ବିଜେଡି ଛାଡିଲେ ସନ୍ଧ୍ୟାବତୀ ପ୍ରଧାନ, ଇସ୍ତଫା ପତ୍ରରେ ନବୀନଙ୍କୁ ଶୁଣାଇଲେ କଡା କଥା


ଭୁବନେଶ୍ୱର: ବିଜେଡିକୁ ପୁଣି ଝଟକା । ଦଳ ଛାଡିଲେ ପୂର୍ବତନ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ସୋମବାର ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ଏହା ସହିତ ଇସ୍ତଫା ପତ୍ରରେ ନବୀନଙ୍କୁ କଡା କଥା ଶୁଣାଇଛନ୍ତି ସନ୍ଧ୍ୟାବତୀ ।

ସେ ଲେଖିଛନ୍ତି ଆମ କଥା ଆପଣଙ୍କ ନିକଟରେ ପହଂଚି ପାରୁନି । ବ୍ୟକ୍ତିଗତ ସ୍ୱାର୍ଥ ଥିବା ଏକ କୋଟେରୀ ଗ୍ରୁପ ଆପଣଙ୍କୁ ଘେରି ରହୁଛନ୍ତି । କୋଟେରୀ ଗ୍ରୁପ ଘେରି ରହିଥିବାରୁ ଆମ କଥା ଆପଣଙ୍କ ନିକଟରେ ପହଂଚି ପାରୁନି । ଆମ ଅଭିଯୋଗ, ପରାମର୍ଶ ଶୁଣିବାକୁ ଆପଣଙ୍କ ଦ୍ୱାର ପୂରା ବନ୍ଦ ହୋଇ ଯାଇଛି ।

ସନ୍ଧ୍ୟାବତୀ କହିଛନ୍ତି ସେ ମହିଳା ସଶକ୍ତୀକରଣ ଓ ଶିଶୁ ଅଧିକାର ସୁରକ୍ଷା କ୍ଷେତ୍ରରେ ନିଜର କାର୍ଯ୍ୟ ନିଷ୍ଠାପୂର୍ବକ କରିଛନ୍ତି । ମୋତେ ଯେଉଁ ସବୁ ଦାୟିତ୍ୱ ଦିଆଯାଇଥିଲା ତାହା ସଚ୍ଚୋଟତାର ସହ ପୁରା କରିଛି । ଆପଣ ନିର୍ଦ୍ଦେଶ ଓ ମାର୍ଗଦର୍ଶନରେ ମୁଁ ମହିଳା ସଶକ୍ତିକରଣ ଓ ଶିଶୁ ସୁରକ୍ଷାକୁ ଉନ୍ନତସ୍ତରକୁ ନେଇ ପାଇଁ ନିଜର ସର୍ବଶ୍ରେଷ୍ଠ ଉଦ୍ୟମ କରିଛନ୍ତି ।

ସେ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, ବିଜୁ ଜନତା ଦଳର ସାଂପ୍ରତିକ ସ୍ଥିତି ଦେଖି ମୋର ଏହି ଦଳ ପ୍ରତି ମୋହଭଙ୍ଗ ହୋଇ ଯାଇଛି । ମୁଁ ଦୁଃଖର ସହ ବିଜେଡି ଛାଡିବାକୁ ନିର୍ଣ୍ଣୟ ନେଇଛି । ତେଣୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି ।