ଆଜି ସନ୍ଧ୍ୟାରେ ବସୁଛି ବିଜେପିର ସିଇସି ବୈଠକ, ମେଂଟ ନେଇ ମିଳିପାରେ ସ୍ପଷ୍ଟ ଚିତ୍ର


ଭୁବନେଶ୍ୱର: ବିଜେପି ଓ ବିଜେଡି ମଧ୍ୟରେ ମେଂଟ ହେବ କି ନାହିଁ ଆଜି ସନ୍ଧ୍ୟାରେ ସ୍ପଷ୍ଟ ଚିତ୍ର ଆସିବାର ସମ୍ଭାବନା ରହିଛି । କାରଣ ଆଜି ସନ୍ଧ୍ୟାରେ ବିଜେପିର ସିଇସି ବୈଠକ ବସିବାକୁ ଯାଉଛି । ଏଥିରେ ଲୋକସଭା ନିର୍ବାଚନ ପାଇଁ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ବିଷୟରେ ଆଲୋଚନା ହେବ । ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶାର ନାଁ ରହିବ କି ନାହିଁ ନା ପୁଣି ଥରେ ଘୁଂଚାଯିବ ତାହା ତାଲିକାରୁ ଜଣା ପଡିବ । ତେବେ ଏହି ବୈଠକରେ ଯୋଗ ଦେବାକୁ ଓଡିଶାରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ସହ ପ୍ରଭାରୀ ଲତା ଉସେଣ୍ଡି ଗତକାଲି ଦିଲ୍ଲ୍‌ୀ ଯାଇଛନ୍ତି । ଏହି ବୈଠକରୁ ମେଂଟ ନେଇ କିଛି ସ୍ପଷ୍ଟ ଚିତ୍ର ଆସିବ ବୋଲି ଆଶା କରାଯାଉଛି ।

ଗତକାଲି ଦିଲ୍ଲୀ ଯିବା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ମନମୋହନ ସାମଲ ଓ ବିଜୟପାଲ ସିଂ ତୋମାର କହିଥିଲେ, ଲୋକସଭାର ସମସ୍ତ ସିଟରେ ନିର୍ବାଚନ ଲଢିବା ପାଇଁ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଆଲୋଚନା ହେବ । ତେବେ ଆଜି ବସୁଥିବା ସିଇସି ବୈଠକରେ ଓଡିଶାର ୨୧ ଲୋକସଭାର ପ୍ରାର୍ଥୀଙ୍କ ବିଷୟରେ ଆଲୋଚନା ହୋଇପାରେ । ବୈଠକରେ ରାଜ୍ୟ ବିଜେପି ଟିମ୍ ଲୋକସଭାର ସମ୍ଭାବିତ ପ୍ରାର୍ଥୀ ତାଲିକା ରିପୋର୍ଟ ସିଇସି ବୈଠକରେ ରଖି ପାରନ୍ତି । କିନ୍ତୁ ମେଂଟ ନେଇ କୌଣସି ସ୍ୱତନ୍ତ୍ର ବୈଠକ ବସୁ ନ ଥିବା ଜଣା ପଡିଛି । କିନ୍ତୁ ନେତାଙ୍କ ବାରମ୍ବାର ଡିଲ୍ଲୀ ଡାକରା କେଉଁଠି ନା କେଉଁଠି ମେଂଟ ଚର୍ଚ୍ଚାକୁ ଖୋରାକ ଯୋଗାଇ ଚାଲିଛି ।

ସୂଚନାଯୋଗ୍ୟ, ମେଂଟ ନେଇ ଏବେ ସୁଦ୍ଧା ଦ୍ୱନ୍ଦ୍ୱ ଲାଗି ରହିଛି । ସିଟ୍ ଭାଗବଂଟା ଛିଣ୍ଡୁ ନ ଥିବାରୁ ମେଂଟ ଝୁଲି ରହିଥିବା କୁହାଯାଉଛି । ସେପଟେ ଉଭୟ ଦଳର ନେତା ମାପିଚୁପି ବୟାନ ଦେଉଛନ୍ତି । ମାର୍ଚ୍ଚ ୬ ତାରିଖରେ ଉଭୟ ଦଳର ବଡ ବୈଠକ ବସିବା ଏବଂ ପରେ ଦଳୀୟ ନେତା ଯେଉଁଭଳି ବୟାନ ଦେଲେ ତାହା ମେଂଟ ଚର୍ଚ୍ଚାକୁ ଆହୁରି ବଳ ଯୋଗାଇ ଥିଲା । ତେବେ ମାର୍ଚ୍ଚ ୧୨ ତାରିଖରେ ଅମିତ୍ ଶାହଙ୍କ ଓଡିଶା ଗସ୍ତରେ ମେଂଟ ନେଇ ଚିତ୍ର ପୁରା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଥିଲା । ମାତ୍ର ଶାହଙ୍କ ଆସନ୍ତାକାଲି ଗସ୍ତ ଅନିଶ୍ଚିତତାରେ ରହିଛି । ରାଜ୍ୟ ବିଜେପି ଶିବିର ମଧ୍ୟ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି । ଏଥିରୁ ଲାଗୁଛି ମେଂଟ ନେଇ ବିଜେପି ଓ ବିଜେଡି ମଧ୍ୟରେ ଆଲୋଚନା ଜାରି ରହିଛି । ସେଥିପାଇଁ ଶାହଙ୍କ ଓଡିଶା ଗସ୍ତ ବିଳମ୍ବ ଘଟୁଛି ।

କୁହାଯାଉଛି ପୁରୀ ଓ ଭୁବନେଶ୍ୱର ଲୋକସଭା ସିଟ୍ ବିଜେଡି ନିଜ ପାଖରେ ରଖିବାକୁ ଚାହୁଁଛି ଏବଂ ବିଧାନସଭାରେ ବିଜେପିକୁ ୪୫ରୁ ୪୭ ଆସନ ଦେବାକୁ ପ୍ରସ୍ତୁତ । ଯାହାକୁ ରାଜ୍ୟ ବିଜେପି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ବିଜେପି ୧୪ ଲୋକସଭା ସହ ବିଧାନସଭାର ୫୬ ସିଟ୍ ଚାହୁଁଥିବା ପ୍ରକାଶ । ଦଳ ପୁରୀ ଓ ଭୁବନେଶ୍ୱର ସିଟ୍ ମଧ୍ୟ ନିଜ ପାଖରେ ରଖିବାକୁ ଚାହୁଁଛି । ଫଳରେ ଦୁଇ ଦଳ ମଧ୍ୟରେ ଆସନ ଭାଗବଂଟା ଛିଣ୍ଡି ପାରୁ ନ ଥିବାରୁ ମେଂଟ ଝୁଲି ରହିଛି । ଯଦି ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡିଶାର ନାଁ ଆସେ ସେଥିରୁ ସଙ୍କେତ ମିଳିପାରେ ମେଂଟ ହେଉଛି କି ନାହିଁ ।