ଭୋଟର ମନ ଜିଣିବାକୁ ସମ୍ବଲପୁର ଜିଲ୍ଲା କଂଗ୍ରେସ ଜାରିକଲା ୯ ଗ୍ୟାରେଣ୍ଟି


ସମ୍ବଲପୁର: ଆଗାମୀ ନିର୍ବାଚନରେ ମତଦାତା ମାନଙ୍କ ସମର୍ଥନ ହାସଲ ନିମନ୍ତେ ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି Iକଂଗ୍ରେସ ଏଥିରୁ ପଛରେ ପଡିନି।ମତଦାତା ମାନଙ୍କ ମନ ଜିଣିବା ପାଇଁ ପ୍ରୟାସ କରିଛି I ଏହି ଦୌଡ଼ରେ ବି କଂଗ୍ରେସ ଆଉ ଦି’ପାଦ ଆଗକୁ ବଢିଛିI ରବିବାର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ପକ୍ଷରୁ ନିଜର ୯ଟି ଗ୍ୟାରେଣ୍ଟି ସଂପର୍କରେ ଘୋଷଣା କରାଯାଇଛି I ଜିଲ୍ଲା କଂଗ୍ରେସ କମିଟି ସଭାପତି ଜୟଶଙ୍କର ମିଶ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ଯେ, ଗତ ୨୪ ବର୍ଷର ବିଜେଡି ଶାସନ ଏବଂ ୯ ବର୍ଷର ବିଜେଡି-ବିଜେପି ମିଳିତ ଶାସନରେ ଯାହା ହୋଇନାହିଁ, କଂଗ୍ରେସ କ୍ଷମତାକୁ ଆସିଲେ ଲୋକଙ୍କ ଉନ୍ନତି ପାଇଁ ସେସବୁ କରିଦେଖାଇବ I ବୋନସ୍ ସହ ଧାନର କ୍ରୟମୂଲ୍ୟ କୁଇଣ୍ଟାଲ ପ୍ରତି ୩ ହଜାର ଟଙ୍କା, କୃଷିଋଣ ଛାଡ଼, କୃଷକଙ୍କ ପାଇଁ ମାସିକ ପେନ୍‌ସନ୍ ୨ ହଜାର ଟଙ୍କା, ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨ଶହ ୟୁନିଟ୍ ବିଦ୍ୟୁତ ଦେୟ ଛାଡ଼, ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ଓ ବେକାରୀ ଭତ୍ତା ମାସିକ ୩ ହଜାର ଟଙ୍କା ପ୍ରଦାନ କରାଯିବା I ପୁଣି, ସମସ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼, ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ(ମହିଳା)ଙ୍କୁ ମାସିକ ଭତ୍ତା ୨ ହଜାର ଟଙ୍କା, ପ୍ରତି ପରିବାରକୁ ମାସକୁ ୫ ଶହ ଟଙ୍କାରେ ଗୋଟିଏ ସିଲିଣ୍ଡର, ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେସରକରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା, ବାଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ୨ ହଜାର ଟଙ୍କାକୁ ବୃଦ୍ଧି, ରାଜ୍ୟରେ ଜାତିଭିତ୍ତିକ ସାମାଜିକ ଓ ଅର୍ଥ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରା‌ଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ମିଶ୍ର କହିଥିଲେ I ଏହି ଅବସରରେ ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁ, ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗଡ଼ିଆ, ବରିଷ୍ଠ କଂଗ୍ରେସ ନେତା ଦୁଲାଲ ପ୍ରଧାନ, ଅମରେନ୍ଦ୍ର ରାୟଗୁରୁ, ବିଜୟଲକ୍ଷ୍ମୀ ବେହେରା, ମନୋରଂଜନ ଦାଶ, ଗୋବିନ୍ଦ ମିଶ୍ର, ଅମିତ ଗୁରୁ, ସୁବାସ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ I