ରାଜଧାନୀରେ ୪୦ ଡିଗ୍ରୀ ଛୁଇଁଲା ପାରଦ, ଅସହ୍ୟ ଗରମରେ କାମ କରୁନି ଏସି


ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଆଉଟୁପାଉଟୁ ରାଜ୍ୟବାସୀ । ସକାଳ ୧୦ଟା ହେଲେ ଅସହ୍ୟ ତାତି ଅନୁଭୂତ ହେଉଛି । ବିଶେଷ କରି ଆଜି ରାଜଧାନୀ ଭୁବନେଶ୍ୱର ସହ ସାରା ରାଜ୍ୟରେ ପ୍ରବଳ ଖରା । ଦିନ ସାଢେ ୧୧ଟାରେ ଭୁବନେଶ୍ୱରରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ଡେଇଁଛି । ୩୯.୮ ଡିଗ୍ରୀ ସହ ଭୁବନେଶ୍ୱର ଏବେ ରାଜ୍ୟର ସର୍ବାଧିକ ଉତପ୍ତ ସହର ପାଲଟିଛି । ଫଳରେ ଅସହ୍ୟ ଗରମରେ କୁଲର ତ ଦୂରର କଥା ଏସି ମଧ୍ୟ କାମ କରୁନି, ଯାହା ରାଜଧାନୀବାସୀଙ୍କୁ ଆହୁରି କଲବଲ କରିଛି ।

ଏମିତି ଯଦି ଆଉ କିଛି ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୁଏ ତେବେ କଂକ୍ରିଟ ଜଙ୍ଗଲରେ ଉପରେ ଛିଡା ଭୁବନେଶ୍ୱର ଏବଂ ରାଜଧାନୀବାସୀଙ୍କ ଅବସ୍ଥା କଣ ହେବ ତାହା ନ କହିବା ଭଲ । ସ୍ଥିତି ଏମିତି ଯେ ଏସି ମଧ୍ୟ କାମ କରୁନି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ଏଭଳି ସ୍ଥିତି ଆହୁରି ୨ ରୁ ୩ ଦିନ ଲାଗିବ ।

ଦିନ ସାଢେ ୧୧ଟାରେ କେନ୍ଦୁଝର ୩୯.୨, ବାଲେଶ୍ୱର ଓ ଝାରସୁଗୁଡା ୩୮ ଡିଗ୍ରୀ, ରାଉରକେଲା ୩୭.୮, ଚାନ୍ଦବାଲି ଓ ସମ୍ବଲପୁର ୩୭.୪ ରେକର୍ଡ କରାଯାଇଛି । ଏହା ପୂର୍ବରୁ ଆଜି ସକାଳ ୮ଟା ୩୦ ସୁଦ୍ଧା ୭ଟି ସହରର ପାରଦ ୩୦ ଡିଗ୍ରୀ ଟପିଥିଲା । କେନ୍ଦୁଝରରେ ସର୍ବାଧିକ ୩୨.୬ ଡିଗ୍ରୀ ରେକର୍ଡ କରାଯାଇଛି । ଚାନ୍ଦବାଲି ୩୧.୬, ଭୁବନେଶ୍ୱର ୩୧.୨, ବାଲେଶ୍ୱର ୩୦.୮, ଝାରସୁଗୁଡ଼ା ଓ ସମ୍ବଲପୁର ୩୦.୬ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ଏଭଳି ସ୍ଥିତି ଆହୁରି ୨ ରୁ ୩ ଦିନ ଲାଗି ରହିବ। ସମ୍ଭାବ୍ୟ ସ୍ଥିତିକୁ ଦେଖି ୬ ତାରିଖ ଯାଏଁ ୧୧ଟି ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣି ଜାରି କରାଯାଇଛି ।