Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରେଢାଖୋଲ: ସ୍ଥାନୀୟ ପ୍ରାର୍ଥୀ ନେଇ ତେଜୁଛି ସ୍ୱର,ଆଗକୁ କିଛିବି ହୋଇପାରେ !

ସମ୍ବଲପୁର(ରେଢାଖୋଲ):ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ପ୍ରାର୍ଥୀକୁ ନେଇ ସ୍ୱର ଶାଣିତ ହେବାରେ ଲାଗିଛି।ଥରେ ନୁହଁକି ୨ ଥର ବାରମ୍ବାର ବାହାର ପ୍ରାର୍ଥୀଙ୍କୁ ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ଯେଭଳି ଥଇଥାନ କରାଯାଉଛି ତାକୁ ଆଉ ବରଦାସ୍ଥ କରିହେବ ନାହିଁ ବୋଲି ରୋକଠୋକ୍ ଜଣାଇଦେଲେଣି ସ୍ଥାନୀୟ ନେତା। ଏପରିକି ଦଳ ଯଦି ଏଭଳି କରନ୍ତି ତେବେ ପରିସ୍ଥିତି ବଦଳିପାରେ ବୋଲି ମେଳି ହେଲେଣି ରେଢାଖୋଲ ରୁ ଯୁଯୋମୁରା ଓ ମାନେଶ୍ୱରରୁ ନାକଟିଦେଉଲ ପର୍ଯ୍ୟନ୍ତ ବିଭିନ୍ନ ଦଳର ସ୍ଥାନୀୟ ନେତା।
୨୦୧୯ ଠାରୁ ସ୍ଥାନୀୟ ପ୍ରାର୍ଥୀ ନେଇ ସ୍ୱର ଉଠିଛି।ସ୍ଥାନୀୟ ନେତାଙ୍କ ମଧ୍ୟରେ କଠୋର ପନ୍ଥା ଆରମ୍ଭ କରାଯାଇ ମସ୍ତବଡ ଏକତା ମଞ୍ଚରେ ସ୍ଥାନୀୟ ପ୍ରତିନିଧିତ୍ୱ ସ୍ୱରକୁ ରେଢାଖୋଲରୁ ରାଜଧାନୀ ଯାଏ ଯାଇଥିଲା। ବର୍ତ୍ତମାନ ଏହି ସ୍ୱର ଗାଁ ଗାଁରୁ ଆରମ୍ଭ ହୋଇ ବ୍ୟାପକ କରାଯିବାର ବ୍ୟବସ୍ଥା କରାଯାଉଛି।ରେଢାଖୋଲ କ୍ରମଶଃ ରାଜନୈତିକ ଶୂନ୍ୟତା ଆଡକୁ ଗତି କରିବାରେ ଲାଗିଛି। ଫଳରେ ପ୍ରଗତି ଅପେକ୍ଷା ବିନାଶ ଆଡକୁ ରେଢାଖୋଲ ଯାଉଥିବା କରଣରୁ ବାହ୍ୟ ପ୍ରାର୍ଥୀ ଉପରେ ଲୋକଙ୍କ ଭରସା ପାଉନି।ରେଢାଖୋଲ ମାଟିର ସାମାଜିକ ବିକାଶ ସହିତ ସଂସ୍କୃତି, ପର୍ଯ୍ୟଟନ,ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,ଜଳସେଚନ,ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ଏଯାଏଁ ରେଢାଖୋଲ ନିର୍ବାଚନ ମଣ୍ଡଳୀ ବାସୀ ବଞ୍ଚିତ ରହୁଛନ୍ତି। ଏଭଳି ସମସ୍ୟା କ୍ରମଶଃ ବଢୁଥିବା ବେଳେ ଶାସକ,ପ୍ରଶାସକ ନୀରବଦ୍ରଷ୍ଟ ସାଜିଛନ୍ତି।ସମସ୍ୟା ବଢି ଚାଲିଥିଲେବି ପ୍ରଶାସନିକ ଅଣଦେଖା ପ୍ରଗତିର ବାଧକ ସାଜିଛି।ଏହି ସବୁ ଥଇଥାନ ଓ ଆମଦାନୀ ନେତା ନିଜକୁ ବଞ୍ଚାଇବାକୁ ଯାଇ ଅଞ୍ଚଳକୁ ବରବାଦ୍ କରିଦେବାର ଭୟ ଥିବାରୁ ଆଞ୍ଚଳିକ ପ୍ରାର୍ଥୀ ଉପରେ ନିର୍ବାଚନ ମଣ୍ଡଳୀ ବାସୀ ଯୋର ଦେଲେଣି। ଏହା ନହେଲେ ଲୋକଙ୍କ ରୋଷ ବଢିବାରେ ଲାଗିବ ଓ ପରିସ୍ଥିତି ଅଧିକ ଜଟିଲ ହେବ ବୋଲି ସ୍ଥାନୀୟ ନେତା ମାନେ ମତପୋଷଣ କରୁଛନ୍ତି। ନିକଟ ଅତୀତରେ କୁବେଲ ମନ୍ଦିର ଠାରେ କେତେକ ନେତା ଏକାଠି ହୋଇ ସ୍ଥାନୀୟ ପ୍ରାର୍ଥୀ ନଦେଲେ ରେଢାଖୋଲ ବାସୀ ମିଳିତ ପ୍ରାର୍ଥୀ ଦେଇ ରାଜନୈତିକ ଚ୍ୟାଲେଞ୍ଚର ସମ୍ମୁଖୀନ ହେବାକୁ ଆହ୍ୱାନ ଦେଇଛନ୍ତି। ରେଢାଖୋଲରେ ସ୍ଥାନୀୟ ନେତାଙ୍କୁ ଗୁରୁତ୍ୱରେ ପରିବର୍ତ୍ତନ ଆଣିବାକୁ ସବୁ ଦଳର ମୁଖିଆଙ୍କ ଠାରେ ଅନୁରୋଧ କରାଯାଇଛି ।ଏପରିକି ଯେଉଁ ଦଳ ସ୍ଥାନୀୟ ପ୍ରାର୍ଥୀକୁ ଗୁରୁତ୍ୱ ଦେବେ ଦଳମତ ନିର୍ବିଶେଷରେ ସେଭଳି ପ୍ରାର୍ଥୀ ସମର୍ଥନ ପାଇବେ।ଏଥି ପାଇଁ ଏକ ପ୍ରେସର ଗ୍ରୁପ୍ ଏବେ କାମ ଆରମ୍ଭ କରିଛି। ଏପରିକି ପ୍ରାର୍ଥୀ ମନଲାଖି ନହେଲେ ୪ ବ୍ଲକର ନେତୃ ସ୍ଥାନୀୟ ଏକାଠି ହୋଇ ଏକ ମିଳିତ ପ୍ରାର୍ଥୀ ଦେବାକୁ ମଧ୍ୟ ଯୋଜନା କରୁଛନ୍ତୁି। ଆଜି ଏହି ନିଆଁରେ ଘିଅ ଢାଲି ଏଲଢ଼େଇକୁ ଅଧିକ ତେଜିଆନ କରିଛନ୍ତି ରେଢାଖୋଲର ଅଗ୍ରଣୀ ନେତା ପ୍ରଦୀପ ପ୍ରଧାନ। ଗଣମାଧ୍ୟମ ଆଗରେ ଦୀର୍ଘ ଦିନର ଅତ୍ୟାଚା୍ରୁ ମୁକ୍ତ ହୋଇ ସ୍ଥାନୀୟ ପ୍ରାର୍ଥୀ ନେଇ ସେ ମୁହଁ ଖୋଲିଛନ୍ତି । ଏହା ନହେଲେ ଆଗକୁ ସମସ୍ତଙ୍କ ନିଷ୍ପତ୍ତି କ୍ରମେ କଠୋର ନିଷ୍ପତ୍ତି ନେବାକୁ ସମସ୍ତେ ବାଧ୍ୟ ହେବେ ବୋଲି ଚେତାବନି ଶୁଣାଇଛନ୍ତି। ଅପର ପକ୍ଷରେ ଆମଦାନି ଓ ଥଇଥାନ ନେତାଙ୍କ ଯୋଗୁଁ ଲୋକଙ୍କ ସ୍ୱର ସହିତ ବା ତାଙ୍କ ଯେ କୌଣସି ଆନ୍ଦୋଳନରେ ଏହି ଆମଦାନି ବା ଥଇଥାନ ନେତାଙ୍କ ମତଭେଦ ରହୁଛି।ତେଣୁ ସୁବିଧାବାଦୀ ରାଜନୀତିରେ ଅଞ୍ଚଳର ଅସଲ ଦାବିକୁ ଚାପି ଦେବାରେ ସେମାନଙ୍କ ପ୍ରମୂଖ ଭୂମିକା ରହୁଥିବାରୁ ନିର୍ବାଚନ ମଣ୍ଡଳୀ ବାସିଙ୍କ ମଧ୍ୟରେ କ୍ରମଶଃ ଅସନ୍ତୋଷ ବଢିବାରେ ଲାଗିଛି। ରେଢାଖୋଲ ରାଜନିତୀ ଶୂନ୍ୟ ହୋଇ ଯୋରଯାର ମୂଲକ ତାରରେ ଚାଲିଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳର ସମାଜସେବୀ ଡା.ରାଜାରାମ ଷଡଙ୍ଗୀ। ରାଜନୈତିକ ଶୁନ୍ୟ ନେତୃତ୍ୱ ପାଇଁ ବିଭିନ୍ନ ବ୍ଲକ ଗୁଡିକ ବ୍ୟବସାୟିକ ମାନଙ୍କ ହାତରେ ଟେକି ଦେଇ ନେତା ବ୍ୟବସାୟରେ ମାତି ବିକାଶ ଅର୍ଥକୁ ହରିଲୁଟ କରିନେଉଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଡା.ଷଡଙ୍ଗୀ ।ଏହି ରାଜନୈତିକ ଶୂନ୍ୟତାର ଶୂନ୍ୟସ୍ଥାନ ପୂରଣ ନେଇ ସେ ଖୋଲା ରାଜନୀତିରେ ଅବତୀର୍ଣ୍ଣ ହେବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି। ତାଙ୍କ ପରି ସୁଦର୍ଶନ ସାହୁ,ରାଜାପାଲ,ସୁବୋଧ କୁମାର ବେହେରା,କୈଳାସ ବାଗ୍,ସୂର୍ଯ୍ୟ ପାଣିଗ୍ରାହୀ,ଅନୀଲ ଭୋଇ ପ୍ରଭୃତି ନେତୃ ସ୍ଥାନୀୟ ପ୍ରତିନିଧିତ୍ୱ ଉପରେ ଯୋର ଦେଇଛନ୍ତି।ତେଣୁ ଚଳିତ ସାଧାରଣ ନିର୍ବାଚନ ପାଇଁ ବାହ୍ୟ ପ୍ରାର୍ଥୀ ଦଳ ମାନଙ୍କୁ ମହଙ୍ଗା ପଡିପାରେ ।ରେଢାଖୋଲରେ ସ୍ଥାନୀୟ ପ୍ରାର୍ଥୀ ବିଷୟ ବର୍ତ୍ତମାନ ଯୋର ଧରିଛି ।ଏହି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ମୁଖ୍ୟ ଦଳ ଗୁଡିକରୁ ଯେଉଁ ସବୁ ପ୍ରାର୍ଥୀ ମାନଙ୍କ ନାମ ଉଠୁଛି ସମସ୍ତେ ବାହ୍ୟ ନିର୍ବାଚନ ମଣ୍ଡଳୀର ହୋଇଥିବାରୁ ସ୍ଥାନୀୟ ନେତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ବାହ୍ୟ ପ୍ରାର୍ଥୀକୁ ସମର୍ଥନ ନାହିଁର ଡାକରା ଦେଇ “ସ୍ଥାନୀୟ ନେତୃତ୍ୱ: ଆମ ଦାୟିତ୍ୱ” ଭଳି ସ୍ଲୋଗାନକୁ ବ୍ୟାପକ କରିବାରେ କାର୍ଯ୍ୟ ଆରମ୍ଭ ହୋଇଛି।