ସଚେତନତା ବାର୍ତ୍ତା ନେଇ ସାଇକଲରେ ଯୁବକଙ୍କ ଭାରତ ଯାତ୍ରା


ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ବିଭିନ୍ନ ସଚେତନତା ବାର୍ତ୍ତା ନେଇ ଆଜି ସାଇକଲରେ ଭାରତ ଯାତ୍ରା ଆରମ୍ଭ କରିଛନ୍ତି ସୋନପୁର କଲେଜର ପ୍ରାକ୍ତନ ଏନସିସି କ୍ୟାଡେଟ ଶ୍ରୀମାନ ସତ୍ୟନାରାୟଣ ବାଗ। ଏକ ଭାରତ ଶ୍ରେଷ୍ଠ ଭାରତ, ମତଦାନର ମହତ୍ତ୍ଵ ଓ ସ୍ବଚ୍ଛ ଭାରତର ବାର୍ତ୍ତା ପରିପ୍ରେକ୍ଷୀରେ ଭାରତର ବିଭିନ୍ନ ସଂସ୍କୃତି, ପୋଷାକ, ଚାଲି ଚଳନକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ସହ ସ୍ବଚ୍ଛତା ଓ ଆଗାମୀ ସଧାରଣ ନିର୍ବାଚନରେ ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କ ଯାଏଁ ବହୁମୂଲ୍ୟ ମତଦାନର ମହତ୍ତ୍ଵ ଓ ଏଥିରେ ଶତ ପ୍ରତିଶତ ସମସ୍ତଙ୍କ ସହଭାଗିତା ସହିତ ଏକ ସଶକ୍ତ ରାଷ୍ଟ୍ର ଗଠନ କରିବା ପ୍ରମୁଖ ସଚେତନତା ବାର୍ତ୍ତା ନେଇ ସାରା ଭାରତ ପରିଭ୍ରମଣ ପାଇଁ ପ୍ରସ୍ତୁତି କରିଥିବା ଶ୍ରୀମାନ ବାଗଙ୍କ ଏହି ଦୁଃସାହସିକ ସାଇକଲ ଯାତ୍ରାକୁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଓ ଏସପି ଶ୍ରୀ ୟସ୍ ପ୍ରତାପ ଶ୍ରୀମାଲ୍ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ। ଫୁଲ ତୋଡା ଓ ଉପଢୌକନ ପ୍ରଦାନ ପୂର୍ବକ ଶ୍ରୀ ବାଗ ଙ୍କୁ ଶୁଭ କାମନା ଓ ଉତ୍ସାହ ପ୍ରଦାନ କରିଥିଲେ। ଗଣତାନ୍ତ୍ରିକ ଅଧିକାର ରେ ଶତ ପ୍ରତିଶତ ନିଶ୍ଚିତ ମତ ଦାନ କରିବାକୁ ସବୁଠି ଯୁବ ଭୋଟର ଙ୍କୁ ସଚେତନ ଓ ପ୍ରେରଣା ଦେବାକୁ ଜିଲ୍ଲାପାଳ ଓ ଏସପି ଶ୍ରୀ ବାଗ ଙ୍କୁ ପରାମର୍ଶ କରିଥିଲେ। ଏଡିଏମ୍ ରବୀନ୍ଦ୍ର କୁମାର କହଁର, ଏଡିଏମ୍ ଅଞ୍ଜଳିନା ପ୍ରଧାନ, ଡେପୁଟି କଲେକ୍ଟର ବିଶି କେଶନ ପ୍ରଧାନ, ଆସିଷ୍ଟାଣ୍ଟ କଲେକ୍ଟର ତଥା ଜିଲ୍ଲା କ୍ରିଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଆସିଷ୍ଟାଣ୍ଟ କଲେକ୍ଟର ରମେଶ ଚନ୍ଦ୍ର ଗୋଛି, କୃଷ୍ଣ ମୋହନ ସିଂ, ଶ୍ରୀମତୀ ତପସ୍ୱିନୀ ଶତପଥି, ସତ୍ୟବ୍ରତ ସାହୁ ପ୍ରମୁଖ ପାଞ୍ଚ ଜଣ ଆସିଷ୍ଟାଣ୍ଟ କଲେକ୍ଟର ଙ୍କ ସମେତ ସ୍ୱଚ୍ଛ ଭାରତ ସଂଗଠନ ସଭାପତି ଶୟଦ୍ ଅଲିମୂଲ୍ ଇସଲାମ, ଉପ ସଭାନେତ୍ରୀ ଇନ୍ଦୁମତି ପୁରୋହିତ, ବରିଷ୍ଠ ନାଗରିକ ଜ୍ୟୋତି ରଂଜନ ପଟ୍ଟନାୟକ, ଆଇନଜିବୀ ପ୍ରଦୀପ ପୁରୋହିତ, କ୍ରୀଡା ସଙ୍ଗଠକ ପୀୟୂଷ ପଣ୍ଡା, ରମଧୁନ୍ କ୍ଳବ୍ ସମ୍ପାଦକ ବିକାଶ ପଣ୍ଡା, ସମାଜସେଵୀ ଗୋବିନ୍ଦ ମାହାଣା, ପୋଲିସ୍ କନେଷ୍ଟବଳ ସଂଘ ସଭାପତି ଦିନେଶ ମିଶ୍ର ପ୍ରମୁଖ ବୁହୁ ବିଶିଷ୍ଟ ବ୍ୟକ୍ତି ଏଠାରେ ଉପସ୍ଥିତ ରହି ଯାତ୍ରା ସଫଳ ପାଈଁ ସୁବର୍ଣ୍ଣପୁରର ଗୌରବ ବଢ଼ାଇବାକୁ ଭାରତ ଭ୍ରମଣକାରୀ ଶ୍ରୀମାନ ବାଗ ଙ୍କୁ ଶୁଭ କାମନା ଜଣାଇଥିଲେ। ସୋନପୁର କଲେଜ ଏନସିସି ଲେଫ୍ଟେନେଣ୍ଟ ଆଶିଷ ଅଗ୍ରୱାଲା, କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ସମାଜସେବୀ ତଥା ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠୀ ଓ ରକ୍ତଦାତା ସଂଘ ସଭାପତି ମନୋଜ ପଣ୍ଡା ଏହି କାର୍ଯ୍ୟକ୍ରମ କୁ ଅୟୋଜନ କରିଥିବା ବେଳେ ସ୍ବଚ୍ଛ ଭାରତ, ଗୋପାଲଜୀ ଯୋଗାଳୟ, ବରିଷ୍ଠ ନାଗରିକ ସଂଘର ସମସ୍ତ କର୍ମକର୍ତା, ଗଣ ମାଧ୍ୟମ ପ୍ରତିନିଧି, କେଲେକ୍ଟ୍ରିଏଟ୍ କର୍ମଚାରୀ, ଇନ୍ଫିନିଟି କ୍ଳବ୍ ସଦସ୍ୟ, ଓ ସମସ୍ତ ଏନସିସି କ୍ୟାଡେଟ ଏଥିରେ ଯୋଗ ଦେଇଥିଲେ।

ଗଜପତି ଜିଲ୍ଲାରେ ଆନ୍ଧ୍ର ଅଧିକାରୀମାନଙ୍କ ବେଆଇନ ପ୍ରବେଶକୁ ପ୍ରଶୟ ଦିଆଯିବ ନାହିଁ…. ଗଜପତି ଜିଲ୍ଲାପାଳ ପାରଳାଖେମୁଣ୍ଡି,୧୯/୭(ଗରୁଡ ଧ୍ୱଜ ଚୌଧୁରୀ) ଓଡ଼ିଶା ସୀମାରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କରି ଓଡ଼ିଶାର 3 ଗୋଟି ଗାଁକୁ ଆନ୍ଧ୍ରର ବୋଲି ଦାବି କରିବା ବ୍ୟର୍ଥ ଉଦ୍ୟମକୁ କେବେ ବି ସଫଳ କରି ଦିଆଯିବନାହିଁ. ଓଡିଶା ତଥା ଗଜପତି ଜିଲ୍ଲାର ପରିସୀମା ମଧରେ ଆନ୍ଧ୍ର ଅଧିକାରୀଙ୍କ ବେଆଇନ ପ୍ରବେଶ ଓ ବିଭିନ୍ନ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟକୁ କେବେ ବି ପ୍ରଶୟ ଦିଆ ଯିବନାହିଁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଦୃଢତାର ସହ ପ୍ରକାଶ କରିଛନ୍ତି.ଏହି ଘଟଣା ନେଇ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଆକସନ୍ ମୁଡ୍‌ରେ ରହିଥ‌ିବା ଜଣାପଡ଼ିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଆମରିଙ୍ଗି ଓ ବୁରୁସିଂ ଆଦି 3 ଗୋଟି ଗ୍ରାମକୁ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଓ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର ପଣ୍ଡା ପହଞ୍ଚି ଲୋକଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆନ୍ଧ୍ରର କୌଣସି ଅଧିକାରୀ ଆସିଲେ ଡରିବାର ନାହିଁ. ତୁରନ୍ତ ପ୍ରଶାସନକୁ ଜଣାଇବାକୁ ଜିଲ୍ଲାପାଳ ଗ୍ରାମବାସୀଙ୍କୁ କହିଛନ୍ତି. ଓଡ଼ିଶା ଜାଗା ଛାଡିବୁନି କି ଆନ୍ଧ୍ର ଜାଗା ମାଡ଼ିବୁ ନାହିଁ ବୋଲି ଜିଲ୍ଲାପାଳ ବିଜୟ କୁମାର ଦାସ ଗ୍ରାମବାସୀମାନଙ୍କୁ ଦୃଢତାର ସହ ପ୍ରକାଶ କରିଛନ୍ତି। ଏଥିସହ ମାଣିକପାଟଣାରେ ତିଆରି ହୋଇଥିବା ଆନ୍ଧ୍ରର ଅଙ୍ଗନବାଡ଼ି କେନ୍ଦ୍ରକୁ ବୁଲି ଦେଖୁବା ସହ ଉକ୍ତ କେନ୍ଦ୍ରର ସୀମା ଚିହ୍ନଟ ପାଇଁ ରାୟଗଡ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୀମାକୁ ନେଇ କୌଣସି ବିବାଦ ନାହିଁ ଉନ୍ନୟନ କାର୍ଯ୍ୟ ହୋଇଥିବା ଅଞ୍ଚଳ ଓଡ଼ିଶାର, ଓଡ଼ିଶା ସୀମା ଭିତରେ ହିଁ ରହିଛି. ଗତ କିଛି ଦିନ ତଳେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଏହି ଅଞ୍ଚଳ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିବା ପରେ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାପାଳଙ୍କୁ ଚିଠି ଲେଖୁ ଜଣାଇ ଦିଆଯାଇଛି। ଏହି ଗସ୍ତ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ସିଡିପିଓ ବି. କାମଳାଙ୍ଗୀ, ଏସ୍‌ ଡିପିଓ ମାଧବାନନ୍ଦ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ, ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ପ୍ରମୁଖଙ୍କ ସହ କେତେଜଣ ପ୍ରଶାସନିକ ଅଧିକାରୀ ଏହି 3 ଗୋଟି ଗ୍ରାମକୁ ଉପଜିଲ୍ଲାପାଳଙ୍କ ସହ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିଥିଲେ। ମୋଟାମୋଟି ଭାବେ ଏହି ସମସ୍ତ ଅଞ୍ଚଳ କେବଳ ଓଡିଶାର ଏବଂ ଗଜପତି ଜିଲ୍ଲା ଅଧୀନରେ ରହିଥିବା ସ୍ପଷ୍ଟ ହୋଇଯାଇଛି. ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଆହୁରି ଅନେକ ବିକାଶମୂଳକ ଜନ ହିତକର କାର୍ଯ୍ୟ କରାଯିବ. ତେଣୁ ଅଞ୍ଚଳବାସୀ ଆନ୍ଧ୍ରର କେତେକ ଅଧିକାରୀଙ୍କ ବିଭ୍ରାନ୍ତିମୂଳକ ଓ ଭୁଲ ତଥ୍ୟକୁ କୌଣସି ଭାବେ ଗୁରୁତ୍ୱ ନ ଦେଇ ଓଡିଶା ପ୍ରଶାସନର ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ନିଜ ନିଜକୁ ସାମିଲ କରି ଏହି ଅଞ୍ଚଳର ଉନ୍ନତି ଓ ବିକାଶ ପାଇଁ ସହଯୋଗ କରନ୍ତୁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି.