କୋକସରା:୦୮/୦୩
ନାରୀ ଓ ପୁରୁଷ ହେଉଛନ୍ତି ଉଭୟେ ପରିପୁରକ । ସ୍ୱାମୀ ବିନା ସ୍ତ୍ରୀ ଅଧୁରା ଓ ସ୍ତ୍ରୀ ବିନା ମଧ୍ୟ ସ୍ୱାମୀ ଅଧୁରା ଅଟନ୍ତି । ସ୍ୱାମୀ ହେଉଛି ସ୍ତ୍ରୀ ପାଇଁ ଇହକାଲ ପରକାଳ ର ଦେଵତା ବୋଲି କୁହାଯାଏ । ଗୋଟିଏ ନାରୀ ପାଇଁ ତାର ଶଙ୍ଖା ସିନ୍ଦୁର ହିଁ ତା ପାଇଁ ସବୁକିଛି । ନାରୀଟିଏ ଶଙ୍ଖା, ସିନ୍ଦୁର ସୁରକ୍ଷା ପାଇଁ ନିଜ ଜୀବନକୁ ମଧ୍ୟ ବାଜିରେ ଲଗାଇ ଦିଅନ୍ତି । ସତ୍ୟ ଯୁଗରେ ସ୍ଵାମୀ ର ମୃତ୍ୟୁ ହେଲେ ସ୍ତ୍ରୀ ମଧ୍ୟ ସ୍ଵାମୀ ଜୁଇରେ ଝାସ ଦେଉଥିବା କଥା ଆମେ ଶୁଣିଛୁ । ପୁରାଣ ଯୁଗରେ ଆମେ ଶୁଣିଥିଲୁ,ମହାସତୀ ସାବିତ୍ରୀ ଯମରାଜ ଙ୍କ ଠାରୁ ସ୍ବାମୀର ଜୀଵନ ଫେରାଇ ଆଣିଥିଲେ । ସେହିପରି ଏକ ପ୍ରେମ ଓ ତ୍ୟାଗ ର ନିଦର୍ଶନ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦବାହାଲ ଗ୍ରାମରେ ।ଏହି ଗ୍ରାମର ଯୁବକ ମକୁନ୍ଦ କୁମାର ରାଉତ ଙ୍କୁ ଗତବର୍ଷ ହାତଗୋଡ଼ ଫୁଲିବା ଦେଖିବାକୁ ପାଇଥିଲେ । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସ୍ଵାସ୍ଥ୍ୟ ପରୀକ୍ଷାରେ ମକୁନ୍ଦଙ୍କ ୨ ଟି କିଡନୀ ଖରାପ ଥିବା ଜାଣିବାକୁ ପାଇଥିଲେ । ଦିନକୁ ଦିନ ମକୁନ୍ଦଙ୍କ ସ୍ୱାସ୍ଥ୍ୟ ଖରାପ ହେଉଥିବା ବେଳେ କେତେବେଳେ ମଧ୍ୟ ଜୀଵନ ଚାଲିଯିବାର ଆଶଙ୍କାଥିଲା । ସ୍ୱାମୀଙ୍କ ମୃତ୍ୟୁ ସୁନିଶ୍ଚିତ ଜାଣିବା ପରେ ମକୁନ୍ଦଙ୍କ ସ୍ତ୍ରୀ ପ୍ରମିଳା ରାଉତ ମକୁନ୍ଦଙ୍କ ନିଜର ଗୋଟିଏ କିଡନୀ ଦାନ କରିବାକୁ ଆଗଭର ହେଲେ । ପ୍ରମିଳାଙ୍କୁ କିଡନୀ ଦାନ କରିବାକୁ ପରିବାର ଲୋକେ ବାରଣ କରିଥିଲେ । ହେଲେ ମକୁନ୍ଦ ହେଉଛନ୍ତି ସାତ ଜନମର ସାଥି,ଇହକାଲ ପରକାଳର ଦେଵତା ,ତାଙ୍କ ହାତ ଧରିଛି ,ଜୀଇଁବି ତାଙ୍କ ସହିତ ମରିବି ବି ମଧ୍ୟ ତାଙ୍କ ସହିତ ବୋଲି ପ୍ରମିଳା ଉତ୍ତର ରଖିଥିଲେ । ଗତ ଫେବୃଆରୀ ୭ ତାରିଖରେ ରାୟପୁର ସ୍ଥିତ ଶ୍ରୀ ମେଡିସାଇନ ଡାକ୍ତରଖାନାରେ ନିଜର ଗୋଟିଏ କିଡନୀକୁ ଦାନ କରିଥିଲେ।କିଡନୀ ଦାନ କରିବାର ଗୋଟିଏ ଦିନ ପରେ ପ୍ରମିଳାଙ୍କ ମାଁଙ୍କ ଦେହାନ୍ତ ହୋଇଥିଲା । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯୋଗୁଁ ମୃତ ମାଁଙ୍କ ଶବକୁ ମଧ୍ୟ ଦେଖି ପାରିନଥିଲେ ପ୍ରମିଳା। ସତରେ ସ୍ୱାମୀ ପାଇଁ ନିଜର ଅଙ୍ଗ ଦାନ କରି ନିଜର ତ୍ୟାଗ ଓ ବଳିଦାନ ଦେଇ ମହାନ ହୋଇଛନ୍ତି ପ୍ରମିଳା। ବର୍ତ୍ତମାନ ଉଭୟ ସ୍ୱାମୀ ସ୍ତ୍ରୀ ରାୟପୁର ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି ଏବଂ ଉଭୟେ ସୁସ୍ଥ ଥିବା ଜଣାପଡ଼ିଛି ।
ମୃତ୍ୟୁ ମୁଖରୁ ସ୍ୱାମୀ ଙ୍କୁ ଛଡାଇ ଆଣିଲେ ପ୍ରମିଳା,ସ୍ବାମୀଙ୍କୁ କିଡନୀ ଦାନ କରି ଦେଖାଇଲେ ମହାନତା।
