ଭୁବନେଶ୍ୱର: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତ କରି ଫେରିବା ପରେ ଆଜି ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ଡକରା ହୋଇଛି । ସଭାପତି ମନମୋହନ ସାମଲଙ୍କ ସମେତ ସଂଗଠନ ସଂପାଦକ, କୋର କମିଟି ସଦସ୍ୟଙ୍କୁ ଦିଲ୍ଲୀ ଡକାଯାଇଛି । ଆଜି ସନ୍ଧ୍ୟା ୫ଟାରେ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ରାଜ୍ୟ ନେତୃତ୍ୱଙ୍କ ସହ ମେଂଟ ନେଇ ଆଲୋଚନା କରି ପାରନ୍ତି କେନ୍ଦ୍ରୀୟ ନେତା । ନିର୍ବାଚନ ରଣନୀତି ନେଇ ଆଲୋଚନା ହେବ ବୋଲି କହିଛନ୍ତି ସଭାପତି ମନମୋହନ ସାମଲ । ସେପଟେ ଆଜି ଅପରାହ୍ନରେ ଶାସକ ବିଜୁ ଜନତା ଦଳ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ଗୋଟିଏ ପଟେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ସହ କେନ୍ଦ୍ରୀୟ ନେତାଙ୍କ ଦିଲ୍ଲୀରେ ବୈଠକ ଏବଂ ଏଠି ବିଜେଡିର ବୈଠକକୁ ସଂଯୋଗ ବୋଲି କୁହାଯାଇ ପାରିବ ନାହିଁ । ଦୁଇ ଦଳର ଶୀର୍ଷ ନେତାଙ୍କ ଆଭିମୁଖ୍ୟ ଦେଖିବା ପରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଶ୍ୱର ଟୁଡ଼ୁ, ସାଂସଦ ଜୁଏଲ ଓରାମ, ବସନ୍ତ ପଣ୍ଡାଙ୍କ ସମେତ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର ଏହି ବୈଠକରେ ସାମିଲ ହେବେ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ବିଜେଡିର ବରିଷ୍ଠ ନେତାମାନଙ୍କୁ ଆଜି ଅଚାନକ ଅପରାହ୍ନ ସାଢ଼େ ୩ଟାରେ ନବୀନ ନିବାସକୁ ଡକାଯାଇଛି । ଦଳର ବରିଷ୍ଠ ନେତାମାନଙ୍କ ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ଦଳର ପ୍ରାୟ ୧୫ରୁ ୨୦ଜଣ ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡକାଯାଇଛି ।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ଚଣ୍ଡିଖୋଲ ଆସିଲେ । ଏକ ସରକାରୀ କାର୍ଯ୍ୟକ୍ରମ ଏବଂ ଗୋଟିଏ ଦଳୀୟ ସଭାରେ ଯୋଗ ଦେଲେ । ସରକାର କାର୍ଯ୍ୟକ୍ରମରେ ମୋଦୀ ଓ ନବୀନ ପରସ୍ପରକୁ ପ୍ରଶଂସାରେ ପୋତି ପକାଇଲେ । ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି ନବୀନ ମଧ୍ୟ ମୋଦୀଙ୍କ ନେତୃତ୍ୱରେ ଭାରତ ବିକାଶ ଦିଗରେ ଆଗଉଛି ଏବଂ ବିଶ୍ୱର ତୃତୀୟ ଆର୍ଥିକ ମହାଶକ୍ତି ହେବାକୁ ଯାଉଥିବା କହିଥିଲେ । ଦଳୀୟ ସଭାରେ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ ହେଁ ବିଜେଡି ବିରୋଧରେ ପଦୁଟିଏ ବି କହିନଥିଲେ । ଦୁଇ ନେତାଙ୍କ ପରସ୍ପରକୁ ଏମିତି ପ୍ରଶଂସା କରିବା ଦୁଇ ଦଳର କର୍ମୀ ଓ ନେତାଙ୍କୁ ହତାଶ କରିଛି । ଓଡିଶା ଦେଶର ଏମିତି ଏକ ବିରଳ ରାଜ୍ୟ ଯେଉଁଠି ଶାସକ ଓ ମୁଖ୍ୟ ବିରୋଧୀ ଦଳ ଏକାଠି ମିଶି ଯାଇଛନ୍ତି । ଦୁଇ ନେତାଙ୍କ ଏମିତି ଆଭିମୁଖ୍ୟ ଦେଖିବା ପରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ହେବା ନେଇ ସମ୍ଭାବନା ଅଧିକ ବଢି ଯାଇଛି ।
ଆଜି ମେଂଟ ନେଇ କିଛି ବଡ ଘୋଷଣା ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । ଦିଲ୍ଲୀରେ ରାଜ୍ୟ ନେତୃବୃନ୍ଦଙ୍କ ସହ ବୈଠକରେ ମେଂଟ ନେଇ କିଛି ନିଷ୍କର୍ସ ବାହାରିପାରେ । ଯଦି ମେଂଟ ନ ହୁଏ ତେବେ ଜୋରଦାର ଲଢେଇ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇପାରେ । ଠିକ୍ ସେହିପରି ଆଜି ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି । ଏହି ଦୁଇ ଦଳର ବୈଠକ ଉପରେ ଏବେ ସଭିଙ୍କ ନଜର । ଯଦିଓ ଆନୁଷ୍ଠାନିକ ଭାବେ ମେଂଟ ଘୋଷଣା ନ ହୁଏ ତଥାପି ବିଜେପି ଓ ବିଜେଡି ପରଦା ପଛରେ ମେଂଟ କରି ସାରିଥିବା କର୍ମୀ ଓ ଜନତାଙ୍କୁ ଆଉ ଅଛପା ନୁହେଁ । କାରଣ ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପି ନିଜର ମୌଳିକ କର୍ତବ୍ୟ ଭୁଲି ସାରିଛି ।

ତେବେ ଏହା ମଧ୍ୟରେ ଜାତୀୟସ୍ତରର ଜଣେ ବରିଷ୍ଠ ସାମ୍ବାଦିକ ଟୁଇଟ୍ କରି ରାଜ୍ୟ ରାଜନୀତି ସହ ଜାତୀୟସ୍ତରର ରାଜନୀତିରେ ଚହଳ ପକାଇଛନ୍ତି । ଏହି ସାମ୍ବାଦିକଙ୍କ ନାମ ହେଉଛି ଅଖିଳେଶ ସୁମନ । ସେ ସଂସଦ ଟିଭିର ନ୍ୟାସନାଲ ବ୍ୟୁରୋ ଚିଫ ଅଛନ୍ତି । ଗତକାଲି ରାତି ୮ଟା ୫୨ରେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଆଗାମୀ ଲୋକସଭା ନିର୍ବାଚନ ପାଇଁ ମେଂଟ ନେଇ ବିଜେପି ଓ ବିଜେଡି ଘୋଷଣା କରିବାକୁ ଯାଉଛନ୍ତି । ବିଜେପି ଓ ବିଜେଡି ମେଂଟ ହେବାକୁ ଯାଉଥିବାରୁ ଦଳର କର୍ମୀ ଅସନ୍ତୁଷ୍ଟ ଅଛନ୍ତି । ସବୁଠୁ ବଡ କଥା ସଂସଦ ଟିଭିର ବରିଷ୍ଠ ସାମ୍ବାଦିକ କୌଣସି ଗୁଜବ କି କିଛି ନ ବୁଝି ଟୁଇଟ୍ ତ କରି ନାହାନ୍ତି । ସେ ବିଶ୍ୱସ୍ତ ଏବଂ ସଠିକ୍ ସୂତ୍ରରୁ ଖବର ପାଇ ଏମିତି ଟୁଇଟ୍ କରିଥିବେ । ତାଙ୍କ ଟୁଇଟ୍ ପରେ ଏହା ଆହୁରି ସ୍ପଷ୍ଟ ହୋଇଛି ଯେ, ବିଜେପି ଓ ବିଜେଡି ମଧ୍ୟରେ ମେଂଟ ହେବାକୁ ଯାଉଛି । ଉଲ୍ଲେଖନୀୟ ରାଜ୍ୟବାସୀ ମଧ୍ୟ ବୁଝି ସାରିଲେଣି ଯେ, ଏଠାରେ ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମିଶି ଶାସନ କରୁଛନ୍ତି ।
ସୂଚନାଯୋଗ୍ୟ ଗତ କିଛି ଦିନ ଧରି ରାଜ୍ୟଠୁ ନେଇ ଜାତୀୟ ଗଣମାଧ୍ୟମ, ଏପରିକି ସାମାଜିକ ଗଣମାଧ୍ୟମରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କେବଳ ଏତିକି ନୁହେଁ ସିଟ୍ ସେୟାରିଂର ଫର୍ମୁଲା ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଥିଲା । କିନ୍ତୁ ଦୁଇ ଦଳର ନେତା ଏହାକୁ ଖଣ୍ଡନ କରିଥିଲେ । ବିଜେପି ରାଜ୍ୟ ସଭାପତି ଓ ନିର୍ବାଚନ ପ୍ରଭାରୀ ମେଂଟ ଚର୍ଚ୍ଚାକୁ ଖଣ୍ଡନ କରିଥିବା ବେଳେ ବିଜେଡି ଏହାକୁ ଗୁଜବ ବୋଲି କହିଥିଲା । ଫଳରେ ମେଂଟ ଚର୍ଚ୍ଚା କିଛିଟା ଥମିଥିଲା । ଆଉ ସଭିଙ୍କ ନଜର ମୋଦୀଙ୍କ ଓଡିଶା ଗସ୍ତ ଉପରେ ଥିଲା । ତେବେ ମୋଦୀ ଓ ନବୀନଙ୍କ ମଧ୍ୟରେ ନିବିଡତାକୁ ଦେଖିବା ପରେ ବିଜେପି ଓ ବିଜେଡି ଭିତିରିଆ ମେଂଟ କରି ସାରିଥିବା ଆଉ କାହା ମନରେ ସନ୍ଦେହ ରହି ନାହିଁ । ଯଦିଓ ଔପଚାରିକ ଘୋଷଣା ନ ହୁଏ ତେବେ ବୁଝି ନେବାକୁ ହେବ ଯେ, ପରଦା ପଛରେ ଦୁଇ ଦଳ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି ।