Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍ ନିୟୋଜିତ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର:(ରାଜାରାମ ଷଡଙ୍ଗୀ): ସମ୍ବଲପୁର ଜିଲ୍ଲାର ହୀରାକୁଦ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡାଇରିଆ ସଂକ୍ରମଣକୁ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍ ନିୟୋଜିତ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଜରିଆରେ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ବିଷୟରେ ଗଭୀର ଚିନ୍ତାପ୍ରକଟ କରିବା ସହ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ହୀରାକୁଦ ଅଞ୍ଚଳରେ ଡାଇରିଆ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖାଯାଇଛି । ଡାଇରିଆକୁ ନିୟନ୍ତ୍ରଣ କରିବା ସହ ତୁରନ୍ତ ପ୍ରତିଷେଧକମୂଳକ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ ହୋଇପଡିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ଶତାଧିକ ଲୋକମାନେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ପାନୀୟ ଜଳ ସଂକ୍ରମଣ ହୋଇଥିବା କାରଣରୁ ଏହି ରୋଗ ବ୍ୟାପୁଥିବା ସନ୍ଦେହ କରାଯାଉଥିବା ବେଳେ ନିମ୍ନମାନର ପାଣି ପାଇପ ଫାଟି ଏହି ରୋଗ ବ୍ୟାପୁଥିବା ନେଇ ଲୋକମାନେ ଅଭିଯୋଗ କରିଛନ୍ତି । ଏହି ଘଟଣା ଜନସାଧାରଣ ବିଶେଷ ଭାବରେ ଶିଶୁ ଓ ବୟସ୍କ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ବଡ ବିପଦ ଦେଖାଯାଇଛି ।
ତେଣୁ ଜନସାଧାରଣଙ୍କ ଜରୁରୀକାଳୀନ ସ୍ୱାସ୍ଥ୍ୟବସ୍ଥା ସମୟରେ ଡାଇରିଆ ଆକ୍ରାନ୍ତଙ୍କୁ ଅବିଳମ୍ବେ ଆବଶ୍ୟକ ମେଡିକାଲ ସହାୟତା ଯୋଗାଇଦେବା ପାଇଁ ପ୍ରଭାବତ ଅଞ୍ଚଳରେ କେନ୍ଦ୍ରୀୟ ମେଡିକାଲ ଟିମ୍ ନିୟୋଜିତ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ । ଡାଇରିଆର ମୂଳ କାରଣକୁ ଚିହ୍ନଟ କରିବା ସହ ସଂକ୍ରମିତ ଅଞ୍ଚଳରେ ଡାଇରିଆ ନିରାକରଣ ପାଇଁ ‘ବ୍ୟାପକ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ’ ଆରମ୍ଭ କରିବା ସହ ଲୋକଙ୍କ ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନେବା ପାଇଁ ଶ୍ରୀ ପ୍ରଧାନ ଶ୍ରୀ ମାଣ୍ଡଭୀୟଙ୍କୁ ପରାମର୍ଶ ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ଗତକାଲି ଶ୍ରୀ ପ୍ରଧାନ ଆକ୍ରାନ୍ତଙ୍କୁ ସଠିକ୍ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ସମ୍ବଲପୁର ସିଡିଏମଓ ଡାକ୍ତର ସୁଜାତା ରାଣୀ ମିଶ୍ରଙ୍କ ସହ କଥା ହୋଇଥିଲେ ବୋଲି ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ