Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରିଲା ଦଣ୍ଡ ଯାତ୍ରା; ମେରୁରେ ଯାତ୍ରା ସାରି ମନ୍ଦିରକୁ ଫେରିଲେ ମା’କାଳୀ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ୍ ର ବିଭିନ୍ନ ଗ୍ରାମରେ ୧୩ ଓ ୧୪ ଦିନ ଧରି ଆୟୋଜିତ ହୋଇଥିବା ଭକ୍ତି ଏବଂ ବିଶ୍ୱାସର ଗଣପର୍ବ ଦଣ୍ଡଯାତ୍ରା ଉଦଯାପିତ ହୋଇଯାଇଛି। ଏହି ବ୍ଳକ୍ ର ବିଭିନ୍ନ ଗ୍ରାମରେ ୧୩ ଦିନିଆ ଦଣ୍ଡ ଯାତ୍ରା ମାସନ୍ତ ମେରୁରେ ଏବଂ ୧୪ ଦିନିଆ ସଂକ୍ରାନ୍ତି ମେରୁରେ ଉଦଯାପିତ ହୋଇ ମା’ କାଳୀ ନିଜନିଜ ମନ୍ଦିରକୁ ଫେରିଥିବା ବେଳେ ମାନସିକ ଧାରୀ ଦଣ୍ଡଭୂକ୍ତାମାନେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରୀତିନୀତି ମୁତାବକ ପ୍ରାତଃ ସମୟରୁ ବିଭିନ୍ନ ଗ୍ରାମର ଦଣ୍ଡୁଆ ମାନେ ଠାକୁରଙ୍କୁ ଧରି ଦଣ୍ଡଯାତ୍ରା ଥିବା ଗ୍ରାମକୁ ଫେରିଥିଲେ। ସେଠାରେ ଠାକୁରଙ୍କର ଦୈନନ୍ଦିନ ପୂଜାବିଧି କରାଯିବା ସହିତ ମଧ୍ୟାହ୍ନରେ ଧୂଳିଦଣ୍ଡ, ଅପରାହ୍ନ ରେ ପାଣିଦଣ୍ଡ ଏବଂ ନଗର ଭ୍ରମଣ ସରିବା ପରେ ମେରୁ ମଣ୍ଡପକୁ ଠାକୁର ବିଜେ କରିଥିଲେ। ସେଠାରେ କାଳିସୀଙ୍କୁ ସ୍ନାନ କରାଯିବା ପରେ ମେରୁ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପ୍ରବଳ ଖରା ସତ୍ତ୍ୱେ ମେରୁ ଯାତ୍ରା ଦେଖିବା ପାଇଁ ମେରୁମଣ୍ଡପ ଗୁଡ଼ିକରେ ଶହ ଶହ ଭକ୍ତଙ୍କ ଭିଡ଼ ଦେଖିବକୁ ମିଳିଥିଲା। ହରିବୋଲ, ହୁଳହୁଳି,ଜୟ ରୁଦ୍ରକାଳୀ ଧ୍ୱନି ସହିତ ଢୋଲ,ମହୁରୀ,ଗିନି ଶବ୍ଦରେ ମେରୁ ମଣ୍ଡପ ଗୁଡ଼ିକ ପ୍ରକମ୍ପିତ ହୋଇଥିଲା। ବିଶେଷ କରି ମେରୁ ଯାତ୍ରା ପରେ ପ୍ରସାଦ ରୂପେ ଫୋପଡା ଯାଉଥିବା ଖଜୁରୀ ଏବଂ ଆମ୍ବ ଗୋଟାଇବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ଆଳତୀ ଅନୁଷ୍ଠିତ ହେବା ପରେ ରାତିରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ୍ ବାହିନୀ ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ