ଭୁବନେଶ୍ୱର: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୯ମ ଥର ସମନ ଜାରି କରିଛି । ଇଡି କେଜରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖରେ ହାଜର ହେବାକୁ ନୋଟିସ୍ ଜାରି କରିଛି । ଏହା ପୂର୍ବରୁ କେଜରିୱାଲ ଇଡିଙ୍କ ୮ ସମନକୁ ଅଣଦେଖା କରି ସାରିଛନ୍ତି । ଏହା ବିରୋଧରେ ଇଡି କୋର୍ଟରେ ଦୁଇଟି ଯାଚିକା ମଧ୍ୟ ଦାୟର କରି ସାରିଛି । ଏହି ମାମଲାରେ ଶନିବାର ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ କେଜରିୱାଲଙ୍କୁ ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ ଜାମିନ ପ୍ରଦାନ କରିଥିଲେ । ଏହି ଜାମିନ ମିଳିବାରୁ କେଜରିୱାଲଙ୍କୁ ନିୟମିତ ହାଜର ହେବାରୁ ଆଶ୍ୱସ୍ତି ମିଳିଛି ମାତ୍ର କେସ ଏବେ ବି ଜାରି ରହିଛି । ମାମଲାର ପରବର୍ତୀ ଶୁଣାଣି ଏପ୍ରିଲ ୧ ରହିଛି ।
ଏହା ପୂର୍ବରୁ ଇଡି କେଜରିୱାଲଙ୍କୁ ୮ ଥର ସମନ ପଠାଇ ସାରିଛି । ହେଲେ ଏହାକୁ ସେ ଅବୈଧ୍ୟ ଦର୍ଶାଇ ଅଣଦେଖା କରି ଚାଲିଥିଲେ । ମାମଲା କୋର୍ଟକୁ ଯିବା ପରେ ବି ଇଡି କେଜରିୱାଲଙ୍କୁ ସମନ ପଠାଇଥିଲା । ଏହା ଉପରେ କେଜରିୱାଲଙ୍କ ଓକିଲ କହିଥିଲେ ଯେ, ଏହି ସମନ ପଠାଇବା ପରିବର୍ତେ ଇଡିଙ୍କୁ କୋର୍ଟଙ୍କ ନିଷ୍ପତିକୁ ଅପେକ୍ଷା କରିବା ଉଚିତ୍ ।
କେଜରିୱାଲଙ୍କୁ କେନ୍ଦ୍ରୀୟ ଏଜେନ୍ସି ପ୍ରଥମ ସମନ ନଭେମ୍ବର ୨ ତାରିଖରେ ପଠାଇଥିଲା । ଏହା ପରେ ନଭେମ୍ବର ୨୧ରେ ଦ୍ୱିତୀୟ ସମନ ପଠାଇଥିଲା । ପୁଣି ଜାନୁଆରୀ ୩, ଜାନୁଆରୀ ୧୮, ଫେବୃଆରୀ ୩, ଫେବୃଆରୀ ୧୯ ଓ ମାର୍ଚ୍ଚ ୪ ତାରିଖରେ ସମନ ପଠାଇଥିଲା । ୮ମ ସମନ ଅଣଦେଖା କରିବା ପରେ କେଜରିୱାଲ କହିଥିଲେ ସେ ଭିଡିଓ କନଫରେନ୍ସିଂ ଜରିଆରେ ଇଡିର ପ୍ରଶ୍ନକୁ ସାମ୍ନା କରିବାକୁ ପ୍ରସ୍ତୁତ ।