ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ପରଠୁ ଆରମ୍ଭ ହୋଇ ଗଲାଣି ଜୋରଦାର ପ୍ରଚାର । ପ୍ରାର୍ଥୀ ଘୋଷଣା କରିବାରେ ଲାଗିଛନ୍ତି ରାଜନୈତିକ ଦଳ । ଆଉ ଟିକେଟ୍ ପାଇଁ ଦଳ ଡିଆଁ ପର୍ବ ଚାଲିଛି । ଯେଉଁ ଯେଉଁ ଆସନରୁ ପ୍ରାର୍ଥୀ ଘୋଷଣା ସରିଛି, ସେଠାରେ ନେତାମାନେ ନିଜର ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଯେଉଁ ସିଟରେ ପ୍ରାର୍ଥୀ ତାଲିକା ଆସିନି ସେଠାରେ ସସପେନ୍ସ ଲାଗି ରହିଛି । ତେବେ ଆସନ୍ତା ମାସରେ ପ୍ରଚାର ମଇଦାନ ଦୁଲୁକିବାକୁ ଯାଉଛି । ଓଡିଶାରେ ବହୁ ହେଭିୱେଟ ନେତାଙ୍କ ଭିଡ ଜମିବାକୁ ଯାଉଛି ।
ଓଡିଶାରେ ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଏଥିପାଇଁ ପ୍ରାୟତଃ ପ୍ରାର୍ଥୀ ଘୋଷଣା କରି ସାରିଛି ବିଜେପି । ତେଣୁ ପ୍ରଚାର ପାଇଁ ମେ ପ୍ରଥମ ସପ୍ତାହରେ ଓଡିଶା ଆସି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ କେଉଁ ସ୍ଥାନରେ ପ୍ରଚାର କରିବେ ତାହା ସ୍ପଷ୍ଟ ହୋଇ ନାହିଁ । ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଅନେକ କେନ୍ଦ୍ରୀୟ ନେତାଙ୍କ ପ୍ରଚାର ମଇଦାନକୁ ଆଗମନ ହେବାକୁ ଯାଉଛି ।
ଶାସକ ବିଜୁ ଜନତା ଦଳ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଛି । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ନବୀନ ପଟ୍ଟନାୟକ ପ୍ରଚାର କରି ପାରନ୍ତି । ବର୍ତମାନ ବିଜେପି ଓ ବିଜେଡି ପାଇଁ ଟିକେଟ୍ ବଂଟନ ଅଗ୍ରାଧିକାର ରହିଛି । ପ୍ରାର୍ଥୀ ଘୋଷଣା ପରେ ଅନେକ ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ଦେଖା ଯିବା ସହ ବିଦ୍ରୋହ ମଧ୍ୟ ମୁଣ୍ଡ ଟେକୁଛି । ଯାହା ବିଜେପି ଓ ବିଜେଡିକୁ ଅକଳରେ ପକାଉଛି ।