କ୍ୟାପିଟାଲ୍ ହସ୍ପିଟାଲ୍ ପାଇଁ ବାପା ଦାମ ରାଉତଙ୍କ ଏଭଳି ଅବସ୍ଥା: ସମ୍ବିତ ରାଉତରାୟ


ଭୁୁବନେଶ୍ୱର: ଦାମଙ୍କ ଅବସ୍ଥା ସଙ୍କଟାପନ୍ନ ନେଇ ପୁଅ ସମ୍ବିତ ରାଉତରାୟଙ୍କ ଗୁରୁତର ଅଭିଯୋଗ । କ୍ୟାପିଟାଲ୍ ହସ୍ପିଟାଲ ପାଇଁ ଏଭଳି ଅବସ୍ଥା ହୋଇଥିବା ସେ କହିଛନ୍ତି । କ୍ୟାପିଟାଲ୍ ହସ୍ପିଟାଲ ନ ଶୁଣିବାରୁ ବାଧ୍ୟ ହୋଇ ବାପା ଦାମଙ୍କୁ ଘରୋଇ ହସ୍ପିଟାଲ୍ ଆଣିଲୁ ବୋଲି ସମ୍ବିତ କହିଛନ୍ତି ।

ସେ କହିଛନ୍ତି ୧୮ ତାରିଖ ରାତିରେ ହାର୍ଟଆଟାକ ହେବାରୁ ରାତି ୩ଟାରେ ବାପାଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣିଲୁ । ବାରମ୍ବାର କହିବା ସତ୍ୱେ କ୍ୟାପିଟାଲ ହସ୍ପିଟାଲ ସିପିଆର ଦେଲେନି । ବାଧ୍ୟ ହୋଇ ସେଠାରୁ ଆମେ ବାପାଙ୍କୁ ଘରୋଇ ହସ୍ପିଟାଲ ନେଲୁ । ସେହି ଯିବା ଆସିବା ଭିତରେ କିଛି ସମୟ ଡେରି ହୋଇଗଲା । ଡେରି ହେବାରୁ ବ୍ରେନକୁ ଅକ୍ସିଜେନ ଓ ବ୍ଲଡ ଠିକ୍ ଭାବେ ଗଲାନି । ଘରୋଇ ହସ୍ପିଟାଲରେ ସିପିଆର ଦେଲା ପରେ ହାର୍ଟ କାମ କରୁଛି । କିନ୍ତୁ ବ୍ରେନ ବହୁତ ଖରାପ ହୋଇ ଯାଇଛି । ସମ୍ବିତଙ୍କ ଏହି ସଙ୍ଗୀନ ଅଭିଯୋଗ ନେଇ କ୍ୟାପିଟାଲ ହସ୍ପିଟାଲ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି ।

ସୂଚନା ଅନୁଯାୟୀ, ୧୮ ତାରିଖ ବିଳମ୍ବିତ ରାତିରେ ଦାମ ଅସୁସ୍ଥ ହୋଇ ପଡିଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତି କରିଥିଲେ । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଦାମଙ୍କୁ ରାଜଧାନୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଦାମଙ୍କ ବ୍ରେନ ଡେଡ୍ ହୋଇଥିବା ପୁଅ ସମ୍ବିତ ସୂଚନା ଦେଇଛନ୍ତି । ଦାମଙ୍କ ଶୁଭେଚ୍ଛୁ ଓ ପ୍ରଶଂସକ ତାଙ୍କର ସୁସ୍ଥତା କାମନା କରିଛନ୍ତି ।

ସୂଚନାଯୋଗ୍ୟ, କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ଘଟଣା ଅନେକ ଥର ସାମ୍ନାକୁ ଆସି ସାରିଛି । ନିକଟରେ ଶିଶୁ ଚିହ୍ନଟ ପ୍ରସଙ୍ଗ ନେଇ କ୍ୟାପିଟାଲ ହସ୍ପିଟାଲରେ ବେଶ ତୁମ୍ବି ତୋଫାନ ହୋଇଥିଲା । ମାମଲା ହାଇକୋର୍ଟରେ ବି ପହଂଚିଥିଲା । ପୋଲିସ ତଦନ୍ତ କରିବା ସହ ଡିଏନଏ ଟେଷ୍ଟ ମଧ୍ୟ ହୋଇଥିଲା । ଆଉ ଏବେ ବରିଷ୍ଠ ବିଜେଡି ନେତା ଦାମ ରାଉତଙ୍କ ଚିକିତ୍ସା କ୍ଷେତ୍ରରେ ଅବହେଳା ଅଭିଯୋଗ ପୁଣି ଥରେ ସାମ୍ନାକୁ ଆସିଛି ।