କୋଲକାତା: ପଶ୍ଚିମବଙ୍ଗରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ପରେ ଏବେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)ର ଅଧିକାରୀଙ୍କ ଟିମ ଉପରେ ଆକ୍ରମଣ ହୋଇଛି । ସୂଚନା ଅନୁଯାୟୀ, ପୂର୍ବ ମେଦିନିପୁରର ଭୂପତିନଗରରେ ହୋଇିଥିବା ବିସ୍ଫୋରଣ ମାମଲାର ତଦନ୍ତ ପାଇଁ ଯାଇଥିବା ଏନଆଇଏ ଟିମ୍ ଉପରେ ଆକ୍ରମଣ ହୋଇଥିଲା । ପିଟିଆଇ ରିପୋର୍ଟ ଅନୁଯାୟୀ, ପ୍ରଦର୍ଶନ କରୁଥିବା ଲୋକେ ଅଭିଯୁକ୍ତକୁ ଏନଆଇଏ ଟିମ୍ କବଳରୁ ନେବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ହିଁ ଟିମ୍ ଉପରେ ଆକ୍ରମଣ ହୋଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭୂପତିନଗର ବିସ୍ଫୋରଣ ଘଟଣାର ତଦନ୍ତ ପାଇଁ ଏନଆଇଏ ଟିମ୍ ଗାଁର ଜଣେ ବ୍ୟକ୍ତିକୁ ଗିରଫ କରିଥିଲା । ଉକ୍ତ ବ୍ୟକ୍ତିକୁ ଜେରା ପାଇଁ ନେଉଥିବା ବେଳେ ଅନେକ ଲୋକ ଏନଆଇଏ ଟିମକୁ ଘେରି ନେଇଥିଲେ ଏବଂ ବ୍ୟକ୍ତିକୁ ଛାଡିବାକୁ ଦାବି କରିଥିଲେ । ଏହି ସମୟରେ ହିଁ ଟିମ୍ ଉପେ ଇଟା ଓ ପଥର ମାଡ ହୋଇଥିଲା । ଆକ୍ରମଣରେ ଦୁଇ ଜଣ ଅଧିକାରୀ ଆହତ ହୋଇଛନ୍ତି ।
ଆକ୍ରମଣକାରୀଙ୍କ ପଥରମାଡରେ ଏନଆଇଏର ଅନେକ ଗାଡି କ୍ଷତିଗ୍ରସ୍ତ ହୋଇଛି । କେନ୍ଦ୍ରୀୟ ପୋଲିସ ବଳ ଉପସ୍ଥିତିରେ ଏହି ଆକ୍ରମଣ ହୋଇଛି । ଆକ୍ରମଣ ପରେ ଏନଆଇଏର ଅଧିକାରୀଙ୍କୁ ସ୍ଥାନୀୟ ପୋଲିସ ଷ୍ଟେସନ ଯିବାକୁ ପଡିଥିଲା । ଆହତ ଅଧିକାରୀଙ୍କୁ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ଅଧିକ ପୋଲିସ ବଳ ମୁତୟନ କରାଯାଇଛି । ସ୍ଥିତି ବର୍ତମାନ ନିୟନ୍ତ୍ରଣରେ ଥିବା କୁହାଯାଉଛି । ସୂଚନାଯୋଗ୍ୟ, ୨୦୨୨ ଡିସେମ୍ବରରେ ବିସ୍ଫୋରଣରେ ଭୂପତିନଗର ଦୋହଲି ଉଠିଥିଲା ।