ସିଦ୍ଧାନ୍ତ ଓ ଆକାଶଙ୍କୁ ମିଳିଲା ବିଧାନସଭା ଟିକେଟ୍‌, ଜାଣନ୍ତୁ କେଉଁ ଆସନରୁ ଲଢିବେ ଦୁଇ ଅଭିନେତା


ଭୁବନେଶ୍ୱର: ନିକଟରେ ବିଜେଡି ଛାଡି ବିଜେପିରେ ମିଶିଥିବା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ଲଢିବେ ବିଧାନସଭା ନିର୍ବାଚନ । ଉଭୟଙ୍କୁ ବିଜେପି ବିଧାନସଭା ପ୍ରାର୍ଥୀ କରିଛି । ଆଜି ଘୋଷିତ ୧୧୨ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକାରେ ଦୁଇ ଅଭିନେତାଙ୍କ ନାଁ ରହିଛି । ସିଦ୍ଧାନ୍ତଙ୍କୁ ବିଜେଡିର ଗଡ କୁହାଯାଉଥିବା ଦିଗପହଣ୍ଡିରୁ ପ୍ରାର୍ଥୀ କରାଯାଇଥିବା ବେଳେ ଆକାଶଙ୍କୁ କୋରେଇକୁ ପ୍ରାର୍ଥୀ କରାଯାଇଛି ।

ଦିଗପହଣ୍ଡିରେ ସିଦ୍ଧାନ୍ତଙ୍କ ମୁକାବିଲା ଦିବଙ୍ଗତ ବିଜୁ ଜନତା ଦଳର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କ ସହ ହେବ । ଏଠାରୁ ସୂର୍ଯ୍ୟନାରାୟଣ ପାତ୍ର ଲଗାତାର ନିର୍ବାଚନ ଜିତି ଆସୁଥିଲେ । ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁର ଲୋକସଭା ସିଟରେ ୨୦୦୯ ଓ ୨୦୧୪ରେ ଲଢି ଜିତିଥିଲେ । ତାଙ୍କର ଗଞ୍ଜାମ ଜିଲ୍ଲାରେ କିଛିଟା ପତିଆରା ରହିଛି । ସେହିପରି ଆକାଶଙ୍କୁ ଦଳ କୋରେଇରୁ ପ୍ରାର୍ଥୀ କରିଛି । ୨୦୧୪ରେ ଆକାଶ ବିଜେଡି ଟିକେଟରେ ନିର୍ବାଚନ ଲଢି ଜିତିଥିଲେ । ବିଜେଡିରେ କଣଠେସା ହେବା ପରେ ସେ ବିଜେପିରେ ନିଜର ନୂତନ ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି ।

୧୧୨ ଜଣିଆ ତାଲିକାରେ ସାଂସଦ ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟଙ୍କ ନାମ ନାହିଁ । ବୋଧହୁଏ ଅବଶିଷ୍ଟ ୩୫ ଆସନରେ ଘୋଷଣା ସମୟରେ ଉଭୟଙ୍କ ନାଁ ଦେଖିବାକୁ ମିଳିବାର ସମ୍ଭାବନା ରହିଛି । ଅନୁଭବଙ୍କୁ କୌଣସି ହାଇଭୋଲଟେଜ୍ ଆସନରୁ ପ୍ରାର୍ଥୀ କରାଯାଇପାରେ ।