂ ଆଇଆଇଏମ୍, ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ୍ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।
ଜନସମାବେଶକୁ ଉଦ୍ଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଶିକ୍ଷା ଓ କୁଶଳତା ବିକାଶ କ୍ଷେତ୍ରରେ ଏକ ପେଣ୍ଠସ୍ଥଳ ଭାବରେ ରୂପାନ୍ତରିତ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କର ନିରନ୍ତର ପ୍ରୟାସ ଉପରେ ଗୁରୁତ୍ୱ ଦେଇଥିଲେ । ଗତ ଦଶନ୍ଧିରେ ଇଣ୍ଡିଆନ୍ ଇନଷ୍ଟିଚୁ୍ୟଟ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଆଇଏସ୍ଇଆର) ବ୍ରହ୍ମପୁର, ଇନ୍ଷ୍ଟିଚୁ୍ୟଟ ଅଫ କେମିକାଲ ଟେକ୍ନୋଲୋଜି, ଭୁବନେଶ୍ୱର ଭଳି ଆଧୁନିକ ଶିକ୍ଷା ପ୍ରତିଷ୍ଠାନ ସ୍ଥାପନ ସହିତ ଯୁବବର୍ଗଙ୍କ ନିମନ୍ତେ ଦୃଶ୍ୟପଟ୍ଟରେ ଉନ୍ନତି ଘଟିଛି । ସମ୍ବଲପୁରେ ଆଇଆଇଏମ୍ ସ୍ଥାପନ ଏକ ଆଧୁନିକ ମ୍ୟାନେଜମେଣ୍ଟ ଇନ୍ଷ୍ଟିଚୁ୍ୟଟ କ୍ଷେତ୍ରରେ ରାଜ୍ୟର ସ୍ଥିତିରେ ପୁନଃ ଉନ୍ନତି ଘଟାଇଛି, ଯାହା ସାମଗ୍ରିକ ବିକାଶ ଦିଗରେ ଅବଦାନ ରଖୁଛି । ଏକଦା ସମ୍ବଲପୁର, ବଲାଙ୍ଗୀର ଏବଂ କଳାହାଣ୍ଡି ଆଦି ଜିଲ୍ଲାକୁ ନେଇ ଦାରିଦ୍ର୍ୟ ଓ ପଛୁଆପଣ ପାଇଁ ପଶ୍ଚିମ ଓଡ଼ିଶା ପରିଚିତ ଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ଦୃଢ ନେତୃତ୍ୱ ଅଧୀନରେ ଚଳିତ ବର୍ଷଗୁଡିକରେ ସମୁଦାୟ ଅଞ୍ଚଳରେ ଅଭୂତପୂର୍ବ ବିକାଶ ସାଧିତ ହୋଇଛି । ଏହି ବିକାଶମୂଳକ ପ୍ରକଳ୍ପଗୁଡିକ ନିମନ୍ତେ ବିପୁଳ ଶ୍ରେୟ ମଧ୍ୟ ଶ୍ରୀ ପ୍ରଧାନଙ୍କୁ ଦିଆଯାଇପାରିବ, ଯିଏ ଏହି ଅଞ୍ଚଳର ଉଲ୍ଲେଖନୀୟ ପ୍ରଗତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି ।