ନବୀନଙ୍କୁ କ୍ଲିନଚିଟ୍ ଦେଲେ ମୋଦୀ, ଏବେ ରାଜ୍ୟ ବିଜେପିର ଗଡି କୁଆଡେ ? ଜଳକା ହୋଇ ରହିଲେ କର୍ମୀ


ଭୁବନେଶ୍ୱର: ସଭିଙ୍କ ନଜର ମାର୍ଚ୍ଚ ୫ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତ ଉପରେ ଥିଲା । କି ବିଜେପି କି ବିଜେଡି ନେତା ରାଜ୍ୟବାସୀଙ୍କ ନଜର ମଧ୍ୟ ମୋଦୀଙ୍କ ଗସ୍ତ ଉପରେ ଥିଲା । ସଭିଏଁ ଚାହିଁ ରହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଣ କହିବେ ? ଆଗାମୀ ନିର୍ବାଚନ ନେଇ ଦଳୀୟ ନେତା ଓ ରାଜ୍ୟବାସୀଙ୍କୁ କଣ ସନ୍ଦେଶ ଦେବେ ? ବିଜେଡି ପ୍ରତି ନରମ ରହିବେ ନା ସମାଲୋଚନା କରି ଦଳୀୟ କର୍ମୀଙ୍କ ଉତ୍ସାହ ବଢାଇବେ ? ଏମିତି ଅନେକ ଅସୁମାରୀ ପ୍ରଶ୍ନ ଲାଗି ରହିଥିଲା । ମୋଦୀ ଆସିଲେ, ହେଲେ ରାଜ୍ୟ ବିଜେପି ପାଇଁ ନୁହେଁ ବିଜେଡିକୁ ବଡ ଆଶ୍ୱସ୍ତି ଦେଇ ଚାଲିଗଲେ । ଆଉ ସେପଟେ ହତାଶ ହୋଇ ରହିଲେ ରାଜ୍ୟ ବିଜେପି ନେତା ଓ କର୍ମୀ । ମୋଦୀ ଓ ନବୀନ ପରସ୍ପରକୁ ପ୍ରଶଂସାରେ ପୋତି ପକାଇଲେ । ଏହା ଦେଖି ବିଜେପି ଓ ବିଜେଡିର କର୍ମୀ ପ୍ରମାଦ ଗଣୁଛନ୍ତି ଯେ, ଏବେ ସେମାନେ କେଉଁ ହିସାବରେ ପରସ୍ପର ବିରୋଧରେ ଲଢେଇ କରିବେ । ଦୁଇ ନେତାଙ୍କ ଏମିତି ପ୍ରେମ ଦେଖି ସେପଟେ ରାଜ୍ୟବାସୀ ଜଳକା ।

ସମ୍ବଲପୁର ପରେ ଚଣ୍ଡିଖୋଲ ଗସ୍ତ ଉପରେ ସମସ୍ତଙ୍କ ନଜର ଥିଲା । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳକୁ କ୍ଲିନଚିଟ୍ ଦେଇ ଦେଲେ ଏବଂ କହିଲେ ନବୀନ ପଟ୍ଟନାୟକ ହେଉଛନ୍ତି ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ଅନ୍ୟ ରାଜ୍ୟରେ ମୋଦୀ ବିରୋଧୀ ଦଳର ଚଉଦ ପୁରୁଷ ଉଦ୍ଧାର କରୁଥିବା ବେଳେ ଓଡିଶାରେ ତାଙ୍କର ଏମିତି ଆବଭାବ ଦେଖି ରାଜନୈତିକ ସମୀକ୍ଷକ ଓ ଜନତା ମଧ୍ୟ ବିସ୍ମିତ । ଚଣ୍ଡିଖୋଲରେ ସରକାରୀ କାର୍ଯ୍ୟକ୍ରମ ଏବଂ ଦଳୀୟ ସଭାରେ ମୋଦୀଙ୍କ ଆଭିମୁଖ୍ୟ ରାଜ୍ୟ ବିଜେପିକୁ ଶକ୍ତ ଚାପୁଡା ପରି ହୋଇଛି । ବିରୋଧୀ ଦଳର ମୌଳିକ ଧର୍ମ ହେଉଛି ଶାସକ ଦଳର ଦୋଷ ଦୁର୍ବଳତା ଜନତାଙ୍କ ସାମ୍ନାକୁ ଆଣିବା ଏବଂ ଉତରଦାୟୀ କରିବା । ପୁଣି ନିର୍ବାଚନ ସମୟରେ ତ ସମାଲୋଚନା କରିବାକୁ କୌଣସି ସୁଯୋଗ ହାତଛଡା କରିବା କଥା ନୁହେଁ । କିନ୍ତୁ ଓଡିଶାରେ ଏକ ବିଚିତ୍ର ରାଜନୀତି ଚାଲିଛି । ଏଠାରେ ଶାସକ ବିଜେଡି ଏବଂ ମୁଖ୍ୟ ବିରୋଧୀ ଦଳ ବିଜେପି ଏକାଠି ମିଶି ଯାଇଛନ୍ତି । ଏହା ହିଁ ଓଡିଶାବାସୀଙ୍କ ଦୁର୍ଭାଗ୍ୟ ଯେ, ସେମାନେ ଯିବେ ତ କେଉଁଠି କି ଯିବେ ଏବଂ କାହାକୁ ଭୋଟ୍ ଦେବେ ।

ମୋଦୀ ଏକ ସରକାରୀ କାର୍ଯ୍ୟକ୍ରମ ଏବଂ ଗୋଟିଏ ଦଳୀୟ ସଭାରେ ଯୋଗ ଦେଲେ । ସରକାର କାର୍ଯ୍ୟକ୍ରମରେ ମୋଦୀ ଓ ନବୀନ ପରସ୍ପରକୁ ପ୍ରଶଂସାରେ ପୋତି ପକାଇଲେ । ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି ନବୀନ ମଧ୍ୟ ମୋଦୀଙ୍କ ନେତୃତ୍ୱରେ ଭାରତ ବିକାଶ ଦିଗରେ ଆଗଉଛି ଏବଂ ବିଶ୍ୱର ତୃତୀୟ ଆର୍ଥିକ ମହାଶକ୍ତି ହେବାକୁ ଯାଉଥିବା କହିଥିଲେ । ଦଳୀୟ ସଭାରେ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ ହେଁ ବିଜେଡି ବିରୋଧରେ ପଦୁଟିଏ ବି କହିନଥିଲେ । ଦୁଇ ନେତାଙ୍କ ପରସ୍ପରକୁ ଏମିତି ପ୍ରଶଂସା କରିବା ଦୁଇ ଦଳର କର୍ମୀ ଓ ନେତାଙ୍କୁ ହତାଶ କରିଛି । ଓଡିଶା ଦେଶର ଏମିତି ଏକ ବିରଳ ରାଜ୍ୟ ଯେଉଁଠି ଶାସକ ଓ ମୁଖ୍ୟ ବିରୋଧୀ ଦଳ ଏକାଠି ମିଶି ଯାଇଛନ୍ତି । ଦୁଇ ନେତାଙ୍କ ଏମିତି ଆଭିମୁଖ୍ୟ ଦେଖିବା ପରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ହେବା ନେଇ ସମ୍ଭାବନା ଅଧିକ ବଢି ଯାଇଛି ।

ଯେଉଁଠି ସକାଳ ପାହିଲେ ଦୁଇ ଦଳର ନେତା ଓ କର୍ମୀ ପରସ୍ପର ବିରୋଧରେ ବିଷୋଦଗାର କରୁଛନ୍ତି ଲଢେଇ କରୁଛନ୍ତି ସେଠି ଶୀର୍ଷ ନେତୃବୃନ୍ଦ ପରସ୍ପରକୁ ପ୍ରଶଂସା କରୁଛନ୍ତି । ମୋଦୀଙ୍କ ଏମିତି ଆଭିମୁଖ୍ୟ ରାଜ୍ୟ ବିଜେପିକୁ ଭାରି ଅଡୁଆ ପକାଇଛି । ଯାହାକୁ ନିକମା, ଦୁର୍ନୀତିଗ୍ରସ୍ତ, ଅପାରଗ ସରକାର କହି ଟାର୍ଗେଟ୍ କରୁଥିଲେ ସେହି ସରକାରଙ୍କୁ ତାଙ୍କର ହାଇକମାଣ୍ଡ କ୍ଲିନଚିଟ୍ ଦେଇ ଦେଲେ । ଏବେ ରାଜ୍ୟ ବିଜେପି ନେତା ଓ କର୍ମୀ କଉ ମୁହଁରେ ବିଜେଡିକୁ ସମାଲୋଚନା କରିବେ ଆଉ ଟାର୍ଗେଟ୍ କରିବେ । କେବଳ ଏତିକି କୁହାଯାଇ ପାରିବ ଯେ, ବିଜେପି ଓ ବିଜେଡିର କର୍ମୀମାନେ ପରସ୍ପର ବିରୋଧରେ ନ ଲଢି ନିଜର ହାଇକମାଣ୍ଡଙ୍କଠୁ ଶିଖନ୍ତୁ ରାଜନୀତି କେମିତି କରାଯାଏ । ସୁବିଧାବାଦୀ ହୋଇ ରହିଲେ କେମିତି କ୍ଷମତା ସୁଖ ପ୍ରାପ୍ତ କରି ହୁଏ ତାହା ଦଳୀୟ କର୍ମୀ ଏବେଠୁ ବୁଝିନେବା ଉଚିତ୍ । ତେଣୁ ବିଜେପି ଓ ବିଜେଡି କର୍ମୀମାନେ ମାଡ ମରାମରି ହେବା ଛାଡି ନିଜ ନେତାଙ୍କ ସୁବିଧାବାଦୀ ରାଜନୀତି ଦେଖି ନିଜ ମନକୁ ବୁଝାଇ ନିଅନ୍ତୁ ।

ଯଦି ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ହୁଏ ତେବେ ଦୁଇ ଦଳର ନେତା ଓ କର୍ମୀ ନିରାଶ ହେବା ସାର ହେବ । ବିଶେଷ କରି ଦଳଡିଆଁ ନେତାଙ୍କ ଭବିଷ୍ୟତ କଣ ହେବ ତାହା ଦେଖିବା ଯୋଗ୍ୟ ରହିଲା । ତେବେ ବିଡମ୍ବନାର ବିଷୟ ମେଂଟ ହେଉ କି ନ ହେଉ ରାଜ୍ୟବାସୀ ବୁଝି ସାରିଛନ୍ତି ଯେ, ବିଜେପି ଓ ବିଜେଡି ମଧ୍ୟରେ ଭିତିରିଆ ମେଂଟ ହୋଇ ସାରିଛି । ଦୁଇ ଦଳର ଖାତାକୁ ପାଖାପାଖି ୮୦ ପ୍ରତିଶତ ଭୋଟ୍ ଚାଲି ଯାଉଛି । ରାଜ୍ୟରେ କଂଗ୍ରେସର ସ୍ଥିତି ନ କହିବା ଭଲ । ଦଳ ତ ଜନତାଙ୍କ ଆଶାଠୁ ବହୁତ ଦୂରରେ ରହିଛି । ଏବେ ରାଜ୍ୟବାସୀ ଯିବେ ତ କେଉଁଠି କି ଯିବେ ଏବଂ କାହାକୁ ଭୋଟ୍ ଦେବେ । ଯେଉଁ ରାଜ୍ୟରେ ଶାସକ ଓ ମୁଖ୍ୟ ବିରୋଧୀ ଦଳ ଏକାଠି ମିଶିଯାଆନ୍ତି ସେହି ରାଜ୍ୟର ଗଣତନ୍ତ୍ର ନଷ୍ଟ ହୋଇ ସାରିଥିବା ବୁଝି ନେବାକୁ ହେବ । ଆଉ ଏହା ରାଜ୍ୟବାସୀଙ୍କ ଦୁର୍ଭାଗ୍ୟ ଯେ, ସେମାନେ ଓଡିଶା ପରି ରାଜ୍ୟରେ ରହୁଛନ୍ତି ।