ବୀରମହାରାଜପୁର ବିଧାନସଭା ନିର୍ବାଚନ ରେ ପୁଣି ବିଜେଡି-ବିଜେପି ମଧ୍ୟରେ ଲଢେଇ ହେବା ସମ୍ଭାବନା ଦେଖା ଯାଉଥିବା ବେଳେ ଚିନ୍ତା ବଢ଼ାଇଛି ଅସନ୍ତୁଷ୍ଟ ବିଜେଡି ନେତା


ବୀରମହାରାଜପୁର : (ସୌମିତ୍ରି ମେହେର)
ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 64-ବୀରମହାରାଜପୁର (ସଂରକ୍ଷିତ) ବିଧାନସଭା ଆସନରେ 2019 ରେ ସମୁଦାୟ 9 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ l ମୁଖ୍ୟତଃ ବିଜେଡି ର ପଦ୍ମନାଭ ବେହେରା ଓ ବିଜେପି ର ରଘୁନାଥ ଜଗଦଳା ମଧ୍ୟରେ ଲଢେଇ ହୋଇଥିବାବେଳେ କଂଗ୍ରେସ ର ବିନୋଦ ପାତ୍ର ତୃତୀୟ ସ୍ଥାନରେ ରହିଥିଲା I ରାଜ୍ୟରେ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ନେତା , କର୍ମୀ ଓ ଆଶାୟୀ ଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ବଢ଼ିବାରେ ଲାଗିଛି I କିଛିଦିନ ପୂର୍ବରୁ ବିଜେପି ଏହି ଆସନରୁ ପୁନର୍ବାର ରଘୁନାଥ ଜଗଦଲା ଉପରେ ଆଶାବ୍ୟକ୍ତ କରି ଟିକେଟ ଦେବା ଘୋଷଣା କରିଛି I ସେହିପରି ବିଜେଡ଼ି ପଦ୍ମନାଭ ବେହେରା କୁ ଚତୁର୍ଥ ଥର ଟିକଟ ଦେଇଛି l ହେଲେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ବିଜେଡି ତରଫରୁ ବିଧାନସଭା ଲଢେଇ କରିବାକୁ ପ୍ରାୟ ତିନି ବର୍ଷ ଧରି ସମସ୍ତ ସମର୍ଥକ ତଥା ବିଜେଡି ର କର୍ମକର୍ତ୍ତା ଙ୍କୁ ନେଇ ପ୍ରସ୍ତୁତି କରିଥିବା ବେଳେ ଶେଷ ମୁହୂର୍ତ୍ତରେ ତାଙ୍କୁ ଦଳ ମୁଖିଆ ସୁଯୋଗ ଦେଇନଥିଲେ I ଫଳରେ ଶ୍ରୀ ଲୁହା ଙ୍କ ସମର୍ଥକ ମାନେ ଏକତ୍ରିତ ହୋଇ ପଦ୍ମନାଭ କୁ ବିରୋଧ କରି ମା ମାଟିର ଛୁଆ – ନାରାୟଣ ଲୁହା , ବିଦେଶୀ ହଟାଓ- ବୀରମହାରାଜପୁର ବଞ୍ଚାଓ ଆଦି ବିଭିନ୍ନ ନାରାବାଜି କରୁଥିବା ଦେଖାଦେଇଛି I ଏପରିସ୍ଥିତିରେ ସ୍ଥାନିୟ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ ଗୁରୁବାର ନାରାୟଣ ଙ୍କ ସମର୍ଥକ ତଥା ଶୁଭେଚ୍ଛୁ ମାନଙ୍କୁ ନେଇ ଏକ ବୈଠକ ବସିଥିଲା l ସମସ୍ତଙ୍କ ମତ ଥିଲା ନାରାୟଣ ଲୁହା କୁ ବିଧାନସଭା ପଠାଇବା I ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉଲୁଣ୍ଡା ଓ ବିନିକା ବ୍ଲକ ଅଞ୍ଚଳର ତାଙ୍କ ସମର୍ଥକ ମାନଙ୍କର ମତାମତ ନେଇ ଆଗାମି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ବୋଲି ନାରାୟଣ ଶେଷରେ ଘୋଷଣା କରିଥିଲେ I ସୂଚନା ଯେ ପ୍ରମୁଖ ତିନି ମୁଖ୍ୟ ରାଜନୈତିକ ଦଳ ରୁ ବିଜେପି , ବିଜେଡି ପ୍ରାର୍ଥୀ ଘୋଷଣା କରିଥିବାବେଳେ କଂଗ୍ରେସ ଦଳ ପକ୍ଷରୁ ଏହି ଆସନ ପାଇଁ କିଏ ପ୍ରାର୍ଥୀ ହେବ ଘୋଷଣା ହୋଇନଥିବାରୁ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢି ଚାଲିଛି I ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ବୀରମହାରାଜପୁର ବିଧାନସଭା ନିର୍ବାଚନ ନାରାୟଣ ଲୁହା ଙ୍କୁ ନେଇ ଗତି କୁଆଡେ I ସମୟ କହିବ —–