ସେହ୍ୱାଗଙ୍କ ଭବିଷ୍ୟତବାଣୀ, ଟି-୨୦ ବିଶ୍ୱକପରେ ସୂର୍ଯ୍ୟ ଓ ପନ୍ତଙ୍କ ପାଇଁ ବିପଦ ସାଜି ପାରନ୍ତି ଶିବମ ଦୁବେ


ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବିସ୍ଫୋରକ ଓପନିଂ ବ୍ୟାଟର ତଥା ବର୍ତମାନର ବିଶେଷଜ୍ଞ ବୀରେନ୍ଦ୍ର ସେହ୍ୱାଗଙ୍କ ମତରେ ଆଗାମୀ ବିଶ୍ୱକପରେ ଭାରତୀୟ ଦଳରେ ଶିବମ ଦୁବେ ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, କେଏଲ ରାହୁଲ ଓ ଶ୍ରେୟସ ଆୟରଙ୍କ ପରି ଖେଳାଳିଙ୍କ ପାଇଁ ବିପଦ ସାଜି ପାରନ୍ତି । ଦୁବେଙ୍କ ଯେବେଠୁ ଚେନ୍ନାଇ ସୁପର କିଙ୍ଗ୍‌ସରେ ଏଂଟ୍ରି ହୋଇଛି ତେବେଠୁ ସେ ଧମାଲ କରୁଛନ୍ତି । ସ୍ପିନର୍ସଙ୍କ ବିରୋଧରେ ବଡ ବଡ ସଟ୍ ମାରୁଛନ୍ତି । ଚଳିତ ଆଇପିଏଲରେ ଦମଦାର ଫର୍ମରେ ଅଛନ୍ତି ଏହି ବାମହାତୀ ବ୍ୟାଟର । ଗତକାଲି ମ୍ୟାଚରେ ସନରାଇଜର୍ସ ବିପକ୍ଷରେ ଯେବେ ଚେନ୍ନାର ବାକି ବ୍ୟାଟର ସଂଘର୍ଷ କରୁଥିଲେ , ସେହି ସମୟରେ ଦୁବେ ୨୪ ବଲରୁ ୨ ଚୌକା ଓ ୪ ଛକା ସହ ୪୫ ରନର ଧୂଆଁଧାର ଇନିଂସ ଖେଳିଛନ୍ତି ।

ସିଏସକେ ବନାମ ଏସଆରଏଚ ମ୍ୟାଚ ପରେ ବୀରେନ୍ଦ୍ର ସେହ୍ୱାଗ କହିଛନ୍ତି, ଦୁବେ ଯେଉଁଭଳି ଫର୍ମରେ ଅଛନ୍ତି ଟି-୨୦ ବିଶ୍ୱକପ୍ ଦଳରେ ତାଙ୍କ ସ୍ଥାନ ପକ୍କା ରହିବା ଉଚିତ୍ । ସେ ନିଜର ପ୍ରଦର୍ଶନ ବଳରେ ଅନେକ ଖେଳାଳିଙ୍କ ଉପରେ ଚାପ ପକାଇଛନ୍ତି । ସେ ଶ୍ରେୟସ ଆୟର ହୁଅନ୍ତୁ କି କେଏଲ ରାହୁଲ କିମ୍ବା ସୂର୍ଯ୍ୟକୁମାର ଯାଦବ । ଏପରିକି ଋଷଭ ପନ୍ତଙ୍କ ସ୍ଥାନ ମଧ୍ୟ ବିପଦରେ ରହିଛି । ଟି-୨୦ ବିଶ୍ୱକପରେ ଯଦି ସ୍ଥାନ ପାଇବାର ଅଛି ତେବେ ଅନ୍ୟ ଖେଳାଳିଙ୍କୁ ନିରନ୍ତର ପ୍ରଦର୍ଶନ କରିବାକୁ ପଡିବ । ସେହ୍ୱାଗ ଚୟନକର୍ତାଙ୍କୁ ଅନୁରୋଧ କରିଛନ୍ତି ଯେ, ଟି-୨୦ ବିଶ୍ୱକପ୍ ଦଳରେ ସେହି ଖେଳାଳିଙ୍କୁ ସ୍ଥାନ ମିଳିବା ଉଚିତ୍ ଯେଉଁମାନେ ଫର୍ମରେ ଅଛନ୍ତି ।

ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂଙ୍କ କହିବା କଥା ଟି-୨୦ ବିଶ୍ୱକପରେ ଶିବମ ଦୁବେ ଭାରତ ପାଇଁ ଗେମ ଚେଞ୍ଜର ହୋଇ ପାରନ୍ତି । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ଦୁବେଙ୍କୁ ପଡିଆରେ କ୍ଷେତ୍ର ରକ୍ଷଣକୁ ଭେଦିବା ଦେଖି ଖୁସି ଲାଗୁଛି ।