ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ରହିଛି । ଏଥର ନିର୍ବାଚନରେ ପୂର୍ବୋତର ଓ ଦକ୍ଷିଣ ରାଜ୍ୟଗୁଡିକରେ ବିଜେପିର ସିଟ୍ ସଂଖ୍ୟା ଓ ଭୋଟ୍ ପ୍ରତିଶତ ବଢିବ । ଏହା କଂଗ୍ରେସ ଓ ବିରୋଧୀ ଇଣ୍ଡିଆ ମେଂଟ ପାଇଁ ସତର୍କର ଘଂଟି । ଏହା କହିଛନ୍ତି ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର । ଏପରିକି ଓଡିଶା ଓ ପଶ୍ଚିମବଙ୍ଗରେ ଦଳ ଏକ ନମ୍ବରରେ ରହିବ ବୋଲି ସେ କହିଛନ୍ତି ।
ପ୍ରଶାନ୍ତ କହିଛନ୍ତି ଓଡିଶା ଓ ପଶ୍ଚିମବଙ୍ଗରେ ବିଜେପି ଏକ ନମ୍ବର ପାର୍ଟି ହେବାର ପୁରା ସମ୍ଭାବନା ରହିଛି । ଏପରିକି ତେଲଙ୍ଗାନାରେ ମଧ୍ୟ ପାର୍ଟି ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନରେ ରହିପାରେ । ତାମିଲନାଡୁରେ ବିଜେପି ଦୁଇ ଅଙ୍କ ଲୋକସଭା ସିଟ୍ ମଧ୍ୟ ଜିତିପାରେ । ସେ କହିଛନ୍ତି ପଶ୍ଚିମବଙ୍ଗ, ଓଡିଶା, ତେଲେଙ୍ଗୋନା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ କେରଳରେ ମୋଟ୍ ୧୬୪ ଲୋକସଭା ସିଟ୍ ରହିଛି । ଏହି ସବୁ ରାଜ୍ୟଗୁଡିକରେ ବିଜେପିକୁ ନିଜର ସ୍ଥିତି ଜାହିର କରିବା ପାଇଁ କଡା ସଂଘର୍ଷ କରିବାକୁ ପଡିଛି । କାରଣ ଦଳର କଟ୍ଟର ବିଚାରଧାରା ସେ ରାଜ୍ୟଗୁଡିକର ଜନତାଙ୍କୁ ସେତେ ପ୍ରଭାବିତ କରୁନି । ୨୦୧୪ ଲୋକସଭା ନିର୍ବାଚନରେ ଏହି ରାଜ୍ୟଗୁଡିକରେ ବିଜେପିକୁ ମାତ୍ର ୭ ସିଟ୍ ଏବଂ ୨୦୧୯ ନିର୍ବାଚନରେ ୩୦ ସିଟ୍ ମିଳିଥିଲା ।
ଓଡିଶାରେ ଲୋକସଭା ନିର୍ବାଚନରେ ବିଜେପି ବିଜେଡି ତୁଳନାରେ ଅଧିକ ସିଟ୍ ଜିତିବ । ତେବେ ପ୍ରଶାନ୍ତ ବିଧାନସଭା ନିର୍ବାଚନକୁ ନେଇ କୌଣସି ମତାମତ ରଖି ନାହାନ୍ତି । ଉଲ୍ଲେଖନୀୟ ଓଡିଶାର ମୋଟ୍ ଲୋକସଭା ସିଟ୍ ହେଉଛି ୨୧ । ଗତ ନିର୍ବାଚନରେ ବିଜେପି ଦମଦାର ପ୍ରଦର୍ଶନ କରି ୮ଟି ସିଟ୍ ଜିତିଥିଲା । ୨୦୧୪ରେ ଦଳ ମାତ୍ର ଗୋଟିଏ ସିଟ୍ ହାତେଇ ଥିଲା । କିନ୍ତୁ ଏଥର ଦଳ ପୁରା ଦମରେ ମଇଦାନକୁ ଓହ୍ଲାଇଛି । ସବୁ ୨୧ ସିଟରେ ବିଜେପି ପ୍ରାର୍ଥୀ ଘୋଷଣା କରି ସାରିଛି ।