ଭୁବନେଶ୍ୱର: ମେଂଟ ଚର୍ଚ୍ଚା ପରଠୁ ବିଜେପି ଓ ବିଜେଡି ଉଭୟ ଦଳର ସାଂଗଠନିକ କାର୍ଯ୍ୟକ୍ରମ ଏକ ପ୍ରକାର ଅଟକି ଯାଇଛି । ସେପଟେ ମେଂଟ ନିଷ୍ପତି ଝୁଲି କି ରହିଛି । ଠିକ୍ ଏହି ସମୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଣନୀତି ପରିବର୍ତନ କରି ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଦଳର ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ପାଇଁ ବିଜେଡି ବିଧିବଦ୍ଧ ଭାବେ ବିଗୁଲ ଫୁଙ୍କିଛି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ପୁରୀ ସଂସଦୀୟ କ୍ଷେତ୍ରରୁ ସମୀକ୍ଷା ଆରମ୍ଭ ହୋଇ ସାରିଛି । ଗତକାଲି ପୁରୀ ପରେ ବୁଧବାର ନବୀନ ନିବାସରେ କୋରାପୁଟ ସଂସଦୀୟ କ୍ଷେତ୍ରକୁ ନେଇ କସରତ ଚାଲିଛି ।
ନିର୍ବାଚନ ତାରିଖ ଘୋଷଣା ପରେ ଚଳଚଂଚଳ ଏବେ ବିଜେଡି ଶିବିର । ନବୀନ ନିବାସରେ ଦଳ ସୁପ୍ରିମୋଙ୍କ ସହ ନେତାଙ୍କ ମାରାଥନ ବୈଠକ ଚାଲିଛି । ଏଥିରେ ଜିଲ୍ଲାୱାରୀ ଆଲୋଚନା କରାଯାଇ ରଣନୀତି ପ୍ରସ୍ତୁତ ଚାଲିଛି । ସୋମବାର ପୁରୀ ପରେ ଆଜି ନବୀନ ନିବାସରେ କୋରାପୁଟ ସଂସଦୀୟ କ୍ଷେତ୍ରକୁ ନେଇ ସମୀକ୍ଷା ଚାଲିଛି । ବୁଧବାର ସକାଳେ ନବୀନ ନିବାସରେ ପହଂଚିଛନ୍ତି କୋରାପୁଟ ପର୍ଯ୍ୟବେକ୍ଷକ ଏବଂ ନେତା । ଏଥିରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ, ମନ୍ତ୍ରୀ ଜଗନ୍ନାଥ ସାରକା,ପିତମ ପାଢୀ, ଭାସ୍କର ରାଓ ଓ ରବି ନନ୍ଦଙ୍କ ସହ ଆଉ କିଛି ନେତା ସାମିଲ ।
ଏହା ପୂର୍ବରୁ ସୋମବାର ସକାଳେ ପୁରୀ ସଂସଦୀୟ କ୍ଷେତ୍ରର ସମୀକ୍ଷା ହୋଇଥିଲା । ଅପରାହ୍ନରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ଲାଗି ବିଜେଡି ରଣନୀତି ପ୍ରସ୍ତୁତ କରିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ୫-ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ, ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏହି ଦୁଇ ନିର୍ବାଚନମଣ୍ଡଳୀର ବିଧାୟକ ଓ ଛାମୁଆ ନେତା, ପର୍ଯ୍ୟବେକ୍ଷକଙ୍କୁ ଡକାଯାଇ ନିର୍ବାଚନ ପ୍ରସ୍ତୁତି ଆଲୋଚନା କରାଯାଇଥିଲା । ନିର୍ବାଚନ ଯାଏ କେମିତି ସାଂଗଠନିକ କାର୍ଯ୍ୟ ଜାରି ରହିବ ତାର ବ୍ଲୁ ପ୍ରିଂଟ ପ୍ରସ୍ତୁତ କରାଯାଇଛି । ତେବେ ଦୁଇ ବୈଠକରେ ମେଂଟ କଥା ଉଠି ନ ଥିଲା ।