ଆଜି ବିଜେପିରେ ମିଶି ପାରନ୍ତି ଅନୁଭବ ମହାନ୍ତି, ୨ ଦିନ ତଳେ ଛାଡିଥିଲେ ବିଜେଡି


ଭୁବନେଶ୍ୱର: ନିକଟରେ ବିଜେଡି ଛାଡିଥିବା ସାଂସଦ ତଥା ଅନୁଭବ ମହାନ୍ତି ଆଜି ବିଜେପିରେ ସାମିଲ ହୋଇ ପାରନ୍ତି । ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଅନୁଭବଙ୍କ ପଦ୍ମ ଧରିବାର ସମ୍ଭାବନା ରହିଛି । ୨ ଦିନ ତଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ଏହା ପରେ ତାଙ୍କର ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ଜାରି ରହିଛି ।

ଶନିବାର ସଭାପତି ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲେ କେନ୍ଦ୍ରାପଡା ସାଂସଦ ଅନୁଭବ । ଅନେକ ଦିନରୁ ଦଳରେ ସେ କୋଣଠେସା ହୋଇ ରହିଥିଲେ । ଅନୁଭବ ମହାନ୍ତି ୨୦୧୩ରେ ବିଜେଡିରେ ଯୋଗ ଦେଇ ରାଜନୀତି ମଇଦାନରେ ପାଦ ଦେଇଥିଲେ । ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । ଏହା ସହିତ ଅନୁଭବ ରାଜ୍ୟସଭାକୁ ମନୋନୀତ ହେବାରେ ସର୍ବକନିଷ୍ଠ ନେତା ହୋଇଥିଲେ । ଏହା ପରେ ସେ ୨୦୧୯ ଲୋକସଭା ନିର୍ବାଚନ ଲଢିଥିଲେ । ଗତ ନିର୍ବାଚନରେ ସେ ବୈଜୟନ୍ତ ପଣ୍ଡାଙ୍କ ପୁରୁଖା ନେତାଙ୍କୁ ୨ ଲକ୍ଷରୁ ଅଧିକ ଭୋଟରେ ହରାଇ ରାଜନୀତିରେ ଚହଳ ପକାଇଥିଲେ। ୨୦୧୯ରେ ସେ ବିଜୁ ଜନତା ଦଳର ଜଣେ ଷ୍ଟାର ପ୍ରଚାରକ ମଧ୍ୟ ଥିଲେ । ତେବେ କେନ୍ଦ୍ରାପଡାର ସାଂସଦ ହେବା ପରେ ସେ ନିଜର ବ୍ୟକ୍ତିଗତ ତଥା ଘରୋଇ କଳହ ଯୋଗୁଁ ରାଜନୀତିରେ ସକ୍ରିୟ ରହି ପାରି ନ ଥିଲେ । ଏପରିକି ବିଜେଡିରେ ସେ ଅବହେଳିତ ଓ କୋଣଠେସା ହୋଇ ରହିଥିଲେ । ଆଉ ଶନିବାର ସେ ବିଜେଡି ଛାଡିଛନ୍ତି । ଆଜି ତାଙ୍କର ବିଜେପିରେ ମିଶିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ହୋଲି ଏବଂ ଦୋଳ ପୂର୍ଣ୍ଣିମା ଅବସରରେ କଟକ ସାଂସଦ ଭର୍ତୃହରି ମହତାବଙ୍କ ଦ୍ୱାରା ଆୟୋଜିତ ହୋଲି ଉତ୍ସବରେ ସାମିଲ ହୋଇଥିଲେ ଅନୁଭବ । ଏଠାକୁ ସେ କୌଣସି ନେତା ହିସାବରେ ଆସି ନାହାନ୍ତି ବରଂ ଭର୍ତୃହରି ମହତାବଙ୍କ ଡାକରା ପାଇ ସାଧାରଣ ମଣିଷ ଭାବେ ଆସିଛି ବୋଲି କହିଥିଲେ। ବିଜେପିରେ ମିଶିବା ପରେ ଦଳ ତାଙ୍କୁ କେଉଁଠୁ ପ୍ରାର୍ଥୀ କରୁଛି ତାହା ଦେଖିବା ବାକି ରହିଲା । କାରଣ ଲୋକସଭା ପାଇଁ ବିଜେପି ସମସ୍ତ ୨୧ ସିଟରେ ପ୍ରାର୍ଥୀ ଘୋଷଣା କରି ସାରିଛି । କେନ୍ଦ୍ରାପଡାରୁ ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ପ୍ରାର୍ଥୀ କରିଛି ।