ପଣିକିଆରେ ଭୋଟର ସଚେତନତା ସଙ୍ଗୀତକୁ ଲୋକାର୍ପିତ କଲେ ମୁଖ୍ୟ ଶାସନ ସଚିବ,ଗୀତ ଗାଇ ଦୁଇ ଭଉଣୀ ସମ୍ମାନିତ

ମାଲକାନଗିରି :ପଣକିଆରେ ଲୋକାର୍ପିତ ହେଲା ନିର୍ବାଚନ ସଚେତନତା ଗୀତ। ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହାକୁ ଲୋକର୍ପିତ କରିଛନ୍ତି।ରାଜ୍ୟରେ ଓଡିଆ ଭାଷାରେ ୨ କ ରୁ ୧୦କ ପଣିକିଆ ଗାଇ ସମସ୍ତଙ୍କ ମନକୁ ଜିଣିଥିବା ମାଲକାନଗିରିର ପ୍ରିତୀ ସୁଲଗ୍ନା ଓ ଶ୍ରୁତି ସୁଲଗ୍ନାଙ୍କ ଦ୍ଵାରା ବର୍ତ୍ତମାନ ୧୧କ ପଣିକିଆ ମାଧ୍ୟମରେ ଭୋଟର ସଚେତନତା ଗୀତରେ ଚିତ୍ତାକର୍ଷକ ଅଭିନୟ କରି ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି।
ଏହି ଗୀତର ମୁକ୍ତିଲାଭ ଅବସରରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସଚିନ୍ ପାୱାର, ଏସ.ପି ନିତେଶ ୱାଧୱାନୀ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ଓସେପାର ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ଏହି ସଚେତନ ଧର୍ମୀ ଗୀତର ଛନ୍ଦ ରଚନା କରିଥିବା ବେଳେ ସଙ୍ଗୀତ ଶିକ୍ଷକ କୁରେଶ ଚନ୍ଦ୍ର ସାହୁ ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଗୀତର କଣ୍ଠଶିଳ୍ପୀ ଶ୍ରୁତି ସୁଲଗ୍ନା ମାଲକାନଗିରି ଜିଲ୍ଲାର କାଙ୍ଗୁରୁକୋଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ କନିଷ୍ଠ ଭଉଣୀ ପ୍ରିତୀ ସୁଲଗ୍ନା ନୟାଗଡ଼ ଜିଲ୍ଲାର ଦଶପଲ୍ଲାସ୍ଥିତ ରାଧା ମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି । ପିତା କୁରେଶ ଚନ୍ଦ୍ର ସାହୁ କାଙ୍ଗୁରୁକୋଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ବେଳେ ମାତା ଶୁଭଶ୍ରୀ ସନମ୍ ଦାଶ ନୟାଗଡ଼ର ଦଶପଲ୍ଲା ସ୍ଥିତ ରାଧା ମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।
ଅନବରତ ଭାବେ ସଙ୍ଗୀତ ମାଧ୍ୟମରେ ଏହିଭଳି ସଚେତନତା ମୂଳକ ଗୀତ ଓ କାର୍ଯ୍ୟକ୍ରମ କରିବା, ଏହି ପରିବାରର ନିଶା ପାଲଟିଛି। ପଣିକିଆ ଭାଇରାଲ ଗାର୍ଲ ଭାବେ ପରିଚିତ ଏହି ଦୁଇ ଭଉଣୀ ନିଜର ପ୍ରତିଟି ପଣିକିଆ ଗୀତରେ ସବୁବେଳେ ସମାଜକୁ ଦେଇଥାନ୍ତି ଅନେକ ସଚେତନ ବାର୍ତ୍ତା। ଏହି ଗୀତ ଦ୍ୱାରା ଚଳିତ ୨୦୨୪ ନିର୍ବାଚନରେ ମତଦାତାଙ୍କ ସଂଖ୍ୟା ବୃଦ୍ଧି କରାଇବା, ଉଚିତ୍ ପ୍ରାର୍ଥୀ ଚୟନ, ଭୋଟର ମୂଲ୍ୟ ଅମୂଲ୍ୟ ଭଳି ବହୁ ଗୁରୁତ୍ୱ ପୂର୍ଣ୍ଣ ବାର୍ତ୍ତା ରହିଛି ଏହି ସଙ୍ଗୀତରେ।୧୧କ ପଣିକିଆ ମାଧ୍ୟମରେ ବଣ୍ଡା ପରିପାଟୀରେ ଆଦିବାସୀ ଅଞ୍ଚଳର ବରିଷ୍ଠ ନାଗରିକ, ମହିଳା ଓ ଯୁବ ଭୋଟର ମାନଙ୍କୁ ପ୍ରିତୀ ଏବଂ ଶ୍ରୁତି ବୁଝାଇ ସଚେତନ କରାଉଛନ୍ତି।
ଏହି ଗୀତଟି ଭୋଟରଙ୍କ ଶତ ପ୍ରତିଶତ ମତଦାନ ବଢ଼ାଇବା ପାଇଁ କରିଛୁ ଓ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତେ ଯେଭଳି ମତଦାନରେ ଭାଗ ନେବେ,ତାହା ଆମର ଉଦ୍ଦେଶ୍ଯ ବୋଲି ଶ୍ରୁତି ସୁଲଗ୍ନା କହିଛନ୍ତି। ଭୋଟର ମାନେ ମତଦାନ(ଭୋଟ୍)ର ମୂଲ୍ୟ କେତେ ଓ ଭୋଟ୍ ଦେବା କେତେ ଜରୁରୀ, ତାହାକୁ ଏହି ଗୀତ ମାଧ୍ୟମରେ ଲୋକେ ହୃଦୟଙ୍ଗମ କରିବେ ବୋଲି ଗୀତର ନିର୍ଦ୍ଦେଶକ କୁରେଶ ଚନ୍ଦ୍ର ସାହୁ କହି ମତଦାନହିଁ ଗଣତନ୍ତ୍ର ପ୍ରତିଷ୍ଠା ର ମୂଳମନ୍ତ୍ର ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି।