Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୀନର ପ୍ରତିଭା ପୂଜା ପରମ୍ପରା ଉଦାହରଣୀୟ

ବ୍ରହ୍ମପୁର:ମସିହାରୁ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଥିବା ‘ନବୀନ’ କେବଳ ସମ୍ୱାଦପତ୍ର ନୁହଁ ବରଂ ଓଡ଼ିଶାର କବି, ଲେଖକ, କଳାକାରମାନଙ୍କୁ ସମ୍ମାନ ଦେବାର ଅନନ୍ୟ ପରମ୍ପରା ବଜାୟ ରଖିପାରିଛି ବୋଲି ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ନବୀନ ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ନବୀନର ୨୬ତମ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ଵତ ସମାବେଶରେ ମୁଖ୍ୟଅତିଥି ଭାବେ ପ୍ରଫେସର ଡ଼. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ହାରିତସ୍‌‍) ଯୋଗଦେଇ କହିଲେ ଯେ ନବୀନ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା କବଚ ଭାବେ ଦୀର୍ଘ ୯୪ ବର୍ଷ ଧରି ନିରନ୍ତର ଭାବେ ନିଜର ଭୂମିକା ଗ୍ରହଣ କରିଆସିଛି। ନବୀନ ସମ୍ୱାଦପତ୍ରର ପ୍ରତିଭା ପୂଜା ପରମ୍ପରା ଉଦାହରଣୀୟ ବୋଲି ସେ କହିଥିଲେ ।
ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. କାହ୍ନୁ ଚରଣ ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଐତିହାସିକ ନବୀନର ସ୍ଵତନ୍ତ୍ର ଓଡ଼ିଶା ଗଠନ ଓ ଭାଷା ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ଼. କୈଳାସ ଚନ୍ଦ୍ର ତ୍ରିପାଠୀ ଯୋଗଦେଇ ଉଦବୋଧନ ଦେଇଥିଲେ। ସଭାପତି ଶ୍ରୀ ରଥ ନିଜ ବକ୍ତବ୍ୟରେ ନବୀନ ସଦାସର୍ବଦା ନୂତନ କବି, ସାହିତି୍ୟକ ଓ କଳାକାରମାନଙ୍କୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କୁ ଉତ୍ସାହିତ କରି ଆସିଛି ବୋଲି ପ୍ରକାଶ କରିଥିଲେ ।
ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ଶିକ୍ଷାବିତ ତଥା ପରିବେଶବିତ୍‌‍ କାମରାଜୁ ମହାରଣା, ପ୍ରଖ୍ୟାତ ଭାରତଲୀଳା ଗୁରୁ ସନ୍ତୋଷ କୁମାର ପାଢ଼ୀ, ବିଶିଷ୍ଟ ପ୍ରହଲ୍ଲାଦ ନାଟକ ଗୁରୁ ଗୋକୁଳାନନ୍ଦ ପ୍ରଧାନ, ବରିଷ୍ଠ ସାମ୍ୱାଦିକ ସତ୍ୟ ନାରାୟଣ ବେହେରା ଓ ନିର୍ଭୀକ ସାମ୍ୱାଦିକା ବିଷ୍ଣୁପ୍ରିୟା ସାହୁ ପ୍ରମୁଖଙ୍କୁ ଏହି ଅବସରରେ ନବୀନ ବିଷୁବ ସମ୍ମାନ-୨୦୨୪ରେ ସମ୍ମାନିତ କରାଯାଇଥିଲା । ଏହା ସହିତ ବିଶିଷ୍ଟ ପ୍ରବଚକ ଜଗନ୍ନାଥ ପଣ୍ଡାଙ୍କ ରଚିତ ପୁସ୍ତକ ‘ଶ୍ରୀକୃଷ୍ଣଙ୍କ ଶେଷ ଉପଦେଶ’ ଓ ‘ମହାସାଧକ ନିଗମାନନ୍ଦ’ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।
ସ୍ଵାଗତ ସମିତି ଅଧ୍ୟକ୍ଷ ରୋଟାରିଆନ ନାରଶୁ ଜେନା ସ୍ଵାଗତ ଭାଷଣ ଦେଇଥିବା ବେଳେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ସୁଶାନ୍ତ କର ବିବରଣୀ ପାଠ ଓ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମ ଅଧିବେଶନରେ ବରିଷ୍ଠ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବୈଜ୍ଞାନିକ ଡ଼. ଡ଼ମ୍ୱରୁଧର ସାହୁ ଯୋଗ ଦେଇଥିଲେ । ଯୁବକବି ଚିନ୍ମୟ ରଂଜନ ମିଶ୍ର ଓ ଶିକ୍ଷୟତ୍ରୀ ସସ୍ମିତା ମିଶ୍ରଙ୍କ ସଂଯୋଜନାରେ ଶତାଧିକ କବି ସ୍ଵରଚିତ କବିତା ପାଠ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମ ପରିଚାଳନାରେ ସମାଜସେବୀ ରାମକୃଷ୍ଣ ପାତ୍ର, ନବୀନର ପ୍ରକାଶିକା ମଞ୍ଜୁ ରଥ, ବନ୍ଦନା ମହାପାତ୍ର, ରଞ୍ଜନ କୁମାର ସାହୁ, ପବିତ୍ର କୁମାର ଚୌଧୁରୀ, ଇଂ. ମାନସ ରଂଜନ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ