ନାଟ ନାଟୁଆ ପକ୍ଷରୁ ଆୟୋଜିତ ହେଲା ବିଶ୍ୱ ନାଟ୍ୟ ଦିବସ

ସମ୍ବଲପୁର:ସମ୍ବଲପୁର ନାଟ୍ୟ ଅନୁଷ୍ଠାନ ସମନ୍ୱୟ ସମିତି, ” ନାଟ ନାଟୁଆ ” ପକ୍ଷରୁ ଜିଲ୍ଲା ସାମ୍ବାଦିକ ସଙ୍ଘ ର ମିଳିତ ସହଯୋଗ ରେ ସାମ୍ବାଦିକ ଭବନ ଠାରେ ବିଶ୍ୱ ନାଟ୍ୟ ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି l “ନାଟ ନାଟୁଆ” ର ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ଙ୍କର ସଂଯୋଜନା ରେ ଆୟୋଜିତ ଏହି ବିଶ୍ୱ ନାଟ୍ୟ ଦିବସ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପ୍ରସାର ଭାରତୀ (ଦୂରଦର୍ଶନ ) ର ପ୍ରାକ୍ତନ ଉପ ମହା ନିର୍ଦେଶକ ବୈକୁଣ୍ଠ ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବରେ ସମ୍ବଲପୁର ମହିଳା ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ର ସହକାରୀ ପ୍ରାଧ୍ୟାପକ ଅଖିଳ ବିଶ୍ୱାଳ ଓ ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ର ସଭାପତି ସୁବାଷ ପାଣିଗ୍ରାହୀ ଯୋଗଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ, ଐତିହାସିକ ତଥା ନାଟ୍ୟକାର ଦୀପକ ପଣ୍ଡା ସଭାପତିତ୍ୱ ଦାୟିତ୍ୱ ସମ୍ପାଦନ କରିଥିଲେ l ସଂଯୋଜକ ଶ୍ରୀ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ
କମଳ ଲୋଚନ ପଣ୍ଡା ଙ୍କର ଶ୍ଳୋକବୃତ୍ତି ରେ ମାଁ ସମଲେଶ୍ୱରୀ ଓ ନାଟରାଜ ଙ୍କୁ ପୂଜାର୍ଚନା କରାଯାଇଥିଲା l ସଂଗୀତକାର ପ୍ରମୋଦ ମିଶ୍ର ଙ୍କର ଗୀତ ରଚନା ଓ ସଙ୍ଗୀତ ସଂଯୋଜନା ରେ ” ଆସରେ ଆସ ସଭେ ମିଶି ନାଟ କରମା… ” ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ସୁଶ୍ରୀ ଶ୍ରଦ୍ଧା ମିଶ୍ର ଓ ଶ୍ରୀୟା ମହାରଣା l
“ନାଟ ନାଟୁଆ” ରେ ଯୁଗ୍ମ ସଂଯୋଜକ ଅତିଥି ପ୍ରରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ l
ଏହି ପରିପେକ୍ଷି ରେ ବିଶିଷ୍ଟ ନାଟ୍ୟ ନିର୍ଦେଶକ ଉମେଶ ପ୍ରସାଦ ରଥ ଙ୍କର ନାଟ୍ୟ କ୍ଷେତ୍ର ରେ ଦୀର୍ଘ 60 ବର୍ଷ ର ଅବଦାନ ପାଇଁ ” ନାଟ୍ୟ ଭବଭୁତି ” ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପ୍ରଚ୍ଛଦ ରେ ସୁନ୍ଦର ସଂଗୀତ ଦ୍ୱାରା ଗୁଡ଼ାଏ ନାଟକ କୁ ସଫଳତା ଦେଇଥିବା “ତାର ମୁହୁରି ବାଦକ” ଦଶରଥ ମେହେର ଙ୍କୁ “ନାଟ୍ ନାଟୁଆ ସମ୍ମାନ “ରେ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥି ସହ ସମ୍ବଲପୁର ସହରରେ ପ୍ରଥମ ଥର ପାଇଁ ଆୟୋଜିତ ସମ୍ବଲପୁରୀ ଧନୁଯାତ୍ରା ର ନାଟ୍ୟକାର ବବଲୁ ବାଗ ଙ୍କୁ ମଧ୍ୟ ତାଙ୍କର ବିଶେଷ ସୃଷ୍ଟି ପାଇଁ ସମ୍ମାନିତ କରାଯାଇଥିଲା l ସମ୍ବର୍ଦ୍ଧନା ପର୍ବ କୁ ସଂଯୋଜନା କରିଥିଲେ ଅନ୍ୟତମ ଯୁଗ୍ମ ସଂଯୋଜକ ଅତିଶ କୁମାର ଶତପଥି l
ବିଶ୍ୱ ନାଟ୍ୟ ଦିବସ ର ଏବର୍ଷ ନୋବେଲ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ନାଟ୍ୟକାର ଜନ ଫୋସେ ଙ୍କର ବାର୍ତ୍ତା ର ଓଡ଼ିଆ ଭାଷାନ୍ତର ଯୁଗ୍ମ ସଂଯୋଜକ ଅତିଶ ଶତପଥି ପାଠ କରିଥିବା ବେଳେ ସାମ୍ବାଦିକ ସୁକାନ୍ତ କର ବିଶ୍ୱ ନାଟ୍ୟ ଦିବସ ର ସମ୍ବଲପୁରୀ ଭାଷା ର ବାର୍ତ୍ତା ପାଠ କରିଥିଲେ l
ମାନପତ୍ର ପାଠ କରିଥିଲେ ମାନସ ମିଶ୍ର ଓ ଅଭିଷେକ ମିଶ୍ର l
ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ସମାଜ କୁ ଅନୁକରଣ କରି ନାଟକ ରଚନା ଓ ମଞ୍ଚନ ହେବାର ଆବଶ୍ୟକତା ରହିଛି ଯଦ୍ୱାରା କୁ ସାଧାରଣ ରେ ସମାଜ ହିଁ ସଚେତନ ହେବ l ମୁଖ୍ୟ ବକ୍ତା ଶ୍ରୀ ବିଶ୍ୱାଳ ନାଟକ ର ଇତିହାସ ବିଷୟରେ ଆଲୋଚନା କରି ନାଟ୍ୟ ସାହିତ୍ୟ ର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ l ସଭାପତି ନାଟ୍ୟକାର ତଥା ସାମ୍ବାଦିକ ଦୀପକ ପଣ୍ଡା ମହର୍ଷି ଭବଭୁତି ଙ୍କୁ ସ୍ମରଣ କରିବା ସହ ତାଙ୍କର ନାଟ୍ୟ ସାହିତ୍ୟ ପ୍ରତି ତାଙ୍କର ଅବଦାନ ବିଷୟରେ ଆଲୋଚନା କରିଥିଲେ l ସମ୍ମାନିତ ଅତିଥି ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ର ସଭାପତି ଶ୍ରୀ ପାଣିଗ୍ରାହୀ ବିଗତ ଦିନର ନାଟକ ଓ ଆଜିର ନାଟକ ବିଷୟରେ ଆଲୋଚନା କରି ଥିଲେ l
ସମ୍ବର୍ଦ୍ଧନା ର ଉତ୍ତରରେ ଶ୍ରୀ ରଥ ନାଟକ କୁ ଅନୁଭବ କରି ନାଟକର ପ୍ରତିଟି ଦିଗକୁ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ l ଆଜିର ଏହି ବିଶ୍ୱ ନାଟ୍ୟ ଦିବସ କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ ଯୋଗେଶ ନନ୍ଦ, ଲଳିତ ମୋହନ ବେବର୍ତ୍ତା, ପ୍ରଶାନ୍ତ ମାଝୀ, ବଳରାମ ହୋତା, ଆଶିଷ ସୋନର ଓ ଶଙ୍କର ବେହେରା l କାର୍ଯ୍ୟକ୍ରମ ଶେଷରେ ଆଗାମୀ ଦିନରେ ସମ୍ବଲପୁର ସହରରେ କିପରି ଭାବରେ ଏକ ସ୍ୱୟଂ ସମ୍ପୂର୍ଣ୍ଣ ପ୍ରେକ୍ଷାଳୟ ପ୍ରତିଷ୍ଠା ହୋଇପାରିବ, ସେ ଦିଗରେ “ନାଟ ନାଟୁଆ” ତାର ପ୍ରୟାସ ଜାରି ରଖିବ ଏବଂ
ଆସନ୍ତା ବର୍ଷ ବିଶ୍ୱ ନାଟ୍ୟ ଦିବସ ଅବସରରେ ଯେମିତି ଏକ ନାଟକ ମଞ୍ଚସ୍ଥ ହୋଇପାରିବ ସେ ଦିଗରେ ମଧ୍ୟ ” ନାଟ ନାଟୁଆ ” ଯୋଜନା ପ୍ରସ୍ତୁତ କରିବ ବୋଲି ସଂଯୋଜକ ଶ୍ରୀ ପାଣିଗ୍ରାହୀ ସୂଚନା ପ୍ରଦାନ କରିଥିଲେ l