ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନା, କସରତ ଓ ଚର୍ଚ୍ଚାର ଅନ୍ତ ଘଟିଲା । ଓଡିଶାରେ ହେବ ନାହିଁ ବିଜେପି ଓ ବିଜେଡି ମଧ୍ୟରେ ମେଂଟ । ରାଜ୍ୟରେ ବିଜେପି ଏକାକୀ ଲଢିବ ବୋଲି ସ୍ପଷ୍ଟ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏକ୍ସ ଜରିଆରେ ଏହା ସ୍ପଷ୍ଟ କରିଛନ୍ତି ମନମୋହନ । ବିଜେପି ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଏକା ଲଢିବ ।
ମନମୋହନ କହିଛନ୍ତି, ବିକଶିତ ଓଡିଶା ଗଠନ ନିମନ୍ତେ ବିଜେପି ଏକା ଲଢିବ । ମୋଦୀ ସରକାରଙ୍କ ଅନେକ ଯୋଜନା ତୃଣମୂଳସ୍ତରରେ ପହଂଚି ପାରୁନି । ଓଡିଶାର ଗରିବ ଲୋକେ କେନ୍ଦ୍ରୀୟ ଯୋଜନାର ଫାଇଦା ପାଉ ନାହାନ୍ତି । ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ସହମତ ହୋଇ ପାରୁନି । ଓଡିଶାବାସୀଙ୍କ ସ୍ୱାର୍ଥ ସହ ଜଡିତ ଅନେକ ପ୍ରସଙ୍ଗରେ ସହମତ ହୋଇ ପାରୁନୁ । ଯେଉଁଠି ଡବଲ ଇଞ୍ଜିନ ସରକାର ଅଛି, ସେଠି ବିକାଶ ତ୍ୱରାନ୍ୱିତ ହୋଇଛି । ଏହି ଅବସରରେ ବିଜେଡି ସରକାରକୁ ଧନ୍ୟବାଦ ଦେଲେ ମନମୋହନ । ମୋଦୀ ସରକାରଙ୍କୁ ଅନେକ ପ୍ରସଙ୍ଗରେ ସମର୍ଥନ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ମନମୋହନଙ୍କ ଟୁଇଟକୁ ରି-ଟୁଇଟ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକାକୀ ଲଢିବା ଟୁଇଟକୁ ରି ଟୁଇଟ୍ କଲେ ଧର୍ମେନ୍ଦ୍ର ।
विगत 10 वर्षों से, श्री नवीन पटनायक जी के नेतृत्व में ओडिशा की बीजू जनता दल (बीजेडी) पार्टी केंद्र की माननीय प्रधानमंत्री श्री नरेंद्र मोदी जी की सरकार के अनेक राष्ट्रीय महत्व के प्रसंगों में समर्थन देती आई है, इसके लिए हम उनका आभार व्यक्त करते हैं।
— Manmohan Samal (Modi Ka Parivar) (@SamalManmohan7) March 22, 2024
अनुभव में आया है कि देशभर…
ମନମୋହନ ଏକ୍ସରେ ଲେଖିଛନ୍ତି ସମଗ୍ର ଦେଶରେ ଯେଉଁଠି ଡବଲ ଇଞ୍ଜିନର ସରକାର ରହିଛି, ସେଠାରେ ବିକାଶ ଓ ଗରିବ କଲ୍ୟାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଆଉ ସେହି ରାଜ୍ୟ ପ୍ରତିଟି କ୍ଷେତ୍ରରେ ଆଗକୁ ବଢୁଛନ୍ତି । ମାତ୍ର ଓଡିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳସ୍ତରରେ ପହଂଚି ପାରୁନି । ଏଥିରେ ଓଡିଶାର ଗରିବ ଭାଇଙ୍କୁ ଯୋଜନାର ଲାଭ ମିଳୁନି । ଓଡିଶାର ଅସ୍ମିତା, ଓଡିଶାର ଗୌରବ ଓ ଓଡିଶାର ଲୋକଙ୍କ ହିତ ସହ ଜଡିତ ଅନେକ ବିଷୟରେ ଆମେ ରାଜ୍ୟ ସରକାରଙ୍କ ସହମତି ହୋଇ ପାରୁନୁ ।
୪.୫ କୋଟି ଓଡିଶାବାସୀଙ୍କ ଆଶା, ଅଭିଳାଷା ଓ ଆକାଂକ୍ଷାକୁ ପୂରା କରିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦର୍ଶୀ ନେତୃତ୍ୱରେ ବିକଶିତ ଭାରତ ତଥା ବିକଶିତ ଓଡିଶା ଗଠନ ନିମନ୍ତେ ବିଜେପି ଏଥର ଲୋକସଭାର ସମସ୍ତ ୨୧ ସିଟ୍ ଓ ବିଧାନସଭାର ସମସ୍ତ ୧୪୭ ସିଟରେ ଏକାକୀ ଲଢିବ ବୋଲି ଏକ୍ସରେ ଲେଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚଣ୍ଡିଖୋଲ ଗସ୍ତ ସହିତ ଓଡିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାକୁ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଅନେକ ଥର ଦିଲ୍ଲୀ ଡାକରା ହୋଇଥିଲା । ଏପରିକି ବିଜେଡି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଫାଇଭ୍ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଦିଲ୍ଲୀ ଯାଇଥିଲେ । ଉଭୟ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଏବଂ ନେତାଙ୍କ ମଧ୍ୟରେ ମାରାଥନ ବୈଠକ ହୋଇଥିଲା । ଏକ ପ୍ରକାର ମେଂଟ ସ୍ପଷ୍ଟ ହୋଇ ଯାଇଥିଲା । ମେଂଟ ଆସନ ଭାଗବଂଟାର ଅଙ୍କ ଛିଣ୍ଡି ପାରୁ ନ ଥିବାରୁ ମେଂଟ ନିଷ୍ପତି ଝୁଲି ରହିଥିଲା । ଆଉ ନିର୍ବାଚନ ତାରିଖ ଘୋଷଣା ସହିତ ଦୁଇ ଦଳର ନିର୍ବାଚନ ପ୍ରସ୍ତୁତି ଜୋରଦାର କରିଥିଲେ । ଏଥିରୁ ସଙ୍କେତ ମିଳିଥିଲା ଦୁଇ ଦଳ ମଧ୍ୟରେ ମେଂଟ ହେଉନାହିଁ ।
୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ୧୨ ଓ ବିଜେପି ୮ ଲୋକସଭା ସିଟରେ ନିର୍ବାଚନ ଜିତିଥିଲା । ବିଧାନସଭା ନିର୍ବାଚନରେ ବିଜେଡି ୧୧୨ ସିଟ୍ ଜିତି ସରକାର ଗଢିଥିଲା । ବିଜେପି ୨୩ ସିଟ୍ ଜିତିବାକୁ ସକ୍ଷମ ହୋଇଥିଲା । ଏଥର ଓଡିଶାରେ ଏକ ସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ମେ ୧୩, ମେ ୨୦, ମେ ୨୫ ଓ ଜୁନ ୧ ଚାରୋଟି ପର୍ଯ୍ୟାୟରେ ଓଡିଶାରେ ଭୋଟ୍ ଗ୍ରହଣ ହେବ । ସମଗ୍ର ଦେଶରେ ନିର୍ବାଚନ ଫଳାଫଳ ଜୁନ ୪ରେ ପ୍ରକାଶ ପାଇବ ।