Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ତ୍ରୀର ମୃତ୍ୟୁ ବିଚ୍ଛେଦ ସହି ନପାରି ଝୁଲି ପଡିଲେ ସ୍ବାମୀ।

କୋକସରା:୨୯/୦୩
ପ୍ରଥମେ ଭଲପାଇବା ପରେ ପ୍ରେମ ବିବାହ କରିବା ଏବଂ ଚିର ବିଚ୍ଛେଦର ବେଦନାକୁ ସହ୍ୟ କରିନପାରି ଜୀବନ ଦେଇ ସମାଜ ପାଇଁ ଏକ ସ୍ମୃତି ହୋଇ ରହିଯିବା ଏଭଳି ଅନେକ କାହାଣୀ ଭିତରେ ଆଉ ଏକ ବାସ୍ତବ କାହାଣୀର ଉଦାହରଣକୁ ପ୍ରତିପାଦିତ କରିଛନ୍ତି ପ୍ରେମ ବିବାହିତ ଯୁବକ। ସ୍ତ୍ରୀର ମୃତ୍ୟୁ ଏବଂ ପରେ ସ୍ବାମୀ ଆତ୍ମହତ୍ୟା ଏଭଳି ଏକ ଅଭାବନୀୟ ଦୁଃଖଦ ଘଟଣା ଯାହା ଅଞ୍ଚଳକୁ ସ୍ତବ୍ଧ କରିବା ସହିତ ଭରିଦେଇଛି ଶୋକର ଛାୟା।
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳନାଗି ଗ୍ରାମ ପଞ୍ଚାୟତ ଅଧିନ ବାହାଡାଘାଟ ପୁରୁଣା ପଦର ଗ୍ରାମର ଜୋହାନ ହରିଜନ(୨୫) ଏବଂ ବିନି ହରିଜନ ଉଭୟ ଗୋଟିଏ ଗାଁର।ଉଭୟଙ୍କ ମଧ୍ୟରେ ଗଢି ଉଠିଥିବା ପ୍ରେମର ନିବିଡ ସମ୍ପର୍କ ନେଇଥିଲା ଏବଂ ଗତ ବର୍ଷ ଉଭୟେ ପ୍ରେମ ବିବାହ କରିଥିଲ।ଗତ ୨୪ ତାରିଖ ରବିବାର ଦିନ ବିନିଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ତୁରନ୍ତ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।ବିନି ୭ ମାସର ଗର୍ଭବତୀ ଥିଲେ।ସ୍ୱାସ୍ଥ୍ୟ ପରୀକ୍ଷା ପରେ ବିନି ରକ୍ତହୀନତାର ଶିକାର ହୋଇଥିବା କାରଣରୁ ତେନ୍ତୁଳିଖୁଣ୍ଟି ଡାକ୍ତର ବିନିଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ।ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ ମହିଳା ବିନିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ହିମଗ୍ଲୋବିନ ୨ ପ୍ରତିଶତ ଥିବା ଜଣାପଡିଥିଲା।ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଥିବା ଯୋଗୁଁ ବାହାରୁ ରକ୍ତ ଯୋଗାଡ଼ ପାଇଁ ପରାମର୍ଶ ମିଳିଥିଲା।ଖବର ପାଇ ଉଦୟପୁର ଗ୍ରାମର ତ୍ରିନାଥ ହରିଜନ ରକ୍ତ ଦେବା ପାଇଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପୁର୍ବରୁ ବିନିଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ। ଏହାପରେ ସ୍ୱାମୀ ଜୋହନଙ୍କ ସମେତ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିଲେ।ଅପରାହ୍ନରେ ନିଜ ପତ୍ନୀ ବିନିଙ୍କ ଶବ ନେଇ ନିଜ ଗାଁକୁ ଆସି ସ୍ବାମୀ ଜୋହନ ଘର ପଛପଟେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।ଏହାପରେ ପରିବାର ଲୋକେ ଜୋହନଙ୍କୁ ନେଇ ଇନ୍ଦ୍ରାବତୀ ଡାକ୍ତରଖାନା ନେଇଥିଲେ।ସେଠାରୁ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାକୁ ଅଣାଯାଇଥିଲା।ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଆସିବା ପରେ ଜୋହନଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର କହି ତେନ୍ତୁଳିଖୁଣ୍ଟି ଥାନାକୁ ଖବର ଦେଇଥିଲେ।ତେବେ ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ ୫/୨୪ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ତା ପରଦିନ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଥିବା ବେଳେ ଥୁଆମୂଳ ରାମପୁର ଥାନାକୁ ମଧ୍ୟ ସୂଚନା ଦେଇଥିବା କହିଛନ୍ତି।